Latest Odisha News

ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ପକ୍ଷରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସେବା ପ୍ରଦାନ

ପୁରୀ: ମହାକୁମ୍ଭ ମେଳା ପରେ ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ପକ୍ଷରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସେବା ପ୍ରଦାନ କରାଯିବ। ଲୋକଙ୍କ ଧାର୍ମିକ ଭାବନାକୁ ସମ୍ମାନ ଦେଇ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ସେବା ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛି। ମହାପ୍ରଭୁ ଜଗନ୍ନାଥଙ୍କ ଏହି ନବଦିନାତ୍ମକ ଯାତ୍ରାରେ ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଆଦାନୀ ଗ୍ରୁପର କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସ୍ଆର୍) କାର୍ଯ୍ୟକ୍ରମ କେବଳ ଭିତ୍ତିଭୂମି ବିକାଶ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସୀମିତ ନୁହେଁ, ଏହା ବିଭିନ୍ନ ଦିଗରେ ବିସ୍ତୃତ।

ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ‘ସେବା ହି ସାଧନା ହୈ’ ବିଶ୍ୱାସକୁ ଆଧାର କରି, ଜୁନ ୨୬ ତାରିଖରୁ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ରଥଯାତ୍ରା ସମୟରେ ତୀର୍ଥଯାତ୍ରୀ ଏବଂ ପଦସ୍ଥ ଅଧିକାରୀମାନଙ୍କୁ ସମର୍ଥନ ଯୋଗାଇବା ପାଇଁ ପ୍ରୟାସ ଆରମ୍ଭ କରିଛି। ଚଳିତ ବର୍ଷ ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ପ୍ରାୟ ୪ ନିୟୁତ ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରାଯିବାର ବ୍ୟବସ୍ଥା ହେଉଛି ଯେଉଁଠାରେ ମାଗଣା ପୁଷ୍ଟିକଯୁକ୍ତ ଖାଦ୍ୟର ବ୍ୟବସ୍ଥା କରାଯାଇଛି।

ଓଡ଼ିଶାର ଗ୍ରୀଷ୍ମ ପ୍ରକୋପକୁ ପ୍ରତିହତ କରିବା ପାଇଁ ପାନୀୟ ଜଳ କାଉଣ୍ଟର ଗୁଡ଼ିକରେ ସାରା ସହରରେ ପାନୀୟ ଜଳର ବ୍ୟବସ୍ଥା ହୋଇଛି। ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ଲାଇଫ୍ଗାର୍ଡ଼ ମହାସଂଘକୁ ସହାୟତା, ପ୍ଲାଷ୍ଟିକ ମୁକ୍ତ ବେଳାଭୂମି ପାଇଁ ସ୍ୱେଚ୍ଛାସେବୀ, ପଦସ୍ଥ ଅଧିକାରୀମାନଙ୍କ ପାଇଁ ମାଗଣା ଟି-ସାର୍ଟ, ପୌର କର୍ମଚାରୀଙ୍କ ପାଇଁ ଫ୍ଲୋରେସେଣ୍ଟ ଜ୍ୟାକେଟ, ଅଧିକାରୀ ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ପ୍ରକାର ଜ୍ୟାକେଟ, ରେନକୋଟ୍, କ୍ୟାପ୍ ଏବଂ ଛତାର ବ୍ୟବସ୍ଥା କରାଯାଇଛି ।

ଚଳିତ ବର୍ଷ ଆହ୍ଲାବାଦର ପ୍ରୟାଗରାଜ୍ ଠାରେ ହୋଇଥିବା ମହାକୁମ୍ଭ ମେଳାରେ ଆଦାନୀ ଗ୍ରୁପର ସ୍ୱେଚ୍ଛାକୃତ ସେବା ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିଛି। ଏହାକୁ ପାଥେୟ କରି ଲୋକଙ୍କ ଧାର୍ମିକ ଭାବନାକୁ ବଜାୟ ରଖି ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ଏହାର ଦ୍ୱିତୀୟ ପଦକ୍ଷେପ ସ୍ୱରୂପ ସେବା ଯୋଗାଇବା ପାଇଁ ସ୍ଥିର କରିଛି।

Comments are closed.