ଶ୍ରୀ ଭାଗବତ ସାର ୯୦: ଯେଉଁ ପ୍ରାଣୀ ପରମେଶ୍ୱରଙ୍କ ସ୍ୱତନ୍ତ୍ର କୃପା ଲାଭ କରିଥାଏ ସେ ହିଁ ଦିବ୍ୟ କର୍ମରେ ନିଜକୁ ନିୟୋଜିତ କରେ
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଚର୍ଚ୍ଚାର ମୂଖ୍ୟ ସ୍ଥଳି ନୈମିଷାରଣ୍ୟର ସନ୍ଧାନ କିପରି ମିଳିଲା ସେହି ପ୍ରସଙ୍ଗ ଆଲୋଚନା ଅବସରରେ ଆମେ ଜାଣିଲେ, ମହର୍ଷି ଭରଦ୍ୱାଜଙ୍କ ଆଶ୍ରମରେ ପହଂଚି ଋଷି ପୁତ୍ର ଶୌନକ ଓ ତାଙ୍କ ସାଥି ମାନେ ମହର୍ଷିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲେ, ହେ ମହର୍ଷି ଆମେମାନେ ସାଂସାରିକ ବିଷୟ ବାସନାରେ ଲିପ୍ତ ହେବାକୁ ଚାହୁଁ ନାହୁଁ, ଆମେ ଜୀବନ ସାରା ତପସ୍ୟାରେ ରତ ହୋଇ ଭଗବାନ ଶ୍ରୀକୃଷ୍ଣଙ୍କ କଥା ଶ୍ରବଣ ପୂର୍ବକ କାଳ ଅତିବାହିତ କରିବାକୁ ଚାହୁଁ। ଏଥିପାଇଁ ଏକ ପୁଣ୍ୟ ସ୍ଥାନ ସନ୍ଧାନରେ ଆସିଛୁ।
ଆପଣ କୃପା କରି ସେହିପରି ଏକ ପୁଣ୍ୟ ଓ ପାବନ ସ୍ଥାନର ସନ୍ଧାନ ଦେଲେ ଆମେ ଉପକୃତ ହୋଇଥାନ୍ତୁ। ଏଭଳି ଉତ୍ତର ଶୁଣି ମହର୍ଷି ଭରଦ୍ୱାଜ ଅତ୍ୟନ୍ତ ପ୍ରୀତ ହେଲେ, କୋଟି ଜନ୍ମର ତପସ୍ୟାର ଫଳ ସ୍ୱରୂପ ଭାଗବତ କଥା ଶ୍ରବଣ ଓ ଯଜ୍ଞ ଆଦିରେ ରୁଚି ଉତ୍ପନ ହୋଇଥାଏ। ଏହି ଯୌବନ ଅବସ୍ଥାରେ ତୁମେ ମାନେ ସେହି ଅସାଧାରଣ ଇଚ୍ଛା ପ୍ରକଟ କରିଛ ତେଣୁ ମୁଁ ବିସ୍ମିତ ଓ ଅତ୍ୟନ୍ତ ପ୍ରୀତ କାରଣ ଯେଉଁ ପ୍ରାଣୀ ପରମେଶ୍ୱରଙ୍କ ସ୍ୱତନ୍ତ୍ର କୃପା ଲାଭ କରିଥାଏ ସେ ହିଁ ଜପ, ଯଜ୍ଞ, ତୀର୍ଥ, ବ୍ରତ, ଧ୍ୟାନ ଓ ସମାଧି ଆଦି ଦିବ୍ୟ କର୍ମରେ ନିଜକୁ ନିୟୋଜିତ କରି ଭଗବତ ଅନୁଗ୍ରହ ଲାଭ କରିଥାଏ।
ଆଉ ଏହିସବୁ ଦିବ୍ୟ କର୍ମ ସମ୍ପାଦନ କରିବା ପାଇଁ ଏହି ପୁଣ୍ୟ କ୍ଷେତ୍ର ପ୍ରୟାଗରାଜଙ୍କ ଠାରୁ ଆଉ ଉନ୍ନତ କ୍ଷେତ୍ର ମୋ ଦୃଷ୍ଟି ରେ ନାହିଁ, ତେଣୁ ତୁମେ ମାନେ ଏହି ପାବନ କ୍ଷେତ୍ରରେ ଅବସ୍ଥାନ କରି ନିଜ ଦିବ୍ୟ କର୍ମରେ ଲିପ୍ତ ହୁଅ। ଏହାପରେ ଶୌନକ ଆଦି ଋଷି ପୁତ୍ର ମାନେ ମହର୍ଷି ଙ୍କ ପାଦ ବନ୍ଦନା କରି ତାଙ୍କ ଠାରୁ ବିଦାୟ ନେଲେ ଓ ପବିତ୍ର ଗଙ୍ଗା ଯମୁନା ନଦୀଙ୍କ ସଙ୍ଗମ ସ୍ଥଳରେ ସ୍ୱ ସ୍ୱ ପତ୍ର କୁଟୀର ନିର୍ମାଣ ରେ ଲାଗିଲେ।
ଅନେଜ ଦିନ ପର୍ଯ୍ୟନ୍ତ ସେମାନେ ସେହି ପ୍ରୟାଗରାଜରେ ରହି ତପସ୍ୟା କରିବାକୁ ଲାଗିଲେ ଏହି ସମୟରେ ସୂର୍ଯ୍ୟଦେବ ମକର ରାଶିକୁ ସଂଚାରଣ କଲେ ଓ ପୃଥିବୀ ରେ ମାଘ ମାସ ଆସିଲା। ମାଘ ମାସରେ କଳ୍ପବାସ କରିବା ପାଇଁ ସଙ୍ଗମ ସ୍ଥଳରେ ମୁନି ଋଷି, ଯୋଗୀ, ବୈରାଗୀ ମାନଙ୍କର ଭିଡ଼ ଜମିଲା କିନ୍ତୁ ଶୌନକ ଆଦି ଋଷି ପୁତ୍ର ମାନଙ୍କୁ ଏହା ଆନନ୍ଦ ଦେଲା ନାହିଁ ବରଂ ଆତଙ୍କ ସୃଷ୍ଟି କଲା। ତେଣୁ ସେମାନେ ଏକ ଏକାନ୍ତ ସ୍ଥାନର ସନ୍ଧାନରେ ରହିଲେ। ପୁନଃ ମହର୍ଷି ଭରଦ୍ୱାଜଙ୍କ ଉପଦେଶ ଲୋଡିଲେ। ମହର୍ଷି କିଛି ସମୟ ଧ୍ୟାନ ମଗ୍ନ ହୋଇ କହିଲେ।
ମୁଁ ଏପରି ଗୋଟିଏ ଦୁର୍ଲଭ ସ୍ଥାନ ବିଷୟରେ ତୁମ ମାନଙ୍କୁ ବର୍ତ୍ତମାନ କହି ପାରୁନି କିନ୍ତୁ ତୁମେ ମାନେ ତ୍ରିବେଣୀ ତଟରେ ମାଧବଙ୍କୁ ଉପାସନା କର, ସେ ନିଶ୍ଚିତ ଭାବରେ ପରମ ପାବନ ତଥା ଉପଯୁକ୍ତ ସ୍ଥାନର ସନ୍ଧାନ ଦେବେ। ମହର୍ଷି ଭରଦ୍ୱାଜଙ୍କ ଉପଦେଶ ପ୍ରକାରେ ଋଷି ପୁତ୍ର ଗଣ ତ୍ରିବେଣୀ ତଟରେ ମାଧବଙ୍କୁ ପାର୍ଥନା କରିବାକୁ ଲାଗିଲେ ଯଥା
“କୃତ ପତ୍ର ବିଚିତ୍ର ମଣ୍ଡନଂ ସତତଂ କୋଟି ମନୋଜ ମୋହନମ୍।
ପରି ପୂର୍ଣ୍ଣ ତମଂ ପରାତ୍ପରମ କଳ ବେଣୁ ଧ୍ୱନିବାଦ୍ୟ ତତ୍ପରମ।।
ଋଷି ପୁତ୍ର ମାନଙ୍କ ପାର୍ଥନା ରେ ପ୍ରୀତ ହୋଇ ମାଧବ କି କୃପା କଲେ ଜାଣିବା ଆଗକୁ ବର୍ତ୍ତମାନ କରିବା ସେହି ଭାଗବତଙ୍କ ସ୍ମରଣ।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.