Latest Odisha News

BREAKING NEWS

ପାକିସ୍ତାନରେ ସେନା ବେସ୍ କରିବ ଆମେରିକା !

ନୂଆଦିଲ୍ଲୀ: ବଦଳୁଛି ଆମେରିକାର ନୀତି ! ପାକିସ୍ତାନ ସେନା ମୁଖ୍ୟଙ୍କ ସହ ଟ୍ରମ୍ପଙ୍କ ମିଟିଂ । ବନ୍ଦ ଘରେ ଭୋଜନ, ସିକ୍ରେଟ୍ ମିଟିଂ ! ପାକିସ୍ତାନକୁ ନେଇ କାହିଁକି ବଦଳୁଛି ଆମେରିକାର ସ୍ବର? ୨୦୧୮ରେ ନିଜ ପ୍ରଥମ କାର୍ଯ୍ୟକାଳ ବେଳେ ପାକିସ୍ତାନକୁ ଟାର୍ଗେଟ କରୁଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଆମେରିକା ଅକାରଣରେ ଗତ ୧୫ବର୍ଷ ମଧ୍ୟରେ ପାକିସ୍ତାନକୁ ୩୩ବିଲିୟନ ଡଲାରରୁ ଅଧିକ ସହାୟତା କରିଥିବା ବେଳେ ଆତଙ୍କବାଦୀଙ୍କୁ ଶରଣ ଦେଇଥିଲା ପାକିସ୍ତାନ । ଏହାପରେ ଟ୍ରମ୍ପ ପ୍ରଶାସନ ପକ୍ଷରୁ ପାକିସ୍ତାନକୁ ଦିଆ ଯାଉଥିବା ସୁରକ୍ଷା ସହାୟତା ବନ୍ଦ କରାଯାଇଥିଲା । ଟ୍ରମ୍ପଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ବିଦେଶ ନୀତି ଓ କ୍ଷତ୍ରିୟ ସମୀକରଣରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ତେବେ ଏହା ପଛରେ ଆମେରିକାର ବଡ଼ ରଣନୀତି ରହିଥିବା କୁହାଯାଉଛି ।

କାହିଁକି ବଦଳିଲା ଆମେରିକାର ସ୍ବର ?

ପୂର୍ବରୁ ଆମେରିକାର ସେଣ୍ଟ୍ରାଲ କମାଣ୍ଡର ପ୍ରମୁଖ ଜେନେରାଲ ମାଇକଲ କୁରିଲ୍ଲା ପାକିସ୍ତାନକୁ ନେଇ ସକାରାତ୍ମକ ବୟାନ ଦେଇଥିଲେ । ପାକିସ୍ତାନକୁ ଆତଙ୍କବାଦ ବିରୋଧୀ କ୍ଷେତ୍ରର ଅସାଧାରଣ ସହଯୋଗୀ କହିଥିଲେ । ଦିନେ ଆତଙ୍କବାଦୀଙ୍କୁ ଶରଣ ଦେଉଥିବା ଦେଶ କହି ପାକିସ୍ତାନକୁ ଟାର୍ଗେଟ୍ କରୁଥିବା ଟ୍ରମ୍ପ ଏବେ ନିଜେ ସେଇ ଦେଶର ସେନା ମୁଖ୍ୟଙ୍କ ସହ ରୁଦ୍ଧଦ୍ବାର ବୈଠକ କରୁଛନ୍ତି । ତେବେ ଏହା ପଛରେ ଆମେରିକାର ବଡ଼ ରଣନୀତି ରହିଛି । କୁହାଯାଉଛି, ପାକିସ୍ତାନରେ ମିଲିଟ୍ରି ବେସ୍ ସ୍ଥାପନ କରିପାରେ ଆମେରିକା । ଏଥିରୁ ଆମେରିକାକୁ ବିଭିନ୍ନ ଆଡୁ ଲାଭ ମିଳିପାରେ । ବିଶେଷ କରି ଶତ୍ରୁ ଦେଶ ଇରାନ ସହ ଇସ୍ରାଏଲର ଯୁଦ୍ଧ ଚାଲିଥିବା ବେଳେ ମିଲିଟ୍ରି ବେସ୍ ଆମେରିକା ପାଇଁ ଲାଭପ୍ରଦ ହୋଇପାରେ ।

ଇରାନ୍ ଉପରେ ଆମେରିକାର ନଜର

ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମରେ ରହିଛି । ହମାସ ସହ ଲଢୁଥିବା ଇସ୍ରାଏଲ୍ ଏବେ ଇରାନ ସହ ମୁହାଁମୁହିଁ ହୋଇଛି । ଇସ୍ରାଏଲ୍ ସମର୍ଥନରେ ଆମେରିକା ସହ ସମସ୍ତ ପଶ୍ଚିମ ଦେଶ ରହିଛନ୍ତି । କୌଣସି ସ୍ଥିତିରେ ଇରାନ ପରମାଣୁ ହତିଆର ବନାଇ ପାରିବନି, ସେନେଇ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି । ଏପରିକି ଯୁଦ୍ଧରେ ଆମେରିକା ସିଧାସଳଖ ସାମିଲ ହୋଇପାରେ ବୋଲି ବି କୁହାଯାଉଛି । ଏଭଳି ସ୍ଥିତିରେ ପାକିସ୍ତାନରେ ସେନା ବେସ୍ ସ୍ଥାପନ କରି ଇାରାନର ପୂର୍ବ ସୀମାରେ ନିଜ ଉପସ୍ଥିତି ଜାହିର କରିପାରେ ଆମେରିକା। ଯାହାଦ୍ବାରା ତୃଣମୂଳସ୍ତରରୁ ଗୁଇନ୍ଦା ତଥ୍ୟ ସଂଗ୍ରହ ସହ ଆବଶ୍ୟକସ୍ଥଳେ ସେନା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି କରିପାରିବ ।

ଚୀନକୁ ଚେକ୍ ଦେବାକୁ ପ୍ଲାନ୍

ଆମେରିକା ମୁକ୍ତ ଓ ସ୍ବଧୀନ ଇଣ୍ଡୋ-ପାସିଫିକ ଅଞ୍ଚଳ ପାଇଁ ଚୀନକୁ ବିପଦ ମନେ କରୁଛି । ଏହି ବିପଦକୁ କାଉଣ୍ଟର କରିବା ହିଁ କ୍ବାଡର ମୁଖ୍ୟ ଉଦ୍ଦେଶ୍ୟ । ସମୁଦ୍ର ସହ ସ୍ଥଳଭାଗରେ ବେଲଟ ଆଣ୍ଡ ରୋଡ୍ ପ୍ରକଳ୍ପ ଦ୍ବାରା ଚୀନ ନିଜ ସ୍ଥିତି ମଜବୁତ କରୁଥିବା ବେଳେ ଆମେରିକାର ଚିନ୍ତା ବଢିଛି । ପ୍ରକଳ୍ପର ବଡ଼ ଅଂଶ ଚୀନ୍ ପାକିସ୍ତାନ ଇକୋନୋମିକ କରିଡର ପାକିସ୍ତାନର ଗ୍ବାଦର ପୋର୍ଟ ଦେଇ ଯାଉଛି । ତେବେ ପାକିସ୍ତାନ ସଂପୂର୍ଣ୍ଣ ଭାବେ ଚୀନ ନିୟନ୍ତ୍ରଣରେ ରହୁ, ତାହା ଆମେରିକା ଚାହୁଁନି । ଏଭଳି ସ୍ଥିତିରେ ପାକିସ୍ତାନରେ ସେନା ଉପସ୍ଥିତି ଦ୍ବାରା ଚୀନକୁ ଚ୍ୟାଲେଞ୍ଜ ଦେଇପାରେ ଆମେରିକା ।

ପୁଣି ଆତଙ୍କବାଦ ମୁଣ୍ଡ ଟେକିବା ଆଶଙ୍କା

ଆଫଗାନିସ୍ତାନରୁ ଆମେରିକା ଯିବା ପରଠୁ ପୂରା କ୍ଷେତ୍ରରେ ଦେଶର ସେନା ଉପସ୍ଥିତି ଶେଷ ହୋଇଯାଇଛି । କାବୁଲରେ ଏବେ ତାଲିବାନ ଶାସନ ରହିଛି । ତେଣୁ ଏହି ଅଞ୍ଚଳରେ ପୁଣି ଆତଙ୍କବାଦ ମୁଣ୍ଡ ଟେକିବା ନେଇ ଆଶଙ୍କା କରୁଛି ଆମେରିକା । ପାକିସ୍ତାନରେ ସେନା ବେସ୍ ହେଲେ ଆମେରିକା ଆଫଗାନିସ୍ତାନ ଉପରେ ନଜର ରଖିପାରିବ । ଏହାସହ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ରୋକିବାରେ ସହାୟତା ମିଳିବ । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଓ ସେନା ଉପରେ ବି ଆତଙ୍କବାଦ ବିରୋଧୀ ଆକ୍ସନ୍ ନେବା ନେଇ ଚାପ ସୃଷ୍ଟି କରାଯାଇପାରିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ ଆଲୋଚନା କରିଛନ୍ତି ଡୋନାଲଡ ଟ୍ରମ୍ପ । ଉଭୟଙ୍କ ମଧ୍ୟରେ ୩୫ମିନିଟ ଧରି ଆତଙ୍କବାଦ, ଅପରେସନ ସିନ୍ଦୂର ନେଇ ଆଲୋଚନା ହୋଇଛି । ତେବେ ଭାରତ କେବେବି ମଧ୍ୟସ୍ଥତାକୁ ସ୍ବୀକାର କରିନି କି ଆଗକୁ ବି କରିବ ନାହିଁ ବୋଲି ମୋଦି କହିଛନ୍ତି । ଟ୍ରମ୍ପ ଆତଙ୍କବାଦ ବିରୋଧୀ ଲଢେଇରେ ସମର୍ଥନ ଜଣାଇଛନ୍ତି । ଭାରତ ଆମେରିକା ଆଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ ରଖିଛି । ତେବେ ରାଜନୈତିକ ଅସ୍ଥିରତା ଓ ଆର୍ଥିକ ସଂକଟ ସହ ଯୁଝୁଥିବା ପାକିସ୍ତାନରେ ସେନା ବେସ୍ ସ୍ଥାପନ କରିବା ଆମେରିକା ପାଇଁ ସହଜ ।

Comments are closed.