ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ମୂଳ ସ୍ୱରୂପ ବା ଚତୁଶ୍ଳୋକି ଭାଗବତର ଦ୍ଵିତୀୟ ଶ୍ଳୋକ ଅର୍ଥାତ ବ୍ୟାସକୃତ ସଂସ୍କୃତ ଭାଗବତଙ୍କ ଦ୍ଵିତୀୟ ସ୍କନ୍ଦ ନବମ ଅଧ୍ୟାୟର ଶ୍ଳୋକ ସଂଖ୍ୟା ୩୨ରୁ ୩୫ ଶ୍ଳୋକଙ୍କ ଆଲୋଚନା ଜାରି ରହିଛି।
ଶ୍ଳୋକ ୩୩:-ୠତେଅର୍ଥଂ ଯତ ପ୍ରତୀୟେତ ନପ୍ରତୀୟେତ ଚାତ୍ମନି
ତତ ବିଦ୍ୟାଦାତ୍ମନୋ ମାୟାଂ ଯଥାଆଭାସୋ ଯଥାତମଃ।।
ଯାହାର ଭାବାର୍ଥ ଏହିପରି ହେବ “ଯେଉଁ ଶକ୍ତିର ପ୍ରଭାବରେ କୌଣସି ବସ୍ତୁର ଅସ୍ତିତ୍ୱ ନଥିଲେ ମଧ୍ୟ ତାହା ପ୍ରକାଶିତ ହୋଇଥାଏ ଅବା କୌଣସି ବସ୍ତୁର ଅସ୍ତିତ୍ୱ ଥିଲେ ମଧ୍ୟ ତାହା ପ୍ରକାଶିତ ହୋଇ ପାରେନି। ସେହି ଶକ୍ତି ହିଁ ମୋ ଦ୍ୱାରା ସଂଚାରିତ ମାୟା ଶକ୍ତି। ଉଦାହରଣ ସ୍ୱରୂପ ଚନ୍ଦ୍ର କେବଳ ଗୋଟିଏ, ଦୁଇଟି ନୁହେଁ କିନ୍ତୁ ପ୍ରତିବିମ୍ବରେ ଅବା ପ୍ରତିବିମ୍ବିତ ହୋଇ ଏହା ଦୁଇଟି ଦୃଷ୍ଟି ଗୋଚର ହୋଇଥାଏ, ଏହାକୁ ସତ୍ୟ ନୁହେଁ ମାୟା ଆଖ୍ୟା ଦିଆଯାଇଛି।
ସେହିପରି ଅନ୍ଧାର ଗୃହରେ କୌଣସି ଵସ୍ତୁ ଥାଇ ବି ନଥିବାର ଭ୍ରମ ସୃଷ୍ଟି କରେ ଅବା ସାଧାରଣରେ ପ୍ରତୀୟମାନ ହୁଏ ନାହିଁ, ଅନ୍ୟଭାବରେ ଚିନ୍ତାକଲେ ଗ୍ରହମଣ୍ଡଳରେ ରାହୁ ଗ୍ରହ ରହିଥିଲେ ମଧ୍ୟ ଦୃଶ୍ୟ ହୋଇନଥାଏ। ତେଣୁ ଏତିକି କୁହାଯାଏ ଯେ ଥିଲେ ନଥିଲା ପରି ଏବଂ ନଥିଲେ ଥିଲା ପରି ପ୍ରତୀୟମାନ କରାଉଥିବା ଶକ୍ତି ହିଁ ମାୟା ଶକ୍ତି। ସେଥିପାଇଁ ଭଗବାନ ହେଉଛନ୍ତି ସ୍ୱୟଂ ମାୟାଧର ଶ୍ରୀକୃଷ୍ଣ।
ଶ୍ଳୋକ ୩୪:-ଯଥା ମହାନ୍ତି ଭୂତାନି ଭୁତେଷୁଚ୍ଚାବଚେଷନୁ।
ପ୍ରବିଷ୍ଟାନ୍ୟପ୍ରବିଷ୍ଟାନି ତଥା ତେଷୁ ନ ତେଷହମ।।
ଏହି ତୃତୀୟ ଶ୍ଳୋକର ଭାବାନୁବାଦ କରିଲେ ଜଣାଯାଏ ଯେ ପଞ୍ଚଭୁତରେ ମଣିଷ ଶରୀର ଗଠିତ ଏହି ପଞ୍ଚ ମହାଭୂତ ମଧ୍ୟରେ ବ୍ୟୋମୋ ବା ଆକାଶ ଏକ ତତ୍ୱ ଏହାକୁ ଅନ୍ୟଭାବରେ ଏପରି କୁହାଯାଏ ଯେ ଆକାଶ ଆଦି ପାଞ୍ଚ ମହାଭୂତ ଜୀବ ଦେହରେ ବିରାଜିତ ଅବା ଏ ଜୀବର ଶରୀର ପଞ୍ଚଭୁତର ସମାହାର। କିନ୍ତୁ ଜୀବର ଶରୀର ବ୍ୟତୀତ ପଞ୍ଚମହାଭୂତ ଏ ସଂସାରରେ ପୁରି ରହିଛି। ସେହିପରି ମୋର ଉପସ୍ଥିତି ସମଗ୍ର ସୃଷ୍ଟି ମଧ୍ୟରେ ରହିଛି ଓ ଜୀବ ଶରୀରରେ ମଧ୍ୟ ରହିଛି ଅର୍ଥାତ ମୁଁ ସ୍ୱୟଂ ଭଗବତ ସତ୍ତା ଅତ୍ର ତତ୍ର ସର୍ବତ୍ର ବିଦ୍ୟମାନ ଅଟେ। ଯାହା ସବୁଠାରେ ପ୍ରବିଷ୍ଠ ଓ ସବୁଠାରେ ଅପ୍ରବିଷ୍ଠ ମଧ୍ୟ ଅଟେ ତାହାହିଁ ଭଗବତ ସତ୍ତା ବା ଭଗବାନଙ୍କ ପ୍ରକୃତ ସ୍ୱରୂପ।
ଶ୍ଳୋକ ୩୫:-ଏତାବଦେବ ଜିଜ୍ଞାସ୍ୟଂ ତତ୍ୱଜିଜ୍ଞାସୁନା ଆତ୍ମନଃ।
ଅନୟବ୍ୟତିରେକେଭ୍ୟାଂ ଯତ ସ୍ୟତ ସର୍ବତ୍ର ସର୍ବଦା।।
ଏହାର ଭାବାନୁବାଦ ଏପରି କରାଯାଇଥାଏ ଏହି ସୃଷ୍ଟି ହେଉଛି କାର୍ଯ୍ୟ ଓ କାରଣର ସମନ୍ୱୟ। ଯେତେବେଳେ କାର୍ଯ୍ୟରେ କାରଣ ଉପଲବ୍ଧ ହୁଏ ସେତେବେଳେ ଏହାକୁ କାର୍ଯ୍ୟରେ କାରଣର ଅନ୍ୱୟ ବା ମେଳ କୁହାଯାଏ। କିନ୍ତୁ ଯେତେବେଳେ କାର୍ଯ୍ୟ ଓ କାରଣ ଅଲଗା ହୋଇ ରହନ୍ତି ଅବା କାର୍ଯ୍ୟର ବିନାଶ ଘଟେ ସେତେବେଳେ ଏହାକୁ କାର୍ଯ୍ୟ ଠାରୁ କାରଣର ବ୍ୟତିରେକ କୁହାଯାଏ। ଉଦାହରଣ ସ୍ୱରୂପ ମାଟି ହେଉଛି କାରଣ ଓ ଏଥିରୁ ଘଟ ନିର୍ମାଣ ହେଉଛି କାର୍ଯ୍ୟ, ଏହି ନିର୍ମାଣ କାର୍ଯ୍ୟର ବିନାଶ ହେଲେ ଉଭୟ ପୃଥକ ହୁଅନ୍ତି। ଏହିପରି ସଂସାର ମଧ୍ୟରେ ସମସ୍ତ ଅନ୍ଵୟ ଓ ବ୍ୟତିରେକ ସଂଘଟିତ ହେଉ ଥିଲେ ମଧ୍ୟ ସବୁ ଠାରେ ଭଗବତ ସତ୍ତାଙ୍କର ଉପସ୍ଥିତି ଅନୁମେୟ ହୋଇଥାଏ।
ଏହାମଧ୍ୟ ପଢନ୍ତୁ: https://odishasambad.in/shrimad-bhagwat-katha-84-i-am-unique-and-i-am-the-perfect-or-most-complete-being/
ଆସନ୍ତୁ ତେବେ ସେହି ମହାନ ସତ୍ୟକୁ ଜଣାଉଥିବା ଶ୍ରୀମଦ ଭାଗବତ ଗ୍ରନ୍ଥଙ୍କୁ ଆରାଧନା କରିବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.