Latest Odisha News

BREAKING NEWS

ଇରାନ ରାସ୍ତାରେ ବୁଲିବେନି କୁକୁର

ନୂଆଦିଲ୍ଲୀ: ଇରାନ ରାସ୍ତାରେ ଚାଲିପାରିବେନି କୁକର । ଇରାନର କର୍ତ୍ତୃପକ୍ଷ ଦେଶର ବିଭିନ୍ନ ସହରରେ ସାର୍ବଜନୀନ ସ୍ଥାନରେ କୁକୁର ବୁଲାଇବା ଉପରେ ନିଷେଧ କରିଛନ୍ତି । ଜନସ୍ୱାସ୍ଥ୍ୟ, ସାମାଜିକ ବ୍ୟବସ୍ଥା ଏବଂ ସୁରକ୍ଷା ଚିନ୍ତାର କାରଣ ଦର୍ଶାଇ କିଛି ନିର୍ଦ୍ଦେଶ ଦେିଛନ୍ତି କର୍ତ୍ତୃପକ୍ଷ । ଯାହାକୁ ନେଇ ଏବେ ମୁହାଁମୁହିଁ ହୋଇଛନ୍ତି ସାଧାରଣ ଲୋକେ ଏବଂ କର୍ତ୍ତୃପକ୍ଷ ।

ତେହେରାନ-ଭିତ୍ତିକ ଫରାଜ ନ୍ୟୁଜର ଏକ ରିପୋର୍ଟ ଅନୁଯାୟୀ, ଯେଉଁ ସହରଗୁଡ଼ିକରେ ଏହି ନିଷେଧ ଲାଗୁ କରାଯାଇଛି ସେଗୁଡ଼ିକ ମଧ୍ୟରେ କେରମାନଶାହ, ଇଲାମ, ହମାଦାନ, କେରମାନ, ବୋରୁଜେର୍ଦ, ରୋବାତ କରିମ, ଲାଭସାନାଟ ଏବଂ ଗୋଲସ୍ତାନ ଅନ୍ତର୍ଭୁକ୍ତ। ୨୦୧୯ରେ ରାଜଧାନୀ ତେହେରାନରେ ପ୍ରଥମ ଥର ପାଇଁ ସମାନ ନିଷେଧ ଲାଗୁ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ପାଖାପାଖି ଆଉ ୨୦ ସହରରେ ସମାନ ନିୟମ ଲାଗୁ କରିଚନ୍ତି ଇରାନ ସରକାର ।

ଯାହାକୁ ନେଇ ଇରାନୀ ଅଧିକାରୀମାନେ ଦାବି କରିଛନ୍ତି ଯେ କୁକୁର ବୁଲାଇବା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଏ। ସେମାନେ ଏହା ମଧ୍ୟ ଯୁକ୍ତି ଦିଅନ୍ତି ଯେ କୁକୁର ବୁଲାଇବା ସୁରକ୍ଷା ସମସ୍ୟା ସୃଷ୍ଟି କରିପାରେ। ତଥାପି, ସେମାନେ ଏହି ଚିନ୍ତା ବିଷୟରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦେଇନାହାଁନ୍ତି। ରିପୋର୍ଟ ଅନୁଯାୟୀ, ଅଧିକାରୀମାନେ ନିଷେଧ ଉଲ୍ଲଂଘନ କରୁଥିବା କୁକୁର ମାଲିକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଲୋକମାନେ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ମଧ୍ୟ ପ୍ରତିବାଦ କରୁଛନ୍ତି ।

ଇରାନୀ ଖବରକାଗଜ ଅନୁଯାୟୀ, ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଇରାନୀ ସରକାରୀ ଖବରକାଗଜ ରିପୋର୍ଟ କରିଛି ଯେ ନୂତନ ପଦକ୍ଷେପଗୁଡ଼ିକ ସାର୍ବଜନୀନ ଶୃଙ୍ଖଳା ବଜାୟ ରଖିବା, ସୁରକ୍ଷା ସୁନିଶ୍ଚିତ କରିବା ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟକୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ। ଉତ୍ତର-ପଶ୍ଚିମ ଇରାନର ଆର୍ଦାବିଲ ପ୍ରଦେଶର ଜଣେ ଅଧିକାରୀ ମୋଜାଫର୍ ରେଜାଇ କହିଛନ୍ତି ଯେ ଯଦି ଲୋକମାନେ ପାର୍କ, ସାର୍ବଜନୀନ ସ୍ଥାନରେ କୁକୁରମାନଙ୍କୁ ବୁଲାଇବା କିମ୍ବା ସେମାନଙ୍କ ଯାନବାହନରେ ନେବା ଦେଖାଯାଏ, ତେବେ ସେମାନଙ୍କୁ ଏହାର ପରିଣାମ ଭୋଗ କରିବାକୁ ପଡିବ।

ତେବେ କହିରଖୁଛୁ, ୧୯୭୯ ଇସଲାମିକ୍ ବିପ୍ଳବ ପରଠାରୁ ଇରାନରେ କୁକୁର ପାଳନ ଏବଂ ବୁଲାଇବା ଏକ ବିବାଦୀୟ ବିଷୟ ହୋଇଆସିଛି । ତଥାପି, କୁକୁର ପାଳନକୁ ସମ୍ପୂର୍ଣ୍ଣ ନିଷେଧ କରିବାର କୌଣସି ଆଇନ ନାହିଁ। ଅନେକ ଧାର୍ମିକ ବିଦ୍ୱାନ ବିଶ୍ୱାସ କରନ୍ତି ଯେ କୁକୁରମାନଙ୍କୁ ଆଦର କରିବା କିମ୍ବା ସେମାନଙ୍କ ଲାଳ ସଂସ୍ପର୍ଶରେ ଆସିବା ଧାର୍ମିକ ଭାବରେ ଅପବିତ୍ର ।

Comments are closed.