Latest Odisha News

BREAKING NEWS

୨୦୨୫ରେ ହେବ କି ପରମାଣୁ ବିସ୍ଫୋରଣ?

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଇରାନ୍-ଇସ୍ରାଏଲ୍ ମଧ୍ୟରେ ଉତ୍ତେଜନା ଚରମରେ ରହିଛି । ଏହା ପଛରେ କାରଣ ହେଉଛି, ପରମାଣୁ ହତିଆର । ପରମାଣୁ ଶକ୍ତି ହାସଲ କରିବାକୁ ଚାହୁଁଛି ଇରାନ, ହେଲେ ଇସ୍ରାଏଲ୍ ଏହା କରାଇ ଦେବାକୁ ଚାହୁଁନି । ଉଭୟ ଦେଶ ମଧ୍ୟରେ ଘମାଘୋଟ ସଂଘର୍ଷ ମଧ୍ୟରେ ଇରାନ ବି ଇସ୍ରାଏଲକୁ କଡା ଜବାବ ଦେଉଛି । ଏପରିକି ଦେଶ ନ୍ୟୁକ୍ଲିୟାର ନନ୍ ପ୍ରୋଲିଫିକେସନ୍ ଟ୍ରିଟି ବା ଏନପିଟିରୁ ବାହାରିବାକୁ ଉଦ୍ୟମ କରୁଥିବା କୁହାଯାଉଛି। ସେପଟେ ଲଗାତର ଇରାନର ପରମାଣୁ ଠିକଣା ଓ ପରମାଣୁ ବୈଜ୍ଞାନିକଙ୍କୁ ଟାର୍ଗେଟ୍ କରୁଛି ଇସ୍ରାଏଲ୍ । ତେବେ ପ୍ରଶ୍ନ ଉଠୁଛି, ଦୁଇ ଦେଶର ଯୁଦ୍ଧ କେତେ ଆଗକୁ ଯିବ? ପୁଣି ବିଶ୍ବକୁ ପରମାଣୁ ବୋମାର ବିଭୀଷିକାର ସାମନା କରିବାକୁ ପଡିବ କି?

ପରମାଣୁ ଶକ୍ତି ହେବାର କେତେ ନିକଟତର ଇରାନ?

ତେହେରାନରେ ସମସ୍ତ ପ୍ରସ୍ତୁତି ସରିଛି, ପ୍ରାୟ୧୫ଦିନ ମଧ୍ୟରେ ଇରାନ ପାଖରେ ପରମାଣୁ ହତିଆର ଆସିଯିବ ବୋଲି ଗତ ସପ୍ତାହରେ କହିଥିଲା ଇରାନ । ତେବେ ଇରାନକୁ ପରମାଣୁ ଶକ୍ତି ହେବାରୁ ରୋକିବାକୁ ଏହା ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ୍ । ହମଲା ଏବେ ଯୁଦ୍ଧର ରୂପ ନେଇସାରିଛି । ଏହାମଧ୍ୟରେ ଇରାନ ଖୁବ୍ ଶୀଘ୍ର ଏନପିଟି ବା ହତିଆର ପ୍ରସ୍ତୁତିରୁ ରୋକୁଥିବା ସନ୍ଧିରୁ ବାହାରି ଯାଇପାରେ ବୋଲି କୁହାଯାଉଛି । ଏନେଇ ଇରାନ ବିଧିବଦ୍ଧ ବୟାନ ଦେଇନଥିଲେ ବି ସଂସଦରେ ଏନେଇ ଆଲୋଚନା ହୋଇଛି । ସେପଟେ ତେହେରାନ ସନ୍ଧିର ସର୍ତ୍ତ ଭାଙ୍ଗୁଥିବା ଇଣ୍ଟରନ୍ୟାସନାଲ ଆଟମିକ ଏନର୍ଜି ଏଜେନ୍ସି ବା ଆଇଏଇଏ ଅଭିଯୋଗ କରିଛି ।

ଇରାନ ପାଇଁ ବୁମେରାଂ ହେବ ପରମାଣୁ ହତିଆର !

ଇରାନର ପରମାଣୁ କାର୍ଯ୍ୟକ୍ରମ ଦେଶ ପାଇଁ ବୁମେରାଂ ହୋଇପାରେ । ଇସ୍ରାଏଲ ଲଗାତର ନତାଞ୍ଜ ଓ ଇସ୍ଫହାନ ଭଳି ଠିକଣାକୁ ଟାର୍ଗେଟ୍ କରୁଛି। ଫଳରେ ଇରାନର ପରମାଣୁ କାର୍ଯ୍ୟକ୍ରମ ବହୁ ବର୍ଷ ପଛକୁ ଚାଲି ଯାଇଥିବା କୁହାଯାଉଛି । ଯଦି ଇସ୍ରାଏଲ୍ ଇସ୍ଫହାନରେ ୟୁରାନିୟମ ଭଣ୍ଡାରକୁ ନିଶାନା ବନାଏ, ତେବେ ଏହା ଡାର୍ଟି ବମ୍ ଭଳି ପ୍ରଭାବ ପକାଇପାରେ । ଏଥିରେ ଇରାନର ଜନତା ଓ ପରିବେଶ କ୍ଷତି ସହିପାରନ୍ତି । ଆଇଏଇଏ ଇରାନ ସନ୍ଧିର ସର୍ତ୍ତ ଉଲ୍ଲଂଘନ କରିଥିବା କହୁଛି । ଯଦି ଇରାନ ଏନପିଟିରୁ ବାହାରିଯାଏ, ତେବେ ଦେଶକୁ କଟକଣାର ସାମନା କରିବାକୁ ପଡିପାରେ । ଏହାର ସିଧାସଳଖ ପ୍ରଭାବ ଇରାନର ଅର୍ଥବ୍ୟବସ୍ଥା ଉପରେ ପଡିବ । ପୂର୍ବରୁ ଆର୍ଥିକ ସମସ୍ୟା ସହ ଯୁଝୁଥିବା ଇରାନର ପରମାଣୁ କାର୍ଯ୍ୟକ୍ରମ ନଷ୍ଟ ହେଲେ ବିଲିୟନ ଡଲାରର ନିବେଶ ବେକାର ଯିବ । ଫଳରେ ସାମାଜିକ ଅଶାନ୍ତି ବଢିପାରେ ।

୨୦୨୫ରେ ହେବ କି ପରମାଣୁ ବିସ୍ଫୋରଣ?

ଇସ୍ରାଏଲ୍ ଓ ଇରାନ ମଧ୍ୟରେ ଜୋରଦାର ଯୁଦ୍ଧ ହେଉଥିବା ବେଳେ ପରମାଣୁ ଯୁଦ୍ଧ ନେଇ ଆଶଙ୍କା ଦେଖାଦେଇଛି । ଅତ୍ୟଧିକ ବିପଦ ସ୍ଥିତିରେ ହିଁ ଇସ୍ରାଏଲ୍ ପରମାଣୁ ବିକଳ୍ପ ଉପରେ ବିଚାର କରିପାରେ ବୋଲି ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି । ତେବେ ଆମେରିକାର ମଂଜୁରୀ ବିନା ପରମାଣୁ ହତିଆର ବ୍ୟବହାର କରିବନି ଇସ୍ରାଏଲ୍ । ତେବେ ବର୍ତ୍ତମାନ ସ୍ଥିତିରେ ପରମାଣୁ ଆକ୍ରମଣ ଆଶଙ୍କାକୁ ଏଡାଇ ଦିଆଯାଇପାରିବନି । ସେପଟେ ଆମେରିକାର ଏକ ଓ୍ବେବସାଇଟରେ ଚଳିତ ବର୍ଷ ପରମାଣୁ ବିସ୍ଫୋରଣ ହେବ କି ନାହିଁ, ସେନେଇ କୋଟି କୋଟି ଟଙ୍କାର ସଟ୍ଟା କରାଯାଉଛି । ପ୍ରଶ୍ନର ଉତ୍ତରରେ ହଁ କିମ୍ବା ନା କହିବା ସହ ପଇସା ଲଗାଉଛନ୍ତି ଲୋକେ । ୨୦୨୫ ଡିସେମ୍ବର ୩୧ ସୁଦ୍ଧା ବିଶ୍ବର କୌଣସି ସ୍ଥାନରେ ପରମାଣୁ ବିସ୍ଫୋରଣ ହେବ କି ନାହିଁ, ସେନେଇ ଅନୁମାନ ଲଗାଉଛନ୍ତି ଲୋକେ । ଏହି ସମୟ ସୀମା ମଧ୍ୟରେ ପରମାଣୁ ଆକ୍ରମଣ, ଯୁଦ୍ଧରେ ପରମାଣୁ ହତିଆରର ବ୍ୟବହାର କିମ୍ବା କେବଳ ପରମାଣୁ ପରୀକ୍ଷଣ ହେଲେ ବି ତାକୁ ହଁରେ ଗଣାଯିବ । ତେବେ ଆମେରିକାର ଏଭଳି ସଟ୍ଟା ବଜାର ନେଇ ସୋସିଆଲ୍ ମିଡିଆରେ ପ୍ରଶ୍ନ ଉଠାଇଛନ୍ତି ୟୁଜର୍ସ । ଯୁଦ୍ଧ ପରି ସମ୍ବେଦନଶୀଳ ପ୍ରସଙ୍ଗରୁ ବି ଟଙ୍କା ବନାଇବାକୁ ଆମେରିକୀୟ କମ୍ପାନୀ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି ।

Comments are closed.