Latest Odisha News

BREAKING NEWS

ଓଡିଶାରେ ଅସୁରକ୍ଷିତ ଆମେରିକୀୟ?

ଭୁବନେଶ୍ବର/ନୂଆଦିଲ୍ଲୀ: ଓଡିଶାକୁ ଯାଅ ନାହିଁ ଆମେରିକୀୟ । ଭାରତରେ ସୁରକ୍ଷିତ ନାହାନ୍ତି ଆମେରିକୀୟ ମହିଳା । ଭାରତର ରାଜ୍ୟକୁ ନଯିବାକୁ ମହିଳା ନାଗରିକଙ୍କୁ ଜାରି ହେଲା ଆଡଭାଇଜରି । କିଛି ଏପରି ସତର୍କତା ଜାରି କରି ଆମେରିକାର ବୈଦେଶିକ ବିଭାଗ ଭାରତ ଗସ୍ତ କରୁଥିବା ଏହାର ନାଗରିକଙ୍କ ପାଇଁ ଏକ ଲେଭଲ ୨ ଟ୍ରେଭେଲ୍ ଚେତାବନୀ ଜାରି କରିଛି । ବିଶେଷ କରି ମହିଳା ନାଗରିକଙ୍କ ପାଇଁ, ଯେଉଁଥିରେ ଭାରତରେ ଅପରାଧ ଏବଂ ଆତଙ୍କବାଦତା ବଢୁଥିବା ହେତୁ ଆମେରିକୀୟ ନାଗରିକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ଆମେରିକା । ଯାହା ଏବେ ସାରା ଦେଶକୁ ଆଶ୍ଚର୍ଯ୍ୟ କରିଛି । ଆଉ ସବୁଠୁ ବଡ କଥା ହେଉଛି ଏଥିରେ ଆମେରିକା ବୈଦେଶିକ ବିଭାଗ ମୋଟ ୬ଟି ରାଜ୍ୟକୁ ନଯିବାକୁ ମନା କରିଥିବା ବେଳେ ଏଥିରେ ଓଡିଶା ରହିଛି । ଯେଉଁଠି ବର୍ତ୍ତମାନ ଗୋପାଳପୁର ବନ୍ଦରରେ ହୋଇଥିବା ଗଣଦୁଷ୍କର୍ମ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

କ’ଣ କହିଲା ଆମେରିକା?

ଆମେରିକା ଭାରତ ପାଇଁ ଏକ ସ୍ତର-୨ ଯାତ୍ରା ପରାମର୍ଶ ଜାରି କରିଛି, ଯେଉଁଥିରେ ଅପରାଧ ଏବଂ ଆତଙ୍କବାଦ ବିପଦ ଯୋଗୁଁ ଯାତ୍ରୀମାନଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଜୁନ୍ ୧୬ ତାରିଖରେ ଆମେରିକାର ବିଦେଶ ବିଭାଗ ଦ୍ୱାରା ଜାରି କରାଯାଇଥିବା ଏହି ଚେତାବନୀ ଦେଶର କିଛି ସ୍ଥାନରେ ବଢ଼ୁଥିବା ସୁରକ୍ଷା ଚିନ୍ତାକୁ ଅଧିକ ହାଇଲାଇଟ୍ କରିଛି । କହିଛି, ବଳାତ୍କାର ହେଉଛି ଭାରତରେ ସବୁଠାରୁ ଦ୍ରୁତ ଗତିରେ ବଢ଼ୁଥିବା ଅପରାଧ ମଧ୍ୟରୁ ଗୋଟିଏ। ଯୌନ ଆକ୍ରମଣ ସମେତ ହିଂସାତ୍ମକ ଅପରାଧ ପର୍ଯ୍ୟଟନ ସ୍ଥଳ ଏବଂ ଅନ୍ୟାନ୍ୟ ସ୍ଥାନରେ ଘଟୁଛି । ଆତଙ୍କବାଦୀମାନେ ଅଳ୍ପ କିମ୍ବା କୌଣସି ସତର୍କତା ବିନା ଆକ୍ରମଣ କରିପାରୁଛନ୍ତି । ବଜାର, ପରିବହନ କେନ୍ଦ୍ର, ସପିଂ ମଲ୍ ଏବଂ ସରକାରୀ କୋଠା ଭଳି ସ୍ଥାନଗୁଡ଼ିକୁ ଟାର୍ଗେଟ କରୁଛନ୍ତୁ । ଏଭଳି ସ୍ଥଳରେ ସେସବୁ ସ୍ଥାନକୁ ଯିବା ବିପଦପୂର୍ଣ୍ଣ ବୋଲି କହିଛି ଆମେରିକା । । ଏଥିସହିତ ଭାରତକୁ ଯାତ୍ରା ସମୟରେ କଣ କରିବେ ଏବଂ କ’ଣ କରିବେ ନାହିଁ ତାହା ନିର୍ଦ୍ଦିଷ୍ଟ କରି ପରାମର୍ଶଦାତାରେ ଉଲ୍ଲେଖ କରାଯାଇଛି । ଯାତ୍ରୀମାନଙ୍କୁ କିଛି ଉପକରଣ ବହନ କରିବା ବିରୁଦ୍ଧରେ ସତର୍କ କରାଇ, ଭାରତରେ ସାଟେଲାଇଟ୍ ଫୋନ୍ କିମ୍ବା ଜିପିଏସ ଡିଭାଇସ୍ ରଖିବା ବେଆଇନ ଏବଂ ଏହାର ଫଳସ୍ୱରୂପ ୨୦ ହଜାର ଡଲାର ଜରିମାନା କିମ୍ବା ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ହୋଇପାରେ ବୋଲି ଆଡଭାଇଜରି ଜାରି ହୋଇଛି । ତେଣୁ ଏକା ଯାତ୍ରା କରନ୍ତୁ ନାହିଁ, ବିଶେଷକରି ଯଦି ଆପଣ ଜଣେ ମହିଳା ବୋଲି କହି ବିଶେଷ କରି ମହିଳାମାନଙ୍କୁ ଅଧିକ ସତର୍କ କରାଇଛି ଆମେରିକା । ଏଥିବ୍ୟତୀତ ବିପଦ ଯୋଗୁଁ, ଭାରତରେ କାର୍ଯ୍ୟରତ ଆମେରିକୀୟ ସରକାରୀ କର୍ମଚାରୀମାନଙ୍କୁ ଯାତ୍ରା କରିବା ପାଇଁ ଏକ ସ୍ୱତନ୍ତ୍ର ଅନୁମତି ନେବାକୁ ପଡିବ ବୋଲି କୁହାଯାଇଛି ।

କେଉଁ କେଉଁ ରାଜ୍ୟକୁ ମନା?

ଆମେରିକାର ବୈଦେଶିକ ବିଭାଗ ଜମ୍ମୁ-କାଶ୍ମୀର, ଭାରତ-ପାକିସ୍ତାନ ସୀମା ଏବଂ ମଧ୍ୟ ଏବଂ ପୂର୍ବ ଭାରତର କିଛି ଅଂଶକୁ ସୁରକ୍ଷା ଦୃଷ୍ଟିକୋଣରୁ ସମ୍ବେଦନଶୀଳ ବୋଲି ବର୍ଣ୍ଣନା କରିଛି । ସେଠାକୁ ଯାଉଥିବା ଲୋକମାନଙ୍କୁ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ କହିଛି । ଯେଉଁଥିରେ ମୁଖ୍ୟତଃ ୬ଟି ରାଜ୍ୟ ରହିଛି । ପରାମର୍ଶଦାତାରେ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ମେଘାଳୟ, ଓଡ଼ିଶା ରାଜ୍ୟର ନାମ ଉଲ୍ଲେଖ କରାଯାଇଛି ଏବଂ ଲେଖାଯାଇଛି ଯେ ଯଦି କର୍ମଚାରୀମାନେ ଏହି ରାଜ୍ୟଗୁଡ଼ିକର ରାଜଧାନୀ ବ୍ୟତୀତ ଅନ୍ୟ କୌଣସି ସହରକୁ ଯାତ୍ରା କରିବାକୁ ଚାହାଁନ୍ତି, ତେବେ ଏଥିପାଇଁ ଅନୁମତି ନେବା ଆବଶ୍ୟକ । ଏଥିସହିତ ନେପାଳ-ଭାରତ ସୀମାର ସ୍ଥଳପଥ ପାର କରନ୍ତୁ ନାହିଁ ବୋଲି ଆଡଭାଇଜରିରେ ଉଲ୍ଲେଖ କରାଯାଇଛି । ପ୍ରବାସନ ସମ୍ପର୍କିତ ଅଟକ ଏବଂ ଜରିମାନାର ବିପଦ ଥିବାରୁ ଯାତ୍ରୀମାନଙ୍କୁ ସ୍ଥଳପଥ ଦେଇ ଭାରତ-ନେପାଳ ସୀମା ପାର ନ କରିବାକୁ ସତର୍କ କରାଯାଇଛି। ପରାମର୍ଶଦାତାରେ ମଣିପୁର ଏବଂ ଅନ୍ୟାନ୍ୟ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ବିଷୟରେ ମଧ୍ୟ ବିଶେଷ ଉଲ୍ଲେଖ କରାଯାଇଛି ।

ଅପରାଧରେ ବି ଆଗରେ ଆମେରିକା!

ବିକଶିତ ରାଷ୍ଟ୍ର ହେଲେ ମଧ୍ୟ ଆମେରିକାର ଅପରାଧର ହାର ବି କିଛି କମ୍ ନୁହେଁ । ଆମେରିକା ଭାରତକୁ ଭ୍ରମଣ ନେଇ ଜାରି କରିଥିବା ଆଡଭାଇଜରି ସେହି ସମୟରେ ଆଜିଛି ଯେତେବେଳେ ଯୁକ୍ତରାଷ୍ଟ୍ରରେ, ଯୌନ ଆକ୍ରମଣ ଏବଂ ବଳାତ୍କାର ଏକ ବଡ ଚିନ୍ତାର ବିଷୟ । ଯେଉଁଥିରେ, ବିଶେଷକରି ମହିଳା ଏହି ଅପରାଧର ସମ୍ମୁଖୀନ ହୁଅନ୍ତି। ଜାତୀୟ ଯୌନ ହିଂସା ସମ୍ବଳ କେନ୍ଦ୍ର (NSVRC) ଅନୁଯାୟୀ, ପ୍ରତି ପାଞ୍ଚ ଜଣରେ ଜଣେ ମହିଳା ଏବଂ ପ୍ରତି ୭୧ ଜଣ ପୁରୁଷଙ୍କ ମଧ୍ୟରୁ ଜଣେ ବଳାତ୍କାରର ଶିକାର ହୁଅନ୍ତି । ଏଥିସହିତ ଯୌନ ଆକ୍ରମଣର ଏକ ବଡ଼ ପ୍ରତିଶତ ରିପୋର୍ଟ କରାଯାଇ ନାହିଁ, ଆକଳନ ଅନୁଯାୟୀ କେବଳ କିଛି ଛୋଟ ଛୋଟ ମାମଲା ଆଇନ ପ୍ରବର୍ତ୍ତନକାରୀଙ୍କ ଦୃଷ୍ଟିକୁ ଅଣାଯାଇଥାଏ । RAINN ଆକଳନ ଅନୁଯାୟୀ ଦେଶରେ ହେଉଥିବା ୬୩% ଯୌନ ଆକ୍ରମଣ ରିପୋର୍ଟ ହିଁ କରାଯାଏ ନାହିଁ । ଯେତେବେଳେ କି ଭାରତ ଗତ କିଛି ବର୍ଷ ମଧ୍ୟରେ ଅପରାଧରୁ ବାହରୁଛି । ରିପୋର୍ଟ କହୁଛି, ଭାରତରେ ଅପରାଧ ହାର ସାଧାରଣତଃ ୨୦୨୦ ଅପେକ୍ଷା ୨୦୨୨ରେ ହ୍ରାସ ପାଇଛି । ହେଲେ ନିର୍ଦ୍ଦିଷ୍ଟ ଅପରାଧରେ ବୃଦ୍ଧି ଘଟିଛି । ସାମଗ୍ରିକ ଅପରାଧ ହ୍ରାସ ପାଇଥିଲେ ମଧ୍ୟ, ବଳାତ୍କାର ଏବଂ ଅପହରଣର ଭଳି ମାମଲା ଦେଶରେ ବେଶ୍ ସକ୍ରିୟ ରହିଛି । ଆଉ ଏଭଳି କ୍ଷେତ୍ରରେ ଆମେରିକା ଭଳି ଦେଶର ଭାରତ ପ୍ରତି ଜାରି ହୋଇଥିବା ସତର୍କତା ଏବେ ଦେଶ ପାଇଁ ନୂଆ ଚିନ୍ତାର କାରଣ ।

Comments are closed.