Latest Odisha News

ରାଜ୍ୟ ସରକାର ଚଳିତ ବର୍ଷ ୭.୫ କୋଟି ବୃକ୍ଷ ରୋପଣ କରିବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଭୁବନେଶ୍ବର ସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନ ଠାରେ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟ ସରକାର, ଗୋଟିଏ ବର୍ଷରେ ୭.୫ କୋଟି ବୃକ୍ଷ ରୋପଣ କରିବେ ବୋଲି ଘୋଷଣା କରିଛନ୍ତି ।

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପରିବେଶ ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ସଚେତନତା ବିସ୍ତାର କରିବା ପାଇଁ ଆଜିର ଦିନଟି ଉତ୍ସର୍ଗୀକୃତ । ପ୍ରଦୂଷିତ ପୃଥ‌ବୀର ଭୟାବହତାକୁ ହୃଦୟଙ୍ଗମ କରି ଅଧିକରୁ ଅଧିକ ସବୁଜ ପରିବେଶ ସୃଷ୍ଟି କରିବା ଏବଂ ପ୍ରକୃତିର ସଂରକ୍ଷଣ କରିବା ଏକାନ୍ତ ଅପରିହାର୍ଯ୍ୟ ହୋଇପଡିଛି । ପରିବେଶ ସଂରକ୍ଷଣ ପାଇଁ ନିଆଯାଉଥିବା ପଦକ୍ଷେପ, ଭବିଷ୍ୟତ ପିଢ଼ି ପାଇଁ ଏକ ସୁସ୍ଥ ଜୀବନଯାପନର ସହଜ ଏବଂ ସରଳ ମାଧ୍ୟମ ହେଇପାରିବ ।

ବର୍ତ୍ତମାନ ଆମ ଜୀବନରେ ପ୍ଲାଷ୍ଟିକ ଅପରିହାର୍ଯ୍ୟ ହୋଇ ସାରିଛି, ବିଶେଷ ଭାବେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ । ଆଜି ପ୍ଲାଷ୍ଟିକର ଅଧିକ ବ୍ୟବହାର ତିନିଗୋଟି ସମସ୍ୟା ଭାବେ ଉଭା ହୋଇଛି, ଜଳବାୟୁ ପରିବର୍ତ୍ତନ, ପ୍ରକୃତିର ଜଳ, ସ୍ଥଳ ଏବଂ ଜୈବ ବିବିଧତାରେ କ୍ଷୟ ଏବଂ ପ୍ରଦୂଷଣ ଓ ଆବର୍ଜନାର ସମସ୍ୟା । ଏହି ପରିପ୍ରେକ୍ଷୀରେ ପ୍ଲାଷ୍ଟିକ ବର୍ଜନ ଏକ ଗଣ ଆନ୍ଦୋଳନ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଆମ ସରକାର ମଧ୍ୟ ଷ୍ଟେଟ୍ କ୍ଲିନ୍ ଏୟାର ପ୍ରୋଗାମ୍ ଆରମ୍ଭ କରିଛନ୍ତି । ଏହା ଜନସଂଖ୍ୟା ବହୁଳ ସହରାଞ୍ଚଳ ମାନଙ୍କରେ ବାୟୁ ପ୍ରଦୂଷଣର ମାତ୍ରା କମାଇବ ଏବଂ ବାୟୁମଣ୍ଡଳରେ ବାୟୁର ଗୁଣବତ୍ତା ବୃଦ୍ଧି ଘଟିବ । ସେଥିପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ ତତ୍ପର ଅଛି । ଆମ ସରକାର ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ ନିଷେଧ ସହ ଏହାର ଦୀର୍ଘସ୍ଥାୟୀ ବିକଳ୍ପକୁ ପ୍ରୋତ୍ସାହନ ଏବଂ ବର୍ଜ୍ୟ ପରିଚାଳନା ପ୍ରଣାଳୀକୁ ସଶକ୍ତ କରିବା ପାଇଁ ସକ୍ରିୟ ପଦକ୍ଷେପ ନେଇଛନ୍ତି । ସମାଜରେ ପ୍ରକୃତ ପରିବର୍ତ୍ତନ ଆଣିବାକୁ ହେଲେ ଏହା ପ୍ରଥମେ ନିଜ ଓ ନିଜ ପରିବାରଠାରୁ ଆରମ୍ଭ ହେବା ଆବଶ୍ୟକ । ‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନରେ ରାଜ୍ୟ ସରକାର ପ୍ରାୟ ସାଢେ 6 କୋଟି ରୁ ଉର୍ଦ୍ଧ୍ୱ ଗଛ ଲଗାଇ ଏହି ଅଭିଯାନକୁ ସଫଳ କରିଛନ୍ତି ବୋଲି ସେ କହିଥିଲେ ।

ସେ ପୁଣି କହିଥିଲେଯେ, ଆମ ସରକାର ଆସିବା ପରେ ଜଙ୍ଗଲ ଓ ବୃକ୍ଷ ଆବରଣରେ ପାଖାପାଖି ୫୬୦ ବର୍ଗ କିଲୋମିଟର ନେଟ୍ ବୃଦ୍ଧି ହୋଇଛି, ଯାହା ସମସ୍ତ ରାଜ୍ୟ ମଧ୍ୟରେ ଚତୁର୍ଥ ସର୍ବାଧିକ। ଜନସାଧାରଣ ଓ ଅନୁଷ୍ଠାନ ଗୁଡିକ ପ୍ରାୟ ୨ କୋଟିରୁ ଉର୍ଦ୍ଧ୍ୱ ଚାରା ରୋପଣ କରି ରେକର୍ଡ ସୃଷ୍ଟି କରିଛନ୍ତି । ଭାରତ ସରକାରଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ୧୦୭ତମ ଜାତୀୟ ଉଦ୍ୟାନର ମାନ୍ୟତା ପାଇଛି ଶିମିଳିପାଳ। ‘ଆମ ଶିମିଳିପାଳ’ ଯୋଜନା ମାଧ୍ୟମରେ ବନ୍ୟପ୍ରାଣୀ ଓ ଉଦ୍ଭିଦ ସଂରକ୍ଷଣ ଓ ସୁରକ୍ଷା ପାଇଁ ୫୦ କୋଟି ଟଙ୍କା ବ୍ୟୟ ବରାଦରେ ଏକ ନୂତନ ପ୍ରୟାସର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର।

ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ପରିବେଶ ସୁରକ୍ଷା ତଥା ଏହାର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଭିନ୍ନ ଜିଲ୍ଲାର ୧୮୫ ପ୍ରକୃତି ମିତ୍ର ଏବଂ ୨୧୧ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଅନୁଷ୍ଠାନ ତଥା ବ୍ୟକ୍ତିଙ୍କୁ ଅଭିନନ୍ଦନ ଜଣାଉଛି । ମୋର ଦୃଢ ବିଶ୍ବାସ ସେମାନଙ୍କର କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ। “ପ୍ଲାଷ୍ଟିକ୍ ପ୍ରଦୂଷଣର ଅନ୍ତ” ଉପରେ ରାଜ୍ୟସ୍ତରର ଇକୋ-ମଡେଲ ପ୍ରଦର୍ଶନୀର ସମସ୍ତ ଅଂଶଗ୍ରହଣକାରୀ ଓ ବିଜେତା ମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଓଡିଶାରୁ ସର୍ବଶ୍ରେଷ୍ଠ ଇକୋ କ୍ଲବ ପୁରସ୍କାର ବିଜେତା ବିଦ୍ୟାଳୟ ତଥା ଶିକ୍ଷକ ମାନଙ୍କୁ ତାଙ୍କର ନିଷ୍ଠା ଏବଂ ପ୍ରତିବନ୍ଧତା ପାଇଁ ଶୁଭେଚ୍ଛା ଜଣାଉଛି । ସେହିପରି ବିଭିନ୍ନ ଶିଳ୍ପାନୁଷ୍ଠାନ ତଥା ପରିବେଶ ନିୟନ୍ତ୍ରଣ ବିଷୟରେ ସଂଶ୍ଲିଷ୍ଟ ବିଭିନ୍ନ ସଂସ୍ଥା ପ୍ରଦର୍ଶନୀ ମାଧ୍ୟମରେ ସଚେତନତା ସୃଷ୍ଟି କରିବାର ପ୍ରୟାସ କରିଛନ୍ତି, ସେମାନଙ୍କୁ ମୋର ଅଭିନନ୍ଦନ ।

ପ୍ଲାଷ୍ଟିକ୍ ପ୍ରଦୂଷଣକୁ ଶେଷ କରିବା ସହ ଆମ ନାଗରିକଙ୍କ ପାଇଁ ଏକ ସୁସ୍ଥ ଓ ସ୍ବଚ୍ଛ ପରିବେଶ ବଜାୟ ରଖିବା ପାଇଁ ଆଜି ଆମେ ସଂକଳ୍ପ ନେବା । ଏ ଦିଗରେ ଆପଣ ମାନଙ୍କ ଉଦ୍ୟମ, ମନୋବୃତ୍ତି ଓ ନିଷ୍ଠାପରତାକୁ କାମନା କରୁଛି । ଏକ ସୁସ୍ଥ ସମାଜ ପାଇଁ ଏକ ସୁସ୍ଥ ପରିବେଶ ଦରକାର ଏବଂ ପରିବେଶ ପ୍ରତି ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ସମାରୋହରେ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ।

Comments are closed.