Latest Odisha News

BREAKING NEWS

ରଥଯାତ୍ରା ମହାବିଭ୍ରାଟ ପଛରେ କାରଣ କ’ଣ?

ଭୁବନେଶ୍ବର: ଭାଙ୍ଗିଲା ବର୍ଷ ବର୍ଷର ପରମ୍ପରା । ସିଂହଦ୍ବାରରେ ରହିଗଲେ ଶ୍ରୀଜଗନ୍ନାଥ । ପାହୁଣ୍ଡେ ଗଡ଼ିଲା ନନ୍ଦିଘୋଷ । ପାସ ବଣ୍ଟନରୁ ମହାବିଭ୍ରାଟ ଅଭିଯୋଗ, ସରକାରଙ୍କୁ ଘେରିଲେ ବିରୋଧୀ । ଚଳିତବର୍ଷ ରଥଯାତ୍ରାରେ ୩୦ବର୍ଷର ପରମ୍ପରା ଭାଙ୍ଗିଛି । ଗୋଟିଏ ବି ରଥ ଶରଧାବାଲିରେ ପହଞ୍ଚିପାରିଲାନି । ରାତି ହେଲା ପୂର୍ବରୁ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇ ପାରିଲାନି । ଶେଷରେ ବିଧି ରକ୍ଷା ପାଇଁ ରଥକୁ କେଇ ହାତ ଟଣାଗଲା । ରଥଟଣା ଅବ୍ୟବସ୍ଥାକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ଠେଲାପେଲା, ଦଳାଚକଟାରେ ଶ୍ରଦ୍ଧାଳୁ ଆହତ ହେବା ହେଉ କି ସାମ୍ବାଦିକଙ୍କୁ ମାଡ଼ ମରା ଘଟଣା, ସରକାରଙ୍କୁ ଘେରିଛନ୍ତି ବିରୋଧୀ । କ୍ଷୋଭ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ଚକେ ଗଡ଼ିଲା ନନ୍ଦିଘୋଷ

ତ୍ରୁଟିଶୂନ୍ୟ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ହେଲେ ଯାହା ହେଲା, ତାହା ଗତ ୩ଦଶନ୍ଧୀରେ ହୋଇନଥିଲା । ରାତି ହେବା ପୂର୍ବରୁ ନନ୍ଦିଘୋଷ ରଥ ଟଣା ଯାଇପାରିଲାନି । ବିଧି ରକ୍ଷା ପାଇଁ ମାତ୍ର କେଇ ହାତ ଟଣାଗଲା । ଏହାକୁ ନେଇ ଭକ୍ତ ଓ ସେବାୟତଙ୍କ ମନରେ ପ୍ରବଳ କ୍ଷୋଭ ଦେଖାଦେଇଛି । ମାଳ ମାଳ ଉଚ୍ଚ ପଦାଧିକାରୀ ଡେରା ପକାଇଥିଲେ ମଧ୍ୟ ସମନ୍ବୟ ଅଭାବ ଦେଖା ଦେଇଥିଲା । ଫଳରେ ରଥ ସାମନାରେ ଭିଡ଼ ନିୟନ୍ତ୍ରଣ ଅସମ୍ଭବ ହୋଇ ପଡିଥିଲା । ଶ୍ରୀବଳଭଦ୍ରଙ୍କ ରଥ ବାରମ୍ବାର ମୋଡ଼ ନେବା, ଭିଡ଼ ନିୟନ୍ତ୍ରଣରେ ବିଫଳତାକୁ ଅବ୍ୟବସ୍ଥା ପଛର କାରଣ ଭାବେ ଦର୍ଶାଯାଇଛି। ସେପଟେ ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ରଥଯାତ୍ରା ଅବ୍ୟବସ୍ଥା ନେଇ ଉଦବେଗ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ବର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ଏହା ନିରାଶ କରିଛି । ଖରାପ ଭିଡ଼ ନିୟନ୍ତ୍ରଣ ଯୋଗୁଁ ଅନେକ ଭକ୍ତ ଆହତ ହୋଇଛନ୍ତି । ରାଜ୍ୟ ସରକାର ପୂରା ଘଟଣା ନେଇ ଆତ୍ମସମୀକ୍ଷା କରିବାକୁ କହିଛନ୍ତି ନବୀନ ।

ପାସ ବଣ୍ଟନରୁ ମହାବିଭ୍ରାଟ !

ରଥ ଚାରିପଟେ କର୍ଡନ ଭିତରେ ମାତ୍ରାଧିକ ଭିଆଇପି ଓ ଭିଭିଆଇପି ପାସଧାରୀଙ୍କ ଭିଡ଼ ଯୋଗୁଁ ଅବ୍ୟବସ୍ଥା ହୋଇଥିବା ଅଭିଯୋଗ ହେଉଛି । ସୁରକ୍ଷା କର୍ଡନ ଭିତରେ ଏତେ ମାତ୍ରାରେ ଭିଡ଼ ଯୋଗୁଁ ରଥ ଟାଣିବା ସମ୍ଭବ ହୋଇ ପାରିନଥିବା କୁହାଯାଉଛି। ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହୋଇଥିଲା । ତେବେ କର୍ଡନ ଭିତରେ ପାସଧାରୀଙ୍କ ଭିଡ ଯୋଗୁଁ ନାକେଦମ୍ ହୋଇଥିଲା ପୋଲିସ । ପୂର୍ବରୁ ବି ରଥଯାତ୍ରା ସମୟରେ ପାସ ବଣ୍ଟନ ହେଉଥିଲା । ହେଲେ ଏତେ ମାତ୍ରାରେ ପାସଧାରୀ କେବେ ରଥ ନିକଟରେ ଭିଡ଼ ଜମାଉନଥିଲେ । ବିଶେଷ କରି ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଦୁଇ ପ୍ରଭାବଶାଳୀ କ୍ୟାବିନେଟ୍ ମନ୍ତ୍ରୀ ହଜାର ହଜାର ସଂଖ୍ୟାରେ ପାସ୍ ବାଣ୍ଟିବାରୁ ଅବ୍ୟବସ୍ଥା ଦେଖା ଦେଇଥିବା ଅଭିଯୋଗ ହୋଇଛି । କେବଳ ଏହି ଦୁଇ ମନ୍ତ୍ରୀ ପ୍ରାୟ ୬ରୁ ୭ହଜାର ପାସ୍ ବାଣ୍ଟିଥିବା ବେଳେ ଅନ୍ୟମାନେ ୪ରୁ ୫ହଜାର ପାସ୍ ବାଣ୍ଟିଥିବା କୁହାଯାଉଛି ।

ଠେଲାପେଲା, ଦଳାଚକଟା…ସାମ୍ବାଦିକଙ୍କୁ ମାଡ଼ !

ଚଳିତ ବର୍ଷ ରଥଯାତ୍ରାରେ ରଥଟଣା ବେଳେ ଠେଲାପେଲା ଓ ଦଳାଚକଟାରେ ପ୍ରାୟ ୬ଶହରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ଜଣ ଗୁରୁତର ହୋଇ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ସରକାର ଭିଡ଼ ନିୟନ୍ତ୍ରଣ କରିବାରେ ଏକପ୍ରକାର ବିଫଳ ହୋଇଥିବା କୁହାଯାଉଛି । ଏହାକୁ ନେଇ ଜାତୀୟସ୍ତରରେ ବି ଚର୍ଚ୍ଚା ହୋଇଛି । ସେହିପରି ରଥଯାତ୍ରାରେ କର୍ଡନ ପାସ ଥାଇ ମଧ୍ୟ ପୋଲିସ ସାମ୍ବାଦିକଙ୍କୁ ଛାଡିନଥିଲା । ଘଟଣାସ୍ଥଳରେ ଠେଲାପେଲାରେ ୭ଜଣ ସାମ୍ବାଦିକ ଆହତ ହୋଇଛନ୍ତି । ଜଣେ ମହିଳା ସାମ୍ବାଦିକାଙ୍କ ହାତରେ ୨୦ଟି ଷ୍ଟିଜ ପଡିଛି । ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହସ୍ତକ୍ଷେପ କରିବା ସହ ସିସିଟିଭି କ୍ୟାମେରା ଯାଞ୍ଚ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

କ୍ଷମତାକୁ ଆସିବା ପରେ ଦ୍ବିତୀୟ ଥର ପାଇଁ ରଥଯାତ୍ରା ପରିଚାଳନା କରୁଛନ୍ତି ରାଜ୍ୟ ବିଜେପି ସରକାର । ଗତଥର ରଥରୁ ବଡ଼ଠାକୁର ଶ୍ରୀବଳଭଦ୍ର ପଡି ଯାଇଥିଲେ । ଏହାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ଜଗନ୍ନାଥପ୍ରେମୀ । ହେଲେ ନା ଘଟଣାର ତଦନ୍ତ ରିପୋର୍ଟ ସାର୍ବଜନୀନ ହେଲା ନା ନିଆଗଲା କାର୍ଯ୍ୟାନୁଷ୍ଠାନ । ଏଥର ତ ମହାପ୍ରଭୁ ସୁସ୍ଥ ହେବା ପାଇଁ ଆସିଥିବା ଦଶମୂଳ ମୋଦକ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ମାରା ମୋଦକ ଶ୍ରୀଜିଉଙ୍କୁ ଲାଗି ହୋଇଥିବା କୁହାଗଲା । ଆଉ ରଥଯାତ୍ରାରେ ବ୍ୟାପକ ଅବ୍ୟବସ୍ଥା ସାମନାକୁ ଆସିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସହ ପ୍ରତି ଓଡିଆଙ୍କ ଭାବପ୍ରବଣତା ଜଡିତ । ରାଜ୍ୟ ସରକାର ସେକଥାକୁ ଅନୁଭବ କରି ମହାପ୍ରଭୁଙ୍କ ସହ ସଂପର୍କିତ ପ୍ରସଙ୍ଗକୁ ଗୁରୁତ୍ବ ଦେବା ଜରୁରୀ । କାରଣ ରଥଯାତ୍ରା ଅବ୍ୟବସ୍ଥା ହେଉ କି ମୋଦକ ଚୋରି, ଜଗା କାମରେ ସାମାନ୍ୟ ଅବହେଳାକୁ ବି ବରଦାସ୍ତ କରିବେନି ଓଡିଆ ।

Comments are closed.