ଗଞ୍ଜାମ: ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ l ଦୁଇ ଦଳିତଙ୍କୁ ଗାଁ ଦାଣ୍ଡରେ ଅକଥନୀୟ ଅତ୍ୟାଚାର ଦେଲେ ଲୋକେ । ଅଧା ଲଣ୍ଡା କରିବା ସହ ଗାଁ ଦାଣ୍ଡରେ ଆଣ୍ଠେଇ ଆଣ୍ଠେଇ ଚଲେଇବା ସହ ନର୍ଦ୍ଦମାର ମଇଳା ପାଣି ପିଆଇଲେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ଖାରିଗୁମ୍ମା ଗ୍ରାମରେ । ଏଭଳି ଅମାନୁଷିକ ଅତ୍ୟାଚାରର ଶିକାର ହୋଇଥିବା ଦୁଇ ବ୍ୟକ୍ତି ହେଲେ ସିଙ୍ଗିପୁର ଗ୍ରାମର ବୁଲୁ ନାୟକ ଏବଂ ବାବୁଲା ନାୟକ ।
ସୂଚନା ଅନୁସାରେ, ଝିଅକୁ ଯୌତୁକ ଦେବା ପାଇଁ ଉଭୟ ବୁଲୁ ନାୟକ ଏବଂ ବାବୁଲା ନାୟକ ତିନୋଟି ଗାଈ ଧରି ହରିପୁରରୁ ସୀଙ୍ଗିପୁର ଯାଉଥିଲେ । ଏହି ସମୟରେ ଖାରିଗୁମ୍ମାଠାରେ ତାଙ୍କୁ କିଛି ଲୋକ ଅଟକାଇ ଗୋରୁ ଚାଲାଣ କରୁଥିବା କହି ପଇସା ମାଗିଥିଲେ l ପଇସା ନ ଦେବାରୁ ସେମାନଙ୍କୁ ମାଡ଼ ମାରି ସେଲୁନରେ ଅଧା ଲଣ୍ଡା କରିଥିଲେ । ପରେ ସେମାନଙ୍କୁ ଖାରିଗୁମ୍ମାଠାରୁ ଆଣ୍ଠୁରେ ଚଲାଇ ଚଲାଇ ପ୍ରାୟ ଦୁଇ କିଲୋମିଟର ବୁଲାଇଥିଲେ ।
ଏପରିକି ସେମାନଙ୍କୁ ଗାଁ ଦାଣ୍ଡରେ ଘାସ ଖୁଆଇବା ସହ ନର୍ଦ୍ଦମା ପାଣି ପିଇବାକୁ ବାଧ୍ୟ କରିଥିଲେ । ହେଲେ ବୁଲୁ ଏବଂ ବାବୁଲା ସେଠାରୁ କୌଶଳ କ୍ରମେ ଖସି ଆସି ଘଟଣା ସଂକ୍ରାନ୍ତରେ ଧରାକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୁକ୍ତଙ୍କ ମୁଣ୍ଡ ଆଉ ପିଠିରେ ଆଘାତ ଲାଗିଛି । ଧରାକୋଟ ପୋଲିସ ତାଙ୍କୁ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିବା ସହ ଘଟଣାରେ ତଦନ୍ତ କରୁଛି ।
Comments are closed.