ନୂଆଦିଲ୍ଲୀ: ଏବେ ଭାରତ ଶପଥ ନେଇସାରିଛି ଇଟାର ଜବାବ ପଥରରେ ଦେବ । ସେଥିପାଇଁ ନିଜର ପ୍ରତିରକ୍ଷା ପ୍ରଣାଳୀକୁ ଆହୁରି ସଶକ୍ତ କରୁଛି ଭାରତ । ସଶସ୍ତ୍ରବାହିନୀରେ ଲଗାତାର ନୂଆ ନୂଆ କ୍ଷେପଣାସ୍ତ୍ର ପ୍ରଣାଳୀକୁ ସାମିଲ କରୁଛି ଯାହା ଶତ୍ରୁ ଦେଶ ପାଇଁ ଚକ୍ରବ୍ୟୁହ। ଆଉ ଅପରେସନ ସମୟରେ ପାକିସ୍ତାନୀ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣକୁ ସଫଳତାର ସହ ବିଫଳ କରିଥିବା ଭାରତୀୟ ସଶସ୍ତ୍ର ବାହିନୀର ଶକ୍ତି ଆହୁରି ବଢିବାକୁ ଯାଉଛି। ଭାରତୀୟ ସେନା ଖୁବ୍ଶୀଘ୍ର ଏକ ନୂତନ ଏବଂ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପ୍ରଣାଳୀ ପାଇବାକୁ ଯାଉଛି। ଏଥିପାଇଁ ସରକାର ପ୍ରାୟ ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ।
ଅପରେସନ ସିନ୍ଦୂରରେ ଭାରତୀୟ ସଶସ୍ତ୍ର ବାହିନୀର ପରାକ୍ରମ ସାରା ବିଶ୍ବ ଦେଖିଥିବା ବେଳେ ଏବେ ଭାରତ ଏହାକୁ ଆହୁରି ସୁଦୃଢ କରୁଛି । ଭାରତୀୟ ସେନାକୁ ୩୦ ହଜାର କୋଟି ଟଙ୍କା ମୂଲ୍ୟର କ୍ୱିକ୍ ରିଆକ୍ସନ୍ ପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ପ୍ରଣାଳୀ ,QRSAM ସଶସ୍ତ୍ର ବାହିନୀରେ ସାମିଲ କରିବାକୁ ଯାଉଛି । ପ୍ରତିରକ୍ଷା ଅଧିକାରୀଙ୍କ ଅନୁଯାୟୀ, ଦେଶର ପଶ୍ଚିମ ଏବଂ ଉତ୍ତର ସୀମାରେ ନିୟୋଜିତ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ QRSAM ର ତିନୋଟି ରେଜିମେଣ୍ଟ କିଣିବା ପାଇଁ ଏକ ପ୍ରସ୍ତାବ ଉପରେ ବିଚାର କରୁଛି।
କେତେ ମାରାତ୍ମକ QRSAM ବାୟୁ ପ୍ରତିରକ୍ଷା ପ୍ରଣାଳୀ ?
QRSAM ହେଉଛି କ୍ୱିକ୍ ରିଅକ୍ସନ୍ ସର୍ଫେସ୍-ଟୁ-ଏୟାର ବାୟୁ କ୍ଷେପଣାସ୍ତ୍ର ପ୍ରଣାଳୀ । ଏହା ଏକ ସ୍ୱଦେଶୀ କ୍ଷେପଣାସ୍ତ୍ର। ଏହାକୁ ଡିଆରଡିଓ ଦ୍ୱାରା ଭାରତୀୟ ସେନା ପାଇଁ ବିକଶିତ କରାଯାଇଛି । ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ବହୁତ ଦ୍ରୁତ ଗତିରେ କାମ କରେ। ଏହା ଗତି କରିବା ସମୟରେ ମଧ୍ୟ ଶତ୍ରୁ ଡ୍ରୋନ୍ କିମ୍ବା ବିମାନଗୁଡ଼ିକୁ ଖୋଜି ଖୋଜି ଟ୍ରାକ୍ ଏବଂ ଆକ୍ରମଣ କରିବାରେ ଧୂରନ୍ଧର । ଏହାର ଷ୍ଟ୍ରାଇକ୍ ରେଞ୍ଜ ପ୍ରାୟ ୩୦ କିଲୋମିଟର । ଏମିତିକି ଛୋଟ ଛୋଟ ଷ୍ଟପ୍ ରେ ଅଟକି ଯିବା ବେଳେ ମଧ୍ୟ ଏହା ଶତ୍ରୁକୁ ଜବାବ ଦେବାରେ ସମର୍ଥ । ଫଳରେ ଏହା ଆକାଶ ଏବଂ MRSAM ଭଳି ପୂର୍ବରୁ ଥିବା ପ୍ରଣାଳୀ ସହିତ ମିଶି ଶତ୍ରୁର ବାୟୁ ଆକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିବା ସହିତ ଶତ୍ରୁମାନଙ୍କୁ ମୁହଁତୋଡ ଜବାବ ବି ଦେବ । ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ତିନୋଟି ରେଜିମେଣ୍ଟ ପାଇଁ କିଣାଯିବ। ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ବିଶେଷକରି ପଶ୍ଚିମ ଏବଂ ଉତ୍ତର ସୀମାରେ ନିୟୋଜିତ ହେବ। ଜୁନ୍ର ଚତୁର୍ଥ ସପ୍ତାହରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରେ ଏହି ଯୋଜନାକୁ ମଞ୍ଜୁରୀ ଦିଆଯିବା ନେଇ ଯୋଜନା ହୋଇଛି । ଯାହା ଭାରତର ପ୍ରତିରକ୍ଷା ପ୍ରଣାଳୀକୁ ଆହୁରି ମଜବୁତ କରିବ।
ସିନ୍ଦୂରର ପ୍ରତିଶୋଧ ନେଇଥିଲା ଭାରତର ଏହି ସବୁ କ୍ଷେପଣାସ୍ତ୍ର…
ଗତ ମେ ୭ରୁ ୧୦ ପର୍ଯ୍ୟନ୍ତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମୟରେ, ପାକିସ୍ତାନ ଦ୍ୱାରା ପଠାଯାଇଥିବା ଚୀନ୍ କ୍ଷେପଣାସ୍ତ୍ର ଏବଂ ତୁର୍କୀ ଡ୍ରୋନ୍ ପ୍ରଣାଳୀକୁ ଆକାଶରେ ହିଁ ଧ୍ୱଂସ କରିଥିଲା ଆକାଶ ମିସାଇଲ୍ । ଆକାଶ ତିର ଏକ ସ୍ୱଦେଶୀ କୃତ୍ରିମ ବୁଦ୍ଧିମତ୍ତା-ଚାଳିତ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯାହାର କାମ ହେଉଛି ନିମ୍ନ-ସ୍ତରୀୟ ବାୟୁମଣ୍ଡଳ ନିରୀକ୍ଷଣ କରିବା ଏବଂ ଭୂମିରେ ନିୟୋଜିତ ବାୟୁ ପ୍ରତିରକ୍ଷା ଅସ୍ତ୍ର ପ୍ରଣାଳୀକୁ ନିୟନ୍ତ୍ରଣ କରିବା । ଏଥିସହିତ ଭାରତୀୟ ସେନାର L-70 ଏବଂ Zu-23 ବନ୍ଧୁକ, ବାୟୁସେନାର ସ୍ପାଇଡର ଏବଂ S-400 ସୁଦର୍ଶନ ସିଷ୍ଟମ୍ ମିଶି ପଡୋଶୀ ପାକିସ୍ତାନର ସବୁ ପ୍ରୟାସକୁ ଫେଲ୍ କରିଥିଲା । ଆଉ ଏବେ ଭାରତୀୟ ସେନା ଖୁବ୍ଶୀଘ୍ର ୩୦ ହଜାର କୋଟି ଟଙ୍କାର QRSAM ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀ ନିଜ ପ୍ରତିରକ୍ଷା ସିଷ୍ଟମରେ ସାମିଲ କରିବାକୁ ଯାଉଛି । ଏଥିସହିତ ସେନା ଖୁବ୍ ଶୀଘ୍ର ନୂତନ ରାଡାର ମେସିନ୍, କ୍ଷୁଦ୍ର ଦୂରଗାମୀ କ୍ଷେପଣାସ୍ତ୍ର, ଜାମର୍ ଏବଂ ଲେଜର ସିଷ୍ଟମ୍ ପାଇବ, ଯାହା ଦ୍ୱାରା ତୁର୍କୀ ଏବଂ ଚୀନ୍ ଭଳି ଦେଶରୁ ଆସୁଥିବା ଡ୍ରୋନ୍ ବିପଦକୁ ସହଜରେ ମୁକାବିଲା କରାଯାଇପାରିବ ।
Comments are closed.