Latest Odisha News

BREAKING NEWS

ସକାଳେ ଉଠିବା ମାତ୍ରେ କାହିଁକି ବଢ଼ିଯାଏ ରକ୍ତଚାପ?

ଭୁବନେଶ୍ବର: ଉଚ୍ଚ ରକ୍ତଚାପକୁ ଏକ ନୀରବ ଘାତକ ଭାବରେ ବିବେଚନା କରାଯାଏ। ଲୋକମାନେ ପ୍ରାୟତଃ ଉଚ୍ଚ ରକ୍ତଚାପ ଲକ୍ଷଣଗୁଡ଼ିକୁ ଅଣଦେଖା କରନ୍ତି। ଯଦି ସକାଳେ ଉଠିବା ସମୟରେ ରକ୍ତଚାପ ଅଧିକ ଥାଏ, ତେବେ ସ୍ୱାସ୍ଥକୁ ନେଇ ଅଧିକ ସତର୍କ ରହିବା ଉଚିତ୍ । ଏହାକୁ ସାଧାରଣତଃ ମର୍ଣ୍ଣିଙ୍ଗ ହାଇପରଟେନସନ କୁହାଯାଏ। ଆସନ୍ତୁ ଜାଣିବା ଏହି ସମସ୍ୟା ପଛରେ କ’ଣ କାରଣ ହୋଇପାରେ…

ଯେଉଁ ଲୋକମାନେ ଦୀର୍ଘକାଳୀନ ଚାପ ଏବଂ ଚିନ୍ତାରେ ପୀଡିତ,ସେମାନଙ୍କଠାରେ ସକାଳେ ଉଠିବା ସମୟରେ ଉଚ୍ଚ ରକ୍ତଚାପ ଦେଖାଯାଇପାରେ। କାରଣ ଚାପ ଏବଂ ଚିନ୍ତା ଶରୀରରେ କର୍ଟିସୋଲ ଏବଂ ଆଡ୍ରେନାଲିନ୍ ଭଳି ହରମୋନ ରିଲିଜ କରେ, ଯାହାଦ୍ବାରା ସକାଳେ ରକ୍ତଚାପ ବୃଦ୍ଧି କରେ।

ସୁସ୍ଥ ଶରୀର ପାଇଁ ଭଲ ନିଦ ଜରୁରୀ। କିନ୍ତୁ ଦେଖିଥିବେ ବେଳେବେଳେ ରାତିରେ ବାରମ୍ବାର ନିଦ ଭାଙ୍ଗିଥାଏ, ଯାହା ସ୍ୱାସ୍ଥ୍ୟ ସମସ୍ୟାର ସୂଚକ ହୋଇପାରେ। ଏହା ସ୍ଲିପ୍ ଆପ୍ନିଆ ଯୋଗୁଁ ହୋଇପାରେ। ଯାହା ଯୋଗୁଁ ନିଦ ବ୍ୟାଘାତ ହୁଏ। ଶରୀରରେ ଅମ୍ଳଜାନ ସ୍ତର ହ୍ରାସ ପାଏ। ଏହା ସକାଳେ ରକ୍ତଚାପ ବୃଦ୍ଧି କରିପାରେ।

ମଧୁମେହରେ ରକ୍ତଚାପର ଆଶଙ୍କା ବଢ଼ିଯାଏ। ମଧୁମେହ ପୀଡିତ ଲୋକଙ୍କଠାରେ ରକ୍ତରେ ଶର୍କରାର ପରିମାଣ ବୃଦ୍ଧି ପାଏ। ଏହା ଫଳରେ ସକାଳେ ଶରୀରରେ ରକ୍ତଚାପ ବୃଦ୍ଧି ପାଇଥାଏ ।

ରାତିରେ ଶୋଇବା ପୂର୍ବରୁ ଖାଦ୍ୟରେ ଅତ୍ୟଧିକ ଲୁଣ ଖାଇବା ମଧ୍ୟ ଶରୀରକୁ କ୍ଷତି ପହଞ୍ଚାଏ। ଏହା ସକାଳେ ରକ୍ତଚାପ ବୃଦ୍ଧି କରିପାରେ।

କୌଣସି ପ୍ରକାରେ ମଦ୍ୟପାନ ଶରୀର ପାଇଁ ଉପଯୁକ୍ତ ନୁହେଁ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ରାତିରେ ଅତ୍ୟଧିକ ମଦ୍ୟପାନ ଶରୀରରେ ତରଳ ପଦାର୍ଥ ସନ୍ତୁଳନକୁ ବିଗାଡ଼ି ଦିଏ। ଏହା ରାତିରେ ନିଦକୁ ବାଧା ଦିଏ। ଯାହାଦ୍ୱାରା ଶରୀରର ରକ୍ତଚାପ ବୃଦ୍ଧି ପାଇପାରେ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଉଚ୍ଚ ରକ୍ତଚାପ ସବୁବେଳେ ପ୍ରାରମ୍ଭିକ ଲକ୍ଷଣ ଦିଏ ନାହିଁ। ଏହା ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକୁ କ୍ଷତି ପହଞ୍ଚାଇପାରେ। ଯେତେବେଳେ ଜଣାପଡେ ସେତେବେଳକୁ ଷ୍ଟ୍ରୋକ୍ କିମ୍ବା ମସ୍ତିଷ୍କ ରକ୍ତସ୍ରାବ ସମସ୍ୟା ଦେଖାଦେଇଥାଏ । ଏହି ବିପଦପୂର୍ଣ୍ଣ ଅବସ୍ଥା ପୂର୍ବରୁ ଶରୀରରେ କୌଣସି ପ୍ରକାରର ଯନ୍ତ୍ରଣା, ମୁଣ୍ଡ ବୁଲାଇବା କିମ୍ବା କୌଣସି ପ୍ରକାରର ଅସ୍ୱାଭାବିକ ସ୍ଥିତି ଦେଖାଯାଇନଥାଏ। ତେଣୁ ଏହି’ନୀରବ ଘାତକ’ଉପରେ ନଜର ରଖିବା ଗୁରୁତ୍ୱପୂର୍ଣ୍ଣ।

Comments are closed.