ବର୍ମିଂହାମ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ଶୁଭମନ ଗିଲ ଇଂଲଣ୍ଡ ମାଟିରେ ଇତିହାସ ରଚିଛନ୍ତି । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଦ୍ୱିଶତକ ମାରିଛନ୍ତି । ତାଙ୍କ ପୂର୍ବରୁ କୌଣସି ଭାରତୀୟ ଅଧିନାୟକ ଇଂଲଣ୍ଡ ମାଟିରେ ଦ୍ୱିଶତକ ମାରି ନ ଥିଲେ । ସେହିପରି ପ୍ରଥମ ଏସୀୟ ଅଧିନାୟକ ଭାବେ ଗିଲ ମଧ୍ୟ ଏହି ସଫଳତା ହାସଲ କରିଛନ୍ତି । ଇଂଲଣ୍ଡରେ ୧୯୯୦ରେ ଅଧିନାୟକ ଭାବେ ଶ୍ରୀଲଙ୍କାର ହାସନ ତିଳକରତ୍ନେ ୧୯୩ ଓ ଭାରତର ମହମ୍ମଦ ଆଝାରୁଦ୍ଦିନ ୧୭୯ ରନର ଇନିଂସ ଖେଳିଥିଲେ ।
ଅଧିନାୟକ ନ ଥିବା ବେଳେ ଭାରତର ସୁନୀଲ ଗାଭାସ୍କର ୧୯୭୯ରେ ୨୨୧ ଓ ରାହୁଲ ଡ୍ରାଭିଡ ୨୦୦୨ରେ ୨୧୭ ରନର ଇନିଂସ ଖେଳିଥିଲେ । ଗିଲ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି । ସଚିନ ତେନ୍ଦୁଲକରଙ୍କ ଇଂଲଣ୍ଡ ମାଟିରେ ସର୍ବୋଚ୍ଚ ସ୍କୋର ୧୯୩ ରନ ରହିଛି । ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମୁକାବିଲାରେ ଇଂଲଣ୍ଡ ନିକଟରୁ ଭାରତ ପରାଜିତ ହୋଇଥିଲା । ଏହି ମ୍ୟାଚରେ ବିଜୟ ହାସଲ କରି ଭାରତ ସିରିଜକୁ ପ୍ରତ୍ୟାବର୍ତନ କରିବା ଲକ୍ଷ୍ୟରେ ରହିଛି । ଖବର ହସ୍ତଗତ ବେଳକୁ ଭାରତ ୬ ୱିକେଟ ବିନିମୟରେ ୫୫୬ ରନ ସଂଗ୍ରହ କରିନେଇଛି । ଗିଲ ୨୫୬ ରନ କରି ଅପରାଜିତ ରହିଛନ୍ତି ।
Comments are closed.