Latest Odisha News

BREAKING NEWS

ଏମ୍ସ ବର୍ଣ୍ଣ ୱାର୍ଡରେ ଏଫଏମ୍‌ କଲେଜ ପୀଡ଼ିତାଙ୍କୁ ଭେଟିଲେ ରାଷ୍ଟ୍ରପତି

ଭୁବନେଶ୍ୱର: ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏମ୍ସ ଯାଇ ବାଲେଶ୍ୱର ଫକିର ମୋହନ କଲେଜର ଗୁରୁତର ଛାତ୍ରୀଙ୍କୁ ଭେଟିଛନ୍ତି । ଏମ୍ସ ସମାବର୍ତ୍ତନ ଉତ୍ସବ ପରେ ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି । ସ୍ୱତନ୍ତ୍ର ବର୍ଣ୍ଣ ୟୁନିଟ୍‌କୁ ଯାଇ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମୟରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବର୍ଣ୍ଣ ୟୁନିଟରେ ପୀଡ଼ିତାଙ୍କୁ ସାକ୍ଷାତ କରିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ।

ଅନ୍ୟପଟେ, ପୀଡ଼ିତା ଛାତ୍ରୀଙ୍କ ମାଆ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ସିସିଟିଭିରେ ଦେଖିଲୁ ନିଆଁ ଜଳୁଛି, ଛୁଆ ମୋର ଦୌଡ଼ି ଦୌଡ଼ି ଆସିଲା । ତେଣୁ ମୁଁ ଭାବୁଛି ସାର୍‌ ନିଆଁ ଲଗାଇ ଦେଇଛନ୍ତି । ପ୍ରିନ୍ସିପାଲ, HOD ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ମାରିବାକୁ ଚେଷ୍ଟା କରିଛନ୍ତି । ତେଣୁ ଆମେ ଚାହୁଁଛୁ ସେମାନଙ୍କୁ ଫାଶିଦଣ୍ଡ ମିଳିବା ଦରକାର ବୋଲି ପୀଡିତାଙ୍କ ମାଆ ଦାବି କରିଛନ୍ତି ।

ସେ ଆହୁରି କହିଛନ୍ତି, ମୋ ଝିଅକୁ ଫେଭର ମାଗିବା କଥା ବହୁ ବିଳମ୍ବରେ ଜାଣିଲୁ । ସେ ସବୁ କଥା ମନରେ ଚାପି ରଖେ, ଘରେ ପ୍ରକାଶ କରେନି । ଶହ ଶହ ଝିଅଙ୍କ ଜୀବନ ନଷ୍ଟ ପାଇଁ ପ୍ଲାନ୍‌ କରୁଥିଲେ । ମୋ ଝିଅ ପ୍ରତିବାଦ କରିବାରୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲେ ।

ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବାଲେଶ୍ବର ଏଫଏମ୍‌ କଲେଜ ଛାତ୍ରୀ । ବର୍ଣ୍ଣ ୱାର୍ଡରେ ଚାଲିଛି ଗୁରୁତର ଛାତ୍ରୀଙ୍କ ଚିକିତ୍ସା । ପୀଡ଼ିତା ଛାତ୍ରୀଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା ଚାଲିଛି । ବର୍ତ୍ତମାନ ଚିକିତ୍ସାରେ ନିୟୋଜିତ ଅଛନ୍ତି ୧୨ ଜଣିଆ ଡାକ୍ତରୀ ଟିମ୍‌ । ପୀଡିତାଙ୍କ ବର୍ତ୍ତମାନ ଡାଏଲିସିସ ଚାଲିଛି । ଏମ୍ସ ଦିଲ୍ଲୀର ସହାୟତାରେ ପୀଡିତାଙ୍କ ଚିକିତ୍ସା ଚାଲିଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଜଟିଳ ରହିଥିବା କହିଛନ୍ତି ଏମ୍ସ ଡାକ୍ତରୀ ଟିମ୍ ।

ଅନ୍ୟପଟେ ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ବିସ୍ତୃତ ରିପୋର୍ଟ ମାଗିଲେ ରାଜ୍ୟପାଳ ହରିବାବୁ କମ୍ଭମପତି । କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା ବୋଲି ପଚାରିଲେ ରାଜ୍ୟପାଳ । ଘଟଣାକୁ ନେଇ ନିଆଯାଇଥିବା ତ୍ବରିତ ପଦକ୍ଷେପ ସଂପର୍କରେ ମଧ୍ୟ ଜାଣିବାକୁ ଚାହିଁଛନ୍ତି ରାଜ୍ୟପାଳ ।

Comments are closed.