Latest Odisha News

BREAKING NEWS

ଆରମ୍ଭ ହେଲା ମହାପ୍ରଭୁଙ୍କ ପହଣ୍ଡି: ଝୁଲି ଝୁଲି ଆସୁଛନ୍ତି ଶ୍ରୀଜିଉ…

ପୁରୀ: ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ସକାଳୁ ସକାଳୁ ରଥଯାତ୍ରା ପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ, ଏବେ ଆରମ୍ଭ ହୋଇଯାଇଛି ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି । ପ୍ରଥମେ ଧାଡ଼ି ପହଣ୍ଡିରେ ଶ୍ରୀସୁଦର୍ଶନ ରଥେ ବିଜେ କରିସାରିଲେଣି । ସୁଦର୍ଶନ ଠାକୁର ଦେବଦଳନ ରଥରେ ସ୍ଥାପନା ହେବା ପରେ ଏବେ ଝୁଲି ଝୁଲି ଧାଡି ପହଣ୍ଡିରେ ଆସୁଛନ୍ତି ବଡ ଠାକୁର ବଳଭଦ୍ର ।  ଏହା ପରେ ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ମଧ୍ୟ ଆରମ୍ଭ ହୋଇଯାଇଛି । ସେପଟେ ରତ୍ନବେଦୀରୁ ଓହ୍ଲାଇ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ବାହାରି ସାରିଛନ୍ତି ।

ଘଣ୍ଟ ଘଣ୍ଟା ଶଙ୍ଖ ମୃଦଙ୍ଗର ତାଳେ ତାଳେ କମ୍ପୁଛି ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧାମୂରତି । ରଥରେ ବିରାଜମାନ କରି ନବଦିନାତ୍ମକ ଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ଯିବେ ବ୍ରହ୍ମାଣ୍ଡ ଠାକୁର । ଏଥିପାଇଁ ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ । ଭାବ-ଭକ୍ତିରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ । ଭକ୍ତଙ୍କ ହୁଳହୁଳ ସାଙ୍ଗକୁ ଆଖିର ଲୁହ ଆଉ ମନରେ ବ୍ୟାକୁଳନା, ମହାପ୍ରଭୁଙ୍କୁ ବି ଅଥିର କରିଛି । ଭକ୍ତଙ୍କ ଗହଳିରେ ନିଜକୁ ପାଇବା ପାଇଁ ସତେ ଯେପରି ସଅଳ ଛୁଟି ଆସୁଛନ୍ତି ।

ଶ୍ରୀସୁଦର୍ଶନ ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନରେ ସ୍ଥାପନା ହେବା ପରେ ଏବେ ବଡ ଠାକୁର ତାଳଧ୍ବଜ ରଥରେ ବିଜେ କରିବେ । ତା ପରେ ହଳଦୀ ମୁହିଁ ସୁଭଦ୍ରା ଦେବଦଳନ ଅଭିମୁଖେ ଆଉ ଶେଷରେ ଭାବୋବିନୋଦିଆ ଠାକୁର, କୋଟି ଓଡିଆଙ୍କ ମଉଡବଣି ଆମ କାଳିଆ ସାଆନ୍ତ, ନନ୍ଦିଘୋଷେ ବିରାଜିବେ । ଆଉ ମନ ଥୟ ଧରୁନି । ବଡଦାଣ୍ଡରେ ଜଗାକୁ ଦେଖିବାକୁ । ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ଦାରୁବିଗ୍ରହ ରଥାରୂଢ ହେବେ । ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଗଜପତି ମହାରାଜା କରିବେ ଛେରାପହଁରା। ଏହାପରେ ଚାରମାଳ ଫିଟାଯାଇ ଅପରାହ୍ନ ୪ଟାରେ ଟଣାଯିବ ରଥ ।

Comments are closed.