Latest Odisha News

BREAKING NEWS

OPSC ପରୀକ୍ଷା ଘୁଞ୍ଚିବ ନାହିଁ, ବନ୍ୟା ପ୍ରଭାବିତ ପରୀକ୍ଷାର୍ଥୀଙ୍କ ଦାୟିତ୍ୱ ନେବେ ସରକାର: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର କେତେକ ଅଞ୍ଚଳରେ ବନ୍ୟା ଓ ବାତ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ OPSC ଓସିଏସ (OCS) ମେନ୍ ପରୀକ୍ଷା ଆଉ ଘୁଞ୍ଚିବ ନାହିଁ ବୋଲି ଓଡ଼ିଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସ୍ପଷ୍ଟ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ପରୀକ୍ଷା ଥରେ ଘୁଞ୍ଚିଲେ ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ପଛକୁ ଚାଲିଯିବ ଏବଂ ଏଥିପାଇଁ ପାଖାପାଖି ୬ ମାସ ସମୟ ଲାଗିବ। ତେଣୁ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ହିଁ ପରୀକ୍ଷା ଅନୁଷ୍ଠିତ ହେବ।

ସମସ୍ତ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରକୁ ନେବା ଦାୟିତ୍ଵ ବିଡିଓଙ୍କୁ ଦିଆଯାଇଛି କହିଲେ ରାଜସ୍ୱ ମନ୍ତ୍ରୀ। ବନ୍ୟା ପ୍ରଭାବିତ ଅଞ୍ଚଳର ପରୀକ୍ଷାର୍ଥୀମାନେ ଯେପରି ସୁରକ୍ଷିତ ଭାବେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିପାରିବେ, ସେଥିପାଇଁ ରାଜ୍ୟ ସରକାର ନିଜ ଦାୟିତ୍ୱରେ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା ଯୋଗାଇ ଦେବେ। ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ପ୍ରାୟ ୩୨୫ ଜଣ ଏବଂ ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳରୁ ପ୍ରାୟ ୧୦୦ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବାକୁ ଥିବାରୁ ସେମାନଙ୍କୁ ସହାୟତା କରାଯିବ।

ପୂର୍ବରୁ ବାତ୍ୟା ସ୍ଥିତିକୁ ଦେଖି କିଛି ପରିବର୍ତ୍ତନ କରାଯାଇଥିବା ନୂଆ ସୂଚୀ ଅନୁସାରେ ଅକ୍ଟୋବର ୩୧ ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଏହି ମେନ୍ ପରୀକ୍ଷା ଚାଲିବ। ଅନ୍ୟପକ୍ଷରେ କୋରାପୁଟ, ଗଞ୍ଜାମ ଓ ମାଲକାନଗିରି ଜିଲ୍ଲାର କେତେକ ଅଞ୍ଚଳରେ ଭୂସ୍ଖଳନ ସହ ବିଭିନ୍ନ ସମସ୍ୟା ଦେଖାଦେଇଛି। ବାତ୍ୟା ଯୋଗୁଁ ପ୍ରାୟ ୫୬ଟି ଟ୍ରେନ୍ ବାତିଲ ହୋଇଥିବାବେଳେ ସରକାରୀ ଓ ବେସରକାରୀ ପରିବହନ ସେବା ମଧ୍ୟ ବ୍ୟାହତ ହୋଇଛି । ଫଳରେ ଦୀର୍ଘଦିନ ଧରି ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିବା ଅନେକ ଆଶାୟୀ ନିଜ ପରୀକ୍ଷା କେନ୍ଦ୍ରରେ ଠିକ୍ ସମୟରେ ପହଞ୍ଚିବା ନେଇ ଆଶଙ୍କାରେ ଅଛନ୍ତି ।

Leave A Reply

Your email address will not be published.