ଭୁବନେଶ୍ୱର: ସ୍ଥାନୀୟ ଶହୀଦ ନଗରସ୍ଥିତ ଓଡିଶା ସମବାୟ ଟସର ଓ ରେଶମ ମହାସଂଘ (ସେରିଫେଡ୍) କାର୍ଯ୍ୟାଳୟ ପରିସରରୁ ୩୫୦ କିଲୋଗ୍ରାମ ବାସୁଙ୍ଗା ପାଟ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ଗୁରୁବାର ପ୍ରେରଣ କରାଯାଇଛି । ଏହି ପବିତ୍ର କାର୍ଯ୍ୟକୁ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ପତାକା ଦେଖାଇ ପ୍ରେରଣ କରିଥିଲେ ।
ସୂଚନଯୋଗ୍ୟ, ବାସୁଙ୍ଗା ପାଟ ହେଉଛି ଏକ ପବିତ୍ର ଓ ଅତ୍ୟନ୍ତ ଶକ୍ତିଶାଳୀ ରେଶମ ଡୋର ଯାହା ଚତୁର୍ଦ୍ଧାମୁରତିଙ୍କ ରଥଯାତ୍ରା ଓ ଅନ୍ୟାନ୍ୟ ପର୍ବପର୍ବାଣୀରେ ବ୍ୟବହୃତ ହୋଇଥାଏ । ଶ୍ରୀମନ୍ଦିରରେ ବିଗ୍ରହମାନଙ୍କର ବିଜୟ ଡୋରୀ, ପଇତା, ରାକ୍ଷୀ ଆଦି ତିଆରି କରିବାରେ ବ୍ୟବହାର କରାଯାଇଥାଏ ।
୧୯୮୧ ମସିହାରୁ ସେରିଫେଡ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ଏହି ବାସୁଙ୍ଗା ପାଟ ଯୋଗାଇ ଆସୁଛି । ଚଳିତବର୍ଷ ୩୫୦ କିଲୋଗ୍ରାମ ବାସୁଙ୍ଗା ପାଟ ଯୋଗାଇ ଦିଆଯାଇଛି । ଏହି ବାସୁଙ୍ଗା ପାଟ ମଲବେରୀ ରେଶମ କୋଷାରୁ ପ୍ରସ୍ତୁତ କରାଯାଇଥାଏ । ଏହା ମୁଖ୍ୟତଃ ଗଜପତି ଜିଲ୍ଲାର ମୋହନା ଓ ଆର. ଉଦୟଗିରୀ ବ୍ଲକର ଜନଜାତି ରେଶମ ଚାଷୀଙ୍କ ଦ୍ଵାରା ଉତ୍ପାଦିତ ହୋଇଥାଏ । ଏଥିରେ କୋରାପୁଟ ଜିଲ୍ଲାରୁ ସଂଗୃହୀତ କଇଥ ଫଳର ଅଠା ଲଗାଯାଇ ରଙ୍ଗାୟିତ କରାଯାଇଥାଏ ।
ଏହି କୋଷାଗୁଡିକୁ ସେରିଫେଡ ଦ୍ଵାରା ସଂଗ୍ରହ କରାଯାଇ କଟକ ଜିଲ୍ଲାର ନୂଆପାଟଣା ସ୍ଥିତ ରେଶମ ଉତ୍ପାଦନ ଏବଂ ବୈଷୟିକ ଉନ୍ନତିକରଣ କେନ୍ଦ୍ର ( Silk Production & Technical Upgradation Centre) ଠାରେ ପ୍ରକ୍ରିୟାକରଣ କରାଯାଏ । ଶ୍ରୀମନ୍ଦିର ପ୍ରଶାସନର ଆବଶ୍ୟକତା ଅନୁଯାୟୀ ବାସୁଙ୍ଗା ପାଟ ଡୋରୀ ଭାବରେ ପ୍ରସ୍ତୁତ କରି ମଧ୍ୟ ପ୍ରେରଣା କରାଯାଇଥାଏ । ଏହି ବାସୁଙ୍ଗା ପାଟକୁ କେବଳ ଶ୍ରୀମନ୍ଦିରର ଧାର୍ମିକ କାର୍ଯ୍ୟ ପାଇଁ ପ୍ରସ୍ତୁତ କରାଯାଉଥିବା ବେଳେ ଏହାର କୌଣସି ବାଣିଜ୍ୟିକ ବ୍ୟବହାର କରାଯାଇନଥାଏ ।
ଏହି କାର୍ଯ୍ୟକ୍ରମରେ ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ହସ୍ତଶିଳ୍ପ ନିର୍ଦ୍ଦେଶିକା ପ୍ରଣତୀ ଛୋଟରାୟ, ଯୁଗ୍ମ ଶାସନ ସଚିବ (ଆଇଏଏସ) ମଧୁମିତା ରଥ, ସେରିଫେଡ ଅଧ୍ୟକ୍ଷ ଭାଗୀରଥି ନନ୍ଦ, ସେରିଫେଡ ପରିଚାଳନା ନିର୍ଦ୍ଦେଶକ ବିକ୍ରମାଦିତ୍ୟ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.