Latest Odisha News

BREAKING NEWS

ଚଳିତ ବର୍ଷ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ରେକର୍ଡ଼ ପରିମାଣର ଅଧିକ ରବି ଧାନ ସଂଗ୍ରହ ହୋଇଛି

ଭୁବନେଶ୍ୱର: ରବି ଧାନ ସଂଗ୍ରହ ୨୦୨୪-୨୫ ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀସ୍ତରୀୟ ସମୀକ୍ଷା ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ରବି ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି । ଆଜି ଏହି ସଂଗ୍ରହ ପ୍ରକ୍ରିୟାର ଅବଧି ଶେଷ ହେବାକୁ ଯାଉଛି । ଚଳିତ ବର୍ଷ ରବି ଧାନ ଫସଲ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ୧୪ ଲକ୍ଷ ମେଟ୍ରିକ ଟନ ରହିଥିବାବେଳେ ଆଜି ସୁଦ୍ଧା ପ୍ରାୟ ୧୯ ଲକ୍ଷ୍ୟ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇସାରିଛି ।

ଗତ ବର୍ଷ ୧୨ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିବାବେଳେ ଚଳିତ ଋତୁରେ ରେକର୍ଡ଼ ପରିମାଣର ଧାନ ସଂଗ୍ରହ ହୋଇଛି । ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ସମୃଦ୍ଧ କୃଷକ ଯୋଜନା ଅଧୀନରେ ଚାଷୀଙ୍କୁ ରବି ଧାନରେ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା (ଏମ୍ଏସପି ଓ ଇନପୁଟ ସହାୟତା ବାବଦରେ) ପ୍ରଦାନ କରୁଛି ।

ଧାନ କିଣା ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ଏବଂ ଅନ୍ୟ ପଡୋଶୀ ରାଜ୍ୟରୁ ଆସୁଥିବା ଧାନକୁ ରୋକିବା ପାଇଁ ଚାଷୀଙ୍କ ଇ-କେୱାଇସି ବ୍ୟବସ୍ଥା ଲାଗୁ କରିବା ନିମନ୍ତେ ବୈଠକରେ ବିଚାର ବିମର୍ଶ ହୋଇଥିଲା । ଏହାଦ୍ବାରା ଆମ ରାଜ୍ୟ ପ୍ରକୃତ ହିତାଧିକାରୀ ଉପକୃତ ହୋଇପାରିବେ । ଏହା ବ୍ୟତୀତ ଆଗାମୀ ସମୟରେ ଧାନ କିଣା ନିମନ୍ତେ ନୂତନ ନୀତି ଆଣିବା ପାଇଁ ସରକାର ବିଚାର କରୁଛନ୍ତି ।

ସମ୍ପ୍ରତି ରାଜ୍ୟବାସୀଙ୍କ ନିଜସ୍ଵ ବିନିଯୋଗ ପାଇଁ ୨୭ ଲକ୍ଷ ମେଟ୍ରିକ ଟନର ଚାଉଳ ଆବଶ୍ୟକ ହୋଇଥାଏ । କିନ୍ତୁ ଆମ ରାଜ୍ୟ ଓଡ଼ିଶାରେ ଚଳିତ ବର୍ଷ ଖରିଫ ଓ ରବି ଧାନକୁ ମିଶାଇ ମୋଟ ୯୩ ଲକ୍ଷ ମେଟ୍ରିକ ଟନ ଧାନ ଉତ୍ପାଦନ ହୋଇଛି । ସେଥିରୁ ହାରାହାରି ୬୩ ଲକ୍ଷ ମେଟ୍ରିକ ଟନ ଚାଉଳ ପ୍ରସ୍ତୁତ ହେବ । ଯାହା ରାଜ୍ୟର ଚାହିଦା ଠାରୁ ଢ଼େର ଅଧିକ । ବଳକା ଚାଉଳର ସୁପରିଚାଳନା ପାଇଁ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଧାନର କଟା ଅଂଶ ଏବଂ ଭଙ୍ଗା ଚାଉଳକୁ ରାଜ୍ୟରେ ଥିବା ଇଥାନଲ ପ୍ଲାଣ୍ଟକୁ ଦିଆଯାଇ ସେଥିରୁ ୨ଜି ଇଥାନଲ ପ୍ରସ୍ତୁତ କରିବା ବ୍ୟବସ୍ଥା କରାଯାଇଛି ।

Comments are closed.