ନୂଆଦିଲ୍ଲୀ: ଇରାନ ଓ ଇସ୍ରାଏଲ୍ ମଧ୍ୟରେ ଘମାଘୋଟ ସଂଘର୍ଷ ଜାରି ରହିଛି। ଏହା ମଧ୍ୟରେ ଇସ୍ରାଏଲର ସେନା ଅଧିକାରୀ ଓ ବୈଜ୍ଞାନିକଙ୍କୁ ଲଗାତର ନିଶାନା କରୁଛି ଇସ୍ରାଏଲ୍। ଏବେ ଇରାନର ସୁପ୍ରିମ ଲିଡର ଖୋମେନେଇଙ୍କୁ ଶେଷ କରିବାକୁ କହୁଛି। ସେପଟେ ଇସଲାମିକ ରିପବ୍ଲିକର ବିରୋଧୀ ଗୋଷ୍ଠୀ ମଧ୍ୟ ଖୋମେନେଇଙ୍କ ଶାସନ ଶେଷ ହୋଇପାରେ ବୋଲି ଚର୍ଚ୍ଚା କରୁଛନ୍ତି। ତେବେ ପ୍ରଶ୍ନ ଉଠୁଛି, ଯଦି ଖୋମେନେଇ ଶାସନର ଅନ୍ତ ହୁଏ, ତେବେ ଇରାନରେ କ’ଣ ହେବ ? ପୁଣି ରଜା ପହଲବୀ ସମର୍ଥକଙ୍କ ହାତକୁ ଆସିବ କି କ୍ଷମତା? ଖୋମେନେଇଙ୍କ ପରେ ବିଭାଜିତ ହେବ କି ଇରାନ ?
ଇରାନରେ ଅଧିକ ଜନସଂଖ୍ୟା ଶିୟା ମୁସଲିମ
ଖୋମେନେଇଙ୍କ ଶାସନର ଅନ୍ତ ହେଲେ ଇରାନ ବିଭାଜନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏହାପଛର କାରଣ ହେଉଛି ଇରାନର ଧାର୍ମିକ ସମୀକରଣ। ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଇରାନର ଜନସଂଖ୍ୟା 2023 ମଧ୍ୟ ସୁଦ୍ଧା 87.6 ମିଲିୟନ ରହିଥିଲା। ଦେଶର ଜନସଂଖ୍ୟାର 99.4ପ୍ରତିଶତ ମୁସଲିମ। ଏମାନଙ୍କ ମଧ୍ୟରୁ 90ରୁ 95ପ୍ରତିଶତ ଶିୟା ଓ 5ରୁ 10ପ୍ରତିଶତ ସୁନ୍ନି ମୁସଲିମ। ଇରାନର ଅଧିକାଂଶ ସୁନ୍ନି ତୁର୍କମେନ, ଆରବ, ବଲୁଚ ଓ କୁର୍ଦ୍ଦ ଅଞ୍ଚଳରେ ବସବାସ କରନ୍ତି। ସେହିପରି ଆଫଗାନ ଶରଣାର୍ଥୀ ଓ ଅନ୍ୟ ପ୍ରବାସୀ ମଧ୍ୟ ସୁନ୍ନି ଜନସଂଖ୍ୟାର ବଡ଼ ଅଂଶ।
ଜନସଂଖ୍ୟାର ୬୧ ପ୍ରତିଶତ ପାର୍ସୀ
ଇରାନ ଜନସଂଖ୍ୟାରେ ଧର୍ମକୁ ଛାଡିଦେଲେ ଅଲଗା ଭାଷା ଓ ସଂସ୍କୃତିର ଲୋକ ମଧ୍ୟ ବସବାସ କରନ୍ତି। ଇରାନରେ ସର୍ବାଧିକ ଜନସଂଖ୍ୟା ରହିଛି ପାର୍ସୀ ସମୁଦାୟର। ଦେଶରେ ପାର୍ସୀଙ୍କ ଜନସଂଖ୍ୟା ପ୍ରାୟ 61ପ୍ରତିଶତ ରହିଥିବା ବେଳେ ସେମାନଙ୍କ ଜନସଂଖ୍ୟା ଦେଶର ମଧ୍ୟ, ଦକ୍ଷିଣ ଓ ପୂର୍ବରେ ଅଧିକ ରହିଛି। ଅନୁବଂଶିକ ଭାବେ ଦେଖିଲେ ପାର୍ସୀଙ୍କ ସହ ଘନିଷ୍ଠ ତାଜିକ। ଇରାନରେ ପ୍ରାୟ 17.5 ମିଲିୟନ ଅଜରବୈଜାନୀ ଓ 10ମିଲିୟନ କୁର୍ଦ୍ଦ ଇରାନରେ ବସବାସ କରନ୍ତି। ଦେଶର ସିସ୍ତାନ ଓ ବଲୁଚିସ୍ତାନରେ ବହୁସଂଖ୍ୟକ ବଲୋଚ ରୁହନ୍ତି। କେରମାନ, ଦକ୍ଷିଣ ଖେରସାନ ଓ ହୋର୍ମୋଜଗାନରେ ବି କିଛି ସଂଖ୍ୟାରେ ବଲୋଚ ରହିଛନ୍ତି। ତେବେ ଇରାନରେ ଅଳ୍ପସଂଖ୍ୟକ ହେଉଛନ୍ତି ଆରବ। ମୋଟ୍ ଜନସଂଖ୍ୟାର ପ୍ରାୟ 2ପ୍ରତିଶତ ରହିଛନ୍ତି ଆରବ। ସେହିପରି ତୁର୍କମେନିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ବସବାସ କରନ୍ତି ତୁର୍କମେନ।
ବିଭାଜିତ ହେବ କି ଇରାନ ?
ଇରାନର ଅଧାରୁ ଅଧିକ ଜନସଂଖ୍ୟା ପାର୍ସୀ ହୋଇଥିବା ବେଳେ ବଲୋଚ, କୁର୍ଦ୍ଦ ଓ ଆରବ ରହିଛନ୍ତି। ଇସ୍ରାଏଲ୍ ସହ ସଂଘର୍ଷ ମଧୟରେ ଖୋମେନେଇ ଶାସନର ଅନ୍ତ ହେଲେ ଏହାର ପ୍ରଭାବରେ ଦେଶରେ ବିଭାଜନ ହୋଇପାରେ। କିଛି ଦିନ ତଳେ ଦେଶର ନିର୍ବାସିତ ନେତା ଇମାନ ଫୋରୋଉତାନ ଏନେଇ ଆଶଙ୍କା ପ୍ରକାଶ କରିଥିଲେ। କ୍ଷମତା ପରିବର୍ତ୍ତନ ପରେ ଇରାନ ବିଭାଜିତ ହୋଇପାରେ ବୋଲି ସେ କହିଥିଲେ। ଉତ୍ତର-ପଶ୍ଚିମ ଇରାନରେ ବସବାସ କରୁଥିବା କୁର୍ଦ୍ଦ ପରିସ୍ଥିତର ଫାଇଦା ଉଠାଇପାରନ୍ତି ବୋଲି ସେ କହିଥିଲେ।
Comments are closed.