ନୂଆଦିଲ୍ଲୀ: ବର୍ତ୍ତମାନ ପ୍ଲାଷ୍ଟିକ୍ ମୁଣ୍ଡ ବ୍ୟଥାର କାରଣ । ଭାରତରେ ପ୍ଲାଷ୍ଟିକ ଅଳିଆ ଏକ ସମସ୍ୟା ପାଲଟିଛି । ପ୍ରତିଦିନ ଲକ୍ଷ ଲକ୍ଷ ଟନ୍ ପ୍ଲାଷ୍ଟିକ୍ ଅଳିଆ ସମୁଦ୍ରରେ ପଡୁଛି । ଯାହା ଚିନ୍ତା ବଢାଇଥିବା ବେଳେ ପ୍ଲାଷ୍ଟିକ୍ ଅପଚୟ ନେଇ ଏକ ବଡ ଆଶ୍ବସ୍ତିକର ରିସର୍ଚ୍ଚ ସାମ୍ନାକୁ ଆସିଛି । ଏକ ନୂତନ ପ୍ଲାଷ୍ଟିକ୍, ଯାହା କିଛି ଘଣ୍ଟା ମଧ୍ୟରେ ସମୁଦ୍ରର ଲୁଣିଆ ପାଣିରେ ସ୍ୱୟଂଚାଳିତ ଭାବରେ ମିଳେଇଯିବ । ଏମିତିକି ଏଥିରୁ କୌଣସି ବି ବିଷାକ୍ତ କିମ୍ବା ମାଇକ୍ରୋପ୍ଲାଷ୍ଟିକ୍ ବି ବଞ୍ଚିବନି ।
କିଛି ଘଣ୍ଟାରେ ହଜିଯାଏ ପ୍ଲାଷ୍ଟିକର ଅସ୍ତିତ୍ବ
ଏକ ଅନନ୍ୟ ପ୍ଲାଷ୍ଟିକ୍ ତିଆରି କରିଛନ୍ତି ଜାପାନୀ ବୈଜ୍ଞାନିକ । ଯାହା କିଛି ଘଣ୍ଟା ମଧ୍ୟରେ ସମୁଦ୍ରର ଲୁଣିଆ ପାଣିରେ ମିଳେଇଯିବ । ଏହି ପ୍ଲାଷ୍ଟିକ୍ କୌଣସି ପ୍ରକାରର ବିଷାକ୍ତ ପଦାର୍ଥ ଛାଡ଼ି ପାରେ ନାହିଁ କିମ୍ବା ମାଇକ୍ରୋପ୍ଲାଷ୍ଟିକ୍ କିମ୍ବା ନାନୋପ୍ଲାଷ୍ଟିକ୍ ଆକାରରେ ରହେ ନାହିଁ। ଟୋକିଓ ବିଶ୍ୱବିଦ୍ୟାଳୟ ଏବଂ RIKEN ସେଣ୍ଟରର ବୈଜ୍ଞାନିକମାନେ ମିଳିତ ଭାବରେ ଏହି ସ୍ୱତନ୍ତ୍ର ପ୍ଲାଷ୍ଟିକ୍ ପ୍ରସ୍ତୁତ କରିଛନ୍ତି, ଯାହା ସାଧାରଣ ପେଟ୍ରୋଲିୟମ୍-ଆଧାରିତ ପ୍ଲାଷ୍ଟିକ୍ ପରି ଦେଖାଯାଏ । କିନ୍ତୁ ଏହାର ପ୍ରକୃତି ସମ୍ପୂର୍ଣ୍ଣ ଭିନ୍ନ। ଏହି ପ୍ଲାଷ୍ଟିକର ବିଶେଷ କଥା ହେଉଛି ଯେ ଯେତେବେଳେ ଏହା ଲୁଣିଆ ପାଣି କିମ୍ବା ମାଟି ସଂସ୍ପର୍ଶରେ ଆସେ, ଏହାର ମୂଳ ଉପାଦାନରେ ଭାଙ୍ଗିଯାଏ ଏବଂ ଏହି ଉପାଦାନଗୁଡ଼ିକ ପାଣିରେ ଥିବା ଜୀବାଣୁ ଦ୍ୱାରା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ । ପାଣିରେ ଏହା ୧ ଘଣ୍ଟା ଭିତରେ ସଂପୂର୍ଣ୍ଣ ନଷ୍ଟ ହେଉଥିବା ବେଳେ ମାଟିରେ ଏହି କାମ ପାଇଁ ପ୍ରାୟ ୨୦୦ ଘଣ୍ଟା ଅର୍ଥାତ୍ ୮ ଦିନରେ ସମୟ ନେଇଥାଏ । ଏହି ପ୍ଲାଷ୍ଟିକର ସବୁଠୁ ବିଶେଷ କଥା ହେଉଛି ଏହା ବିଷାକ୍ତ ନୁହେଁ । ଏହାକୁ ଜାଳିଲେ ମଧ୍ୟ କାର୍ବନ ଡାଇଅକ୍ସାଇଡ୍ ନିର୍ଗତ ହୁଏ ନାହିଁ । ଯାହା ପରିବେଶ ଏବଂ ସ୍ୱାସ୍ଥ୍ୟ ଉଭୟ ପାଇଁ ସୁରକ୍ଷିତ।
ବୈଜ୍ଞାନିକମାନେ କ’ଣ କହିଛନ୍ତି?
ଏହାକୁ ନେଇ ବୈଜ୍ଞାନିକଙ୍କ କହିବା କଥାଯେ ଏହି ନୂତନ ପ୍ଲାଷ୍ଟିକ ଏପର୍ଯ୍ୟନ୍ତ ବହୁ ପରିମାଣରେ ବ୍ୟବହାର ପାଇଁ ଉପଯୁକ୍ତ ନୁହେଁ । କିନ୍ତୁ ସେମାନେ ଏପରି ଏକ ପଦ୍ଧତି ତିଆରି କରୁଛନ୍ତି ଯାହା ଦ୍ୱାରା ଏହି ପ୍ଲାଷ୍ଟିକକୁ ବିଭିନ୍ନ ଜିନିଷର ପ୍ୟାକେଜିଂ ଭାବରେ ବ୍ୟବହାର କରାଯାଇପାରିବ। ଏହି ପ୍ରକଳ୍ପକୁ ପରିଚାଳନା କରୁଥିବା ବୈଜ୍ଞାନିକ ତାକୁଜୋ ଆଇଡା କହିଛନ୍ତି ଯେ ଏହା ଆଗାମୀ ସମୟରେ ପ୍ଲାଷ୍ଟିକ ଜଗତରେ ବଡ଼ ପରିବର୍ତ୍ତନ ଆଣିପାରିବ। ଭବିଷ୍ୟତରେ, ଏହାକୁ ଖାଦ୍ୟ ପ୍ୟାକିଂ, ଔଷଧ ଏବଂ ଚିକିତ୍ସା ସାମଗ୍ରୀ ପ୍ୟାକିଂ ଏବଂ ଅତ୍ୟାବଶ୍ୟକୀୟ ଜିନିଷ ଗୁଡ଼ାଇବାରେ ବ୍ୟବହାର କରାଯାଇପାରିବ । ଯାହା ସମ୍ଭବତଃ ପ୍ୟାକିଂ ପାଇଁ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକର ଆବଶ୍ୟକତାକୁ କମାଇବ ।
ଭାରତ ପାଇଁ ବେଶ୍ ଲାଭଦାୟକ
ଭାରତ ଏବେ ବିଶ୍ୱରେ ସର୍ବାଧିକ ପ୍ଲାଷ୍ଟିକ ବିସ୍ତାର କରୁଥିବା ଦେଶ ପାଲଟିଥିବା ବେଳେ ଏହି ପ୍ଲାଷ୍ଟିକ୍ ଭାରତ ପାଇଁ ବରଦାନ ସଦୃଶ୍ୟ । ସଂଯୁକ୍ତ ରାଷ୍ଟ୍ର ପରିବେଶ କାର୍ଯ୍ୟକ୍ରମ ଦାବି କରିଛି ଯେ ଭାରତରେ ୨୦୪୦ ସୁଦ୍ଧା ସମୁଦ୍ରରେ ପ୍ଲାଷ୍ଟିକ ଅଳିଆ ତିନିଗୁଣ ହୋଇପାରେ । ପ୍ରତିବର୍ଷ ଭାରତରେ ପ୍ରାୟ ୫.୮ ନିୟୁତ ଟନ୍ ପ୍ଲାଷ୍ଟିକ୍ ପୋଡ଼ାଯାଏ ଏବଂ ପ୍ରାୟ ୨.୫ ନିୟୁତ ଟନ୍ ପ୍ଲାଷ୍ଟିକ୍ ସ୍ଥଳଭାଗରେ କିମ୍ବା ପାଣିରେ ଏଠି ସେଠି ଫିଙ୍ଗାଯାଏ। ଯାହା ଆଉ ୨୦ ବର୍ଷ ପରେ ପ୍ରାୟ ପ୍ରତିବର୍ଷ ଭାରତରେ ୨୩ରୁ ୩୭ ନିୟୁତ ଟନ୍ ପ୍ଲାଷ୍ଟିକ ସମୁଦ୍ରରେ ଯାଇପାରେ । ଏପରି ପରିସ୍ଥିତିରେ, ଜାପାନର ଏହି ଶୀଘ୍ର ଦ୍ରବୀଭୂତ ପ୍ଲାଷ୍ଟିକ୍, ଭାରତର ପ୍ଲାଷ୍ଟିକ୍ ଅଳିଆ ସମସ୍ୟାକୁ ରୋକିପାରିବ ।
Comments are closed.