ପୁଣେ: ମହାରାଷ୍ଟ୍ରର ପୁଣେ ଜିଲ୍ଲାର ଆମ୍ବେଗାଓଁ ତାଲୁକାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଡିମ୍ବେର ଏକ ମିଠା ଦୋକାନର ଲଡୁ ଭିତରୁ ଏକ ମଣିଷ ଆଙ୍ଗୁଠି ମିଳିଛି। ଯାହା ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୋହେ ବୁଡ୍ରୁକର ବାସିନ୍ଦା ରାମଚନ୍ଦ୍ର ପୋଟକୁଲେଙ୍କ ପରିବାର ସ୍ଥାନୀୟ ମିଠା ଦୋକାନରୁ ଲଡୁ କିଣିଥିଲେ। ଘରେ ମିଠା ଖାଉଥିବା ସମୟରେ ପରିବାର ଲଡୁ ଭିତରେ ଏକ ମଣିଷ ଆଙ୍ଗୁଠି ଦେଖିଥିଲେ, ଯାହା ସେମାନଙ୍କୁ ସ୍ତବ୍ଧ କରିଦେଇଥିଲା।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଏହି ଆଙ୍ଗୁଠି ଭୁଲବଶତଃ ଲଡୁ ତିଆରି ପାଇଁ ବ୍ୟବହୃତ ବେଟରରେ ମିଶିଯାଇଥିବ। ମେସିନରେ କାମ କରୁଥିବା ବେଳେ କୌଣସି ହୋଟେଲ କର୍ମଚାରୀଙ୍କ ହାତ ଦୁର୍ଘଟଣାର ଶିକାର ହୋଇଥାଇପାରେ।
ଅପରପକ୍ଷରେ ଲଡୁ ଖାଇବା ପରେ ପରିବାରର କିଛି ସଦସ୍ୟଙ୍କ ଝାଡ଼ାବାନ୍ତି ହୋଇଥିଲା। ଯେଉଁମାନେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ସେମାନେ ବିପଦମୁକ୍ତ ବୋଲି କୁହାଯାଉଛି। ତେବେ ପ୍ରଶାସନ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଛି। ଏହି ଅବହେଳାକୁ ନେଇ ସ୍ଥାନୀୟ ଲୋକମାନେ ଖାଦ୍ୟ ସୁରକ୍ଷା ନିୟମକୁ କଡ଼ାକଡ଼ି ପାଳନ କରିବା ଏବଂ ଦୋଷୀମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
Comments are closed.