ନୂଆଦିଲ୍ଲୀ: ଦିନକୁ ଦିନ ବଢୁଛି ଇରାନ ଏବଂ ଇସ୍ରାଏଲ ସଂଘର୍ଷ । ଉଭୟ ଦେଶ ପରସ୍ପର ଉପରେ କ୍ଷେପଣାସ୍ତ୍ର ବର୍ଷା କରୁଛନ୍ତି। ଇରାନ ଏହାର ହାଇପରସୋନିକ୍ କ୍ଷେପଣାସ୍ତ୍ର ଦ୍ୱାରା ଇସ୍ରାଏଲ ଉପରେ ଆକ୍ରମଣ କରିଛି । ଯାହା ଦ୍ବାରା ବହୁତ କ୍ଷତି ସହିଛି ଇସ୍ରାଏଲ । ଇସ୍ରାଏଲର ସୁରକ୍ଷା କବଚ ଭାବେ ବିବେଚିତ ଆଇରନ ଡୋମ୍ ସିଷ୍ଟମ ମଧ୍ୟ ଏହି କ୍ଷେପଣାସ୍ତ୍ର ସମ୍ମୁଖରେ ବିଫଳ ହେଉଛି। ଇରାନର ଏହି ଘାତକ ହାଇପରସୋନିକ୍ କ୍ଷେପଣାସ୍ତ୍ର ହେଉଛି ଫତହ ଯାହା ଇସ୍ରାଏଲରେ ଧ୍ୱଂସଲୀଳା ରଚିଛି ।
କ’ଣ ଏହି ଫତହ କ୍ଷେପଣାସ୍ତ୍ର?
ନଭେମ୍ବର ୨୦୨୨ରେ, ଇରାନ ହାସନ ତେହେରାନି ମୋଗାଦ୍ଦମଙ୍କ ୧୧ ତମ ସହିଦ ବାର୍ଷିକୀ ଅବସରରେ ଫତହ ହାଇପରସୋନିକ୍ କ୍ଷେପଣାସ୍ତ୍ର ବିକାଶ ଘୋଷଣା କରିଥିଲା । ହାସନ ତେହେରାନି ମୋଗାଦ୍ଦମଙ୍କୁ ଇରାନୀ କ୍ଷେପଣାସ୍ତ୍ର ପ୍ରଯୁକ୍ତିର ଜନକ ଭାବରେ ଜଣାଯାଏ । ଫତହ ହେଉଛି ଇସଲାମିକ୍ ରିଭୋଲ୍ୟୁସନରୀ ଗାର୍ଡ (IRGC) ର ଏରୋସ୍ପେସ୍ ଫୋର୍ସ ଦ୍ୱାରା ବିକଶିତ ଏକ ହାଇପରସୋନିକ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର। ଫତହ ଅର୍ଥ ବିଜେତା । ଏହି ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ନାମକରଣ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି କରିଥିଲେ। ଏହା ଏକ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର। ଏହି କ୍ଷେପଣାସ୍ତ୍ର ପ୍ରାୟ ୧୪୦୦ କିଲୋମିଟର ଦୂରତାକୁ ଲକ୍ଷ୍ୟଭେଦ କରିବାକୁ ସକ୍ଷମ। ୨୦୨୩ ମସିହାରେ ଇରାନ ଏହାକୁ ନିଜ ସେନାରେ ସାମିଲ କରିଥିଲା। ଏହି କ୍ଷେପଣାସ୍ତ୍ରର ବିଶେଷତ୍ୱ ହେଉଛି ଏହା ଉନ୍ନତ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ମଧ୍ୟ ଚକମା ଦେବାରେ ସଂପୂର୍ଣ୍ଣ ସକ୍ଷମ ।
ଫତହ କ୍ଷେପଣାସ୍ତ୍ରର ଡିଜାଇନ୍
ଫତହ ହେଉଛି ଏକ ସଠିକ୍ ନିର୍ଦ୍ଦେଶିତ ହାଇପରସୋନିକ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଯାହା ସମସ୍ତ ପ୍ରକାରର ପ୍ରତିରକ୍ଷା ଢାଲ ଭେଦ କରିବାକୁ ସକ୍ଷମ। ଏହି କ୍ଷେପଣାସ୍ତ୍ର ଆମେରିକା ଏବଂ ଇସ୍ରାଏଲର ଉନ୍ନତ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ମଧ୍ୟ ଭେଦ କରିବାକୁ ସକ୍ଷମ। ଇସ୍ରାଏଲର ଆଇରନ୍ ଡୋମ୍ ମଧ୍ୟ ଏହାର ଶକ୍ତି ଆଗରେ ବିଫଳ ହୋଇଛି। ଏହାକୁ ଯେକୌଣସି ସମୟରେ ଯେକୌଣସି ଦିଗରେ ପଠାଯାଇପାରିବ। ଏହା ଶବ୍ଦର ଗତି ତୁଳନାରେ ୫ ଗୁଣ ଅଧିକ ବେଗରେ ଯାଇପାରିବ, ଯାହା ଥରେ ଷ୍ଟାଟ୍ ହେଲେ ବନ୍ଦ କରିବା ଅତ୍ୟନ୍ତ ଚ୍ୟାଲେଞ୍ଜିଂ। ଏହା ରାଡାରରେ ସହଜରେ ଦୃଶ୍ୟମାନ ହୁଏ ନାହିଁ। ଉପର ବାୟୁମଣ୍ଡଳର ଘର୍ଷଣ ଯୋଗୁଁ ଏହା ଅସାଧାରଣ ଭାବରେ ଉଚ୍ଚ ତାପମାତ୍ରା ସୃଷ୍ଟି କରେ। କ୍ଷେପଣାସ୍ତ୍ରର ଉଚ୍ଚ ଗତି ଅତ୍ୟନ୍ତ ଗରମ କଣିକାର ଏକ ସର୍କଲ ସୃଷ୍ଟି କରେ, ଯାହା ରେଡିଓ ଯୋଗାଯୋଗର ପ୍ରସାରଣରେ ବାଧା ସୃଷ୍ଟି କରେ।
ଫତହ କ୍ଷେପଣାସ୍ତ୍ରର ବୈଶିଷ୍ଟ୍ୟ
ଏହି କ୍ଷେପଣାସ୍ତ୍ର ମାକ୍ ୧୩ ଏବଂ ମାକ୍ ୧୫ ଯାହା ୧୫,୦୦୦ କିମି/ଘଣ୍ଟା ବେଗରେ ଲକ୍ଷ୍ୟସ୍ଥଳକୁ ଆକ୍ରମଣ କରିପାରିବ ଏବଂ ଏହାର ପରିସର ୧୪୦୦ କିମି (୮୭୦ ମାଇଲ୍) ରହିଛି। କ୍ଷେପଣାସ୍ତ୍ରର ପରିସର ୨୦୦୦ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଆଶା କରାଯାଉଛି। ଫତହ କ୍ଷେପଣାସ୍ତ୍ର ପ୍ରଣାଳୀରେ ଏକ ମୋବାଇଲ୍ ନୋଜଲ୍ ଅଛି, ଯାହା ଅପରେଟରକୁ କ୍ଷେପଣାସ୍ତ୍ରର ଗତିପଥକୁ ନିୟନ୍ତ୍ରଣ କରିବା ଏବଂ ଏହାକୁ ବିଭିନ୍ନ ଦିଗରେ ନିର୍ଦ୍ଦେଶିତ କରିବାର କ୍ଷମତା ଦିଏ। ଏହା ଲଞ୍ଚ ସମୟରେ ବାୟୁରେ ଏହାର ଗତି ମଧ୍ୟ ପରିବର୍ତ୍ତନ କରିପାରିବ। ଏହା ବାମ ଏବଂ ଡାହାଣ, ଉପରକୁ ଏବଂ ତଳକୁ ଗତି କରିପାରିବ। ଏହା ଉପର ବାୟୁମଣ୍ଡଳ ମଧ୍ୟରେ ଘୁରିପାରିବ ।
ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର
ଇରାନ ଏହାର ସୁରକ୍ଷା ବୃଦ୍ଧି କରିବା ଲକ୍ଷ୍ୟରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ଏକ ଶୃଙ୍ଖଳା ବିକଶିତ କରିଛି। ଏଥିରେ ଫତହ ସିରିଜ୍ ମଧ୍ୟରେ ଅନେକ କ୍ଷୁଦ୍ର ଦୂରଗାମୀ କଠିନ ଇନ୍ଧନଯୁକ୍ତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଯେପରିକି ଫତାହ-୧୧୦ ଏବଂ ଫତାହ-୩୧୩ ଅନ୍ତର୍ଭୁକ୍ତ। ସେହିପରି, ଜୋଲଫାଘର କିମ୍ବା କାସେମ୍ ମଧ୍ୟ ଫତାହର ଏକ ଉନ୍ନତ ସଂସ୍କରଣ। ଇମାଦ ତରଳ ଇନ୍ଧନଯୁକ୍ତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ହେଉଛି ଦେଶର ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର। ଏହା ଉତ୍ତମ ସଠିକତା ପାଇଁ ଡିଜାଇନ୍ କରାଯାଇଥିବା ଏକ ନୂତନ ଯୁଦ୍ଧାସ୍ତ୍ର ସହିତ ସଜ୍ଜିତ ଏବଂ ଏହାର ପରିସର ୧୭୦୦ କିଲୋମିଟର । ସେହିପରି ଇରାନର ପ୍ରଥମ ହାଇପରସୋନିକ୍ କ୍ଷେପଣାସ୍ତ୍ର ଫତହ-୧ ବ୍ୟତୀତ ଫତହ ୨, ସେଜିଲ୍: ଯାହା ଅତ୍ୟନ୍ତ ଘାତକ କ୍ଷେପଣାସ୍ତ୍ର, ଖେବର, ଗଦର-୧୧୦, ଫଜର-୩, ସାହାବ-୩, ଆଶୁରା, ଇମାଦ, ହାଜ କାସିମ୍, ସାହାବ-୩ ଭଳି ଘାତକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ରଖିଛି ଇରାନ । ଯାହା ଆଗକୁ ଇସ୍ରାଏଲ ଏବଂ ଇରାନର ଉତ୍ତେଜନାକୁ ଏକ ଭୟଭଙ୍କର ଭୟଙ୍କର ପରିଣାମ ଦେବ ବୋଲି ଆଶଙ୍କା ସୃଷ୍ଟି କରିଛି ।
‘ଫତହ’ ଆଗରେ ଫେଲ୍ ‘ଆଇରନ୍ ଡୋମ୍’
ଇରାନ ରିଭୋଲ୍ୟୁସନରୀ ଗାର୍ଡର ପୂର୍ବତନ ଏରୋସ୍ପେସ୍ କମାଣ୍ଡର ବ୍ରିଗେଡିୟର ଜେନେରାଲ ଆମିର ଅଲି ଅଜିଜାଦେହ ଇରାନ ହାଇପରସୋନିକ୍ ପ୍ରଯୁକ୍ତିବିଦ୍ୟା ସହିତ ଚତୁର୍ଥ ଦେଶ ବୋଲି ଦାବି କରିଥିଲେ । ଆଉ ଇସ୍ରାଏଲ ସହିତ ଯୁଦ୍ଧରେ, ଇରାନ ସମଗ୍ର ବିଶ୍ୱକୁ ଏହାର କ୍ଷେପଣାସ୍ତ୍ରର ଘାତକତା ସହିତ ପରିଚିତ କରାଇଛି। ଆଇରନ ଡୋମ୍ ଭଳି ଇସ୍ରାଏଲର କ୍ଷେପଣାସ୍ତ୍ର ପ୍ରତିରୋଧୀ ପ୍ରଣାଳୀ ମଧ୍ୟ ଇରାନର ହାଇପରସୋନିକ୍ କ୍ଷେପଣାସ୍ତ୍ର ସମ୍ମୁଖରେ ଅସହାୟ ପ୍ରମାଣିତ ହେଉଛି । ତେବେ ଏହା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ଇରାନ ୧ ଅକ୍ଟୋବର, ୨୦୨୪ ରେ ଇସ୍ରାଏଲ ଉପରେ ଆକ୍ରମଣରେ ଫତାହ ହାଇପରସୋନିକ୍ କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା ।
Comments are closed.