ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଠାରୁ ୩ ଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ ମୋଦି ଜୁନ୍ ୧୫ରୁ ଜୁନ୍ ୧୯ ମଧ୍ୟରେ ସାଇପ୍ରସ୍, କାନାଡା ଏବଂ କ୍ରୋଏସିଆ ଗସ୍ତ କରିବେ। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ପ୍ରମୁଖ ବିଶ୍ୱ ଅଂଶୀଦାରଙ୍କ ସହ ଭାରତର ଦ୍ୱିପାକ୍ଷିକ ଏବଂ କୁଟନୈତିକ ସହଭାଗୀତାକୁ ମଜବୁତ କରିବା।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ସାଇପ୍ରସ୍ ଯିବେ। ଏହା ପରେ ସେ କାନାଡାରେ ଜି-୭ ସମ୍ମିଳନୀରେ ଅଂଶଗ୍ରହଣ କରିବେ ଏବଂ ତା’ପରେ ସେ କ୍ରୋଏସିଆ ଯିବେ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ସାଇପ୍ରସ୍ ଗଣରାଜ୍ୟର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲିଡ୍ସଙ୍କ ନିମନ୍ତ୍ରଣରେ ଜୁନ୍ ୧୫ରେ ଦୁଇ ଦିନିଆ ସାଇପ୍ରସ୍ ଗସ୍ତ କରିବେ। ଗତ ୨ ଦଶନ୍ଧି ମଧ୍ୟରେ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସାଇପ୍ରସ୍ ଗସ୍ତ ହେବ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ନିକୋସଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ହେବ।
ସାଇପ୍ରସ୍ ପରେ ପ୍ରଧାନମନ୍ତ୍ରୀ ମୋଦି ଜୁନ୍ ୧୬ ଏବଂ ୧୭ ତାରିଖରେ କାନାଡା ଗସ୍ତରେ ଯିବେ। କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ଜି-୭ ସମ୍ମିଳନୀରେ ଯୋଗଦେବେ। ଏହି ସମ୍ମିଳନୀରେ ଫ୍ରାନ୍ସ, ଆମେରିକା, ୟୁନାଇଟେଡ୍ କିଙ୍ଗଡମ, ଜର୍ମାନୀ, ଜାପାନ, ଇଟାଲୀ ଏବଂ କାନାଡାର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିବେ।
ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଜୁନ୍ ୧୮ ତାରିଖରେ କ୍ରୋଏସିଆ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ଐତିହାସିକ ହେବ। କାରଣ ମୋଦି କ୍ରୋଏସିଆ ଗସ୍ତରେ ଯାଇଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହେବେ।
Comments are closed.