ନୂଆଦିଲ୍ଲୀ: ନା ନୀତିଶ ନା ପ୍ରଶାନ୍ତ କିଶୋର, ବିହାର ଜନତାଙ୍କୁ ପସନ୍ଦ ତେଜସ୍ବୀ ଯାଦବ । ଇଣ୍ଡିଆ ଟୁଡେ-ସି ଭୋଟର ସର୍ଭେ ରିପୋର୍ଟ ଅନୁସାରେ ନୀତିଶଙ୍କୁ ପଛରେ ପକାଇ ତେଜସ୍ବୀ ବିହାରର ମୁଖ୍ୟମନ୍ତ୍ରୀ ପଦ ପାଇଁ ରେସରେ ସବୁଠୁ ଆଗରେ ରହିଛନ୍ତି । ପୂର୍ବରୁ ଦୁଇ ଦୁଇ ଥର ବିହାରର ଉପମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି ତେଜସ୍ବୀ ଯାଦବ । ପ୍ରଥମେ ୨୦୧୫ ଓ ଦ୍ବିତୀୟ ଥର ୨୦୨୨ରେ ତେଜସ୍ବୀ ନମ୍ବର ଟୁ ପଦରେ ରହିଥିଲେ । ହେଲେ ସେତେବେଳେ ନୀତିଶ କୁମାର ସାଙ୍ଗରେ ଥିଲେ । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏନଡିଏକୁ ଫେରି ଯାଇଛନ୍ତି ନୀତିଶ । ଲାଲୁ ତାଙ୍କ ପାଇଁ ଦ୍ବାର ଖୋଲା ରଖିଥିବା କହୁଥିଲେ ବି, ନୀତିଶ ଫେରିବା ସମ୍ଭାବନା କମ୍ । ତେଣୁ ଜନତାଙ୍କ ପସନ୍ଦ ହେଲେ ବି ମୁଖ୍ୟମନ୍ତ୍ରୀ ପଦ ପାଇବା ତେଜସ୍ବୀଙ୍କ ପାଇଁ ସେତେ ସହଜ ହେବନି ।
କ’ଣ କହୁଛି ସର୍ଭେ ରିପୋର୍ଟ?
ଇଣ୍ଡିଆ ଟୁଡେ ସି-ଭୋଟର ସର୍ଭେ ଅନୁସାରେ ବିହାର ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠୁ ଲୋକପ୍ରିୟ ତେଜସ୍ବୀ ଯାଦବ । ତେଜସ୍ବୀଙ୍କୁ ଅଧିକ ପସନ୍ଦ କରିଛନ୍ତି ବିହାର ଯୁବକ, ପଛୁଆ ଓ ମୁସଲିମ ଭୋଟର । ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ୩୬ପ୍ରତିଶତରୁ ଅଧିକ ଲୋକ ଦେଖିବାକୁ ଚାହୁଁଛନ୍ତି । ଲୋକପ୍ରିୟତାରେ ତେଜସ୍ବୀଙ୍କ ତଳେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ୧୮ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ପଦ ପାଇଁ ନୀତିଶଙ୍କୁ ଭୋଟ୍ ଦେଇଛନ୍ତି । ନିର୍ବାଚନ ରଣନୀତିକାରରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର ୧୬ପ୍ରତିଶତ ଭୋଟ୍ ସହ ତୃତୀୟ ସ୍ଥାନରେ ରହିଥିବା ବେଳେ ଚିରାଗ ପାଶଓ୍ବାନଙ୍କୁ ମିଳିଛି ୧୦ପ୍ରତିଶତ ଭୋଟ୍ । ସେହିପରି ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧରୀଙ୍କୁ ମାତ୍ର ୬ପ୍ରତିଶତ ଭୋଟ୍ ମିଳିଛି ।
ସହଜ ନୁହେଁ ମୁଖ୍ୟମନ୍ତ୍ରୀ ପଦ
୨୦୨୦ ନିର୍ବାଚନରେ ତେଜସ୍ବୀ ଯାଦବଙ୍କ ନେତୃତ୍ବରେ ମହାଗଠବନ୍ଧନକୁ ସର୍ବାଧିକ ୭୫ଟି ସିଟ୍ ମିଳିଥିଲା । ସେତେବେଳେ ଜେଡିୟୁକୁ ୪୩ସିଟ୍ ମିଳିଥିଲା ତ ବିଜେପି ୭୪ଟି ସିଟରେ ବିଜୟୀ ହୋଇଥିଲା । ବର୍ତ୍ତମାନ ସ୍ଥିତିରେ ଆରଜେଡି ପାଖରେ ସର୍ବାଧିକ ୮୦ବିଧାୟକ ରହିଛନ୍ତି। ବିଜେପି ପାଖରେ ୭୭ ଓ ଜେଡିୟୁ ପାଖରେ ୪୫ ବିଧାୟକ ରହିଛନ୍ତି । ୨୪୩ ସିଟ୍ ବିଶିଷ୍ଟ ବିହାର ବିଧାନସଭାରେ ମ୍ୟାଜିକ ନମ୍ବର ରହିଛି ୧୨୨ । ୨୦୨୦ରେ ଲାଲୁପ୍ରସାଦ ଯାଦବ ରାଞ୍ଚି ଜେଲରେ ଥିଲେ । ହେଲେ ଚଳିତ ନିର୍ବାଚନରେ ଲାଲୁ ତେଜସ୍ବୀଙ୍କ ସହ ରହିଛନ୍ତି । ଯାହା ତାଙ୍କ ପାଇଁ ବଡ଼ ସପୋର୍ଟ ବେସ୍ ହେବ । ତେବେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ହେଲେ ତେଜସ୍ବୀଙ୍କ ଆଗରେ ଅନେକ ଚ୍ୟାଲେଞ୍ଜର ସାମନା କରିବାକୁ ପଡିବ ।
ତେଜସ୍ବୀଙ୍କ ଆଗରେ ଏସବୁ ଚ୍ୟାଲେଞ୍ଜ
ତେଜପ୍ରତାପଙ୍କୁ ପାର୍ଟି ତଥା ପରିବାରରୁ ବେଦଖଲ କରି ଦେଇଛନ୍ତି ଲାଲୁ । ନିର୍ବାଚନରେ ଏହି ପ୍ରସଙ୍ଗ ଉଠାଇ ତେଜସ୍ବୀଙ୍କୁ ଟାର୍ଗେଟ୍ କରିପାରନ୍ତି ବିରୋଧୀ । ତେବେ ନିର୍ବାଚନ ପାଇଁ ଆହୁରି ସମୟ ବାକି ଥିବାରୁ ଏହି ପ୍ରସଙ୍ଗ ସେତେବେଳକୁ ଦୁର୍ବଳ ହୋଇ ଯାଇପାରେ । ଆରଜେଡି ଭୋଟବ୍ୟାଙ୍କକୁ କଂଗ୍ରେସ ନିଜ ଖାତାକୁ ଆଣିବାକୁ ଉଦ୍ୟମ କରୁଛି । ଏହାସହ ଅନେକ ପର୍ଯ୍ୟାୟରେ ଆଲୋଚନା ପରେ ବି ତେଜସ୍ବୀଙ୍କୁ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ଚେହେରା ନେଇ ନିରବ କଂଗ୍ରେସ । ଯାହା ତେଜସ୍ବୀଙ୍କ ପାଇଁ ଚ୍ୟାଲେଞ୍ଜ ବଢାଇପାରେ । ଯାଦବଙ୍କ ସହ ମୁସଲିମ ଭୋଟ୍ ଲାଲୁପ୍ରସାଦ ଯାଦବଙ୍କ ରାଜନୀତିର ବଡ଼ ଆଧାର ରହିଛି । ତେବେ ଏଆଇଏମଆଇଏମ୍ ସହ ପ୍ରଶାନ୍ତ କିଶୋରଙ୍କ ଜନସୁରାଜ ପାର୍ଟି ମୁସଲିମ୍ ଭୋଟ ବିଭାଜନ କରିପାରନ୍ତି । ପ୍ରଶାନ୍ତ କିଶୋର ତେଜସ୍ବୀଙ୍କ ବିରୋଧରେ କ୍ୟାମ୍ପେନ୍ ଚଲାଇବା ସହ ତାଙ୍କୁ ସୁଯୋଗ ନଦେବାକୁ ଲୋକଙ୍କୁ ଅପିଲ୍ କରୁଛନ୍ତି । ୨୦୨୪ ଉପନିର୍ବାଚନରେ ସେ ଆରଜେଡିର ସେଭଳି କ୍ଷତି କରିପାରିନଥିଲେ । ତେବେ ୧୦ପ୍ରତିଶତ ପର୍ଯ୍ୟନ୍ତ ଭୋଟ୍ ସେୟାର ହାସଲ କରିଥିଲେ । ସେହିପରି ଲୋକପ୍ରିୟତାରେ ତେଜସ୍ବୀ ଆଗରେ ଚାଲିଥିଲେ ମଧ୍ୟ ନୀତିଶଙ୍କ ପଛରେ ବିଜେପି ରହିଛି । ଅପରେସନ୍ ସିନ୍ଦୂରର ପ୍ରଭାବ ଯଦି ବିହାର ନିର୍ବାଚନ ଉପରେ ପଡେ, ତେବେ ତେଜସ୍ବୀଙ୍କ ପାଇଁ ସମସ୍ୟା ବଢିବ ।
Comments are closed.