ଚେନ୍ନାଇ: ଆଇପିଏଲର ୧୯ତମ ସିଜନରେ ଏକ ବଡ ଧରଣର ଅଦଳ ବଦଳ ଦେଖିବାକୁ ମିଳିପାରେ । ଏକ ରିପୋର୍ଟ ଅନୁସାରେ ଚେନ୍ନାଇ ସୁପର କିଙ୍ଗସ ସଞ୍ଜୁ ସାମସନଙ୍କୁ ନେବା ପାଇଁ ଜୋରସୋରରେ ଉଦ୍ୟମ ଆରମ୍ଭ କରିଛି । ଏଥିପାଇଁ ରାଜସ୍ଥାନ ରୟାଲ୍ସ ସହିତ ଦଳ ଯୋଗାଯୋଗରେ ରହିଛି । ରବିଚନ୍ଦ୍ରନ ଅଶ୍ୱୀନ ଓ ଶିବମ ଦୁବେଙ୍କ ବଦଳରେ ସଞ୍ଜୁ ଚେନ୍ନାଇ ଟିମରେ ସାମିଲ ହେବେ । ଉପରୋକ୍ତ ଦୁଇ ଖେଳାଳି ରାଜସ୍ଥାନ ଟିମ ପକ୍ଷରୁ ଖେଳିବେ ।
କିଛି ଦିନ ତଳେ କେରଳର ଏହି ବ୍ୟାଟ୍ସମ୍ୟାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଥିଲେ । ସେଥିରେ ଆଗାମୀ ସିଜନରେ ମୁଁ ଚେନ୍ନାଇ ପକ୍ଷରୁ ଖେଳିପାରେ ବୋଲି ଉଲ୍ଲେଖ କରିଥିଲେ । ଅଶ୍ୱୀନଙ୍କ ନିକଟତର ମନେ କରାଯାଉଥିବା ପ୍ରସନ୍ନା ଅଘୋରାମ ଏହା ଦୃଢ଼ତା ସହକାରେ କହିଛନ୍ତି । ଅବଶ୍ୟ ସେ କାହାର ନାମ ନ ନେଇ କହିଥିଲେ, ଚେନ୍ନାଇର ଜଣେ ଅଫ ସ୍ପିନର ଓ ବ୍ୟାଟ୍ସମ୍ୟାନ ରାଜସ୍ଥାନକୁ ଯିବେ । ତାଙ୍କ ବଦଳରେ ଜଣେ ୱିକେଟକିପର ବ୍ୟାଟ୍ସମ୍ୟାନ ଚେନ୍ନାଇକୁ ଆସିବେ । ୧୦ ବର୍ଷ ପରେ ଅଶ୍ୱୀନ ଚେନ୍ନାଇ ଟିମକୁ ପ୍ରତ୍ୟାବର୍ତନ କରିଥିଲେ । ମାତ୍ର ୨୦୨୫ ସିଜନରେ ସେ ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିଲେ । ଅଶ୍ୱୀନ ୯ ମ୍ୟାଚରେ ୭ ୱିକେଟ ନେଇଥିଲେ । ରାଜସ୍ଥାନ ପକ୍ଷରୁ ଖେଳିବା ବେଳେ ଅଶ୍ୱୀନଙ୍କ ପ୍ରଦର୍ଶନ ସର୍ବଦା ଭଲ ରହିଥାଏ ।
ମହେନ୍ଦ୍ର ସିଂ ଧୋନୀ ଓ ରିତୁରାଜ ଗାଏକ୍ୱାଡଙ୍କ ଉପସ୍ଥିତିରେ ଚେନ୍ନାଇ ସେଭଳି ପ୍ରଦର୍ଶନ କରିପାରୁ ନାହିଁ । ରିତୁରାଜ ମଧ୍ୟ ହାତ କଣ୍ଢେଇ ହେବା ପାଇଁ ପସନ୍ଦ କରୁ ନାହାନ୍ତି । ଯଦି ସଞ୍ଜୁ ଆସିବେ ତେବେ ସେ ଚେନ୍ନାଇ ନେତୃତ୍ୱ ଦାୟିତ୍ୱ ମଧ୍ୟ ତୁଲାଇ ପାରନ୍ତି । ତେବେ ଫ୍ରାଂଚାଇଜର କିମ୍ବା ଖେଳାଳିମାନଙ୍କ ମଧ୍ୟରୁ ଏ ସମ୍ପର୍କରେ କୌଣସି ବୟାନ ଆସି ନାହିଁ । ଖବରର ସତ୍ୟତା ନେଇ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ ।
Comments are closed.