ନୂଆଦିଲ୍ଲୀ: ଲମ୍ବା ସମୟ ଧରି ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଚାଲିଛି । ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଅନେକ ଥର ଦୁଇ ଦେଶ ମଧ୍ୟରେ ଯୁଦ୍ଧ ରୋକିବାକୁ ଉଦ୍ୟମ କରିଛନ୍ତି । ତେବେ ଏପର୍ଯ୍ୟନ୍ତ ସମାଧାନର ବାଟ ବାହାରି ପାରିନି । ଏବେ ଟାରିଫ୍ ବୋମା ଦ୍ବାରା ଯୁଦ୍ଧ ରୋକିବାକୁ ପ୍ରସ୍ତୁତି କରିଛନ୍ତି ଟ୍ରମ୍ପ । ଏନେଇ ସେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଚେତାବନୀ ଦେଇଛନ୍ତି । ୟୁକ୍ରେନ୍ ସହ ଯୁଦ୍ଧ ନରୋକିଲେ ଦେଶ ଉପରେ ବଡ଼ଧରଣର ଟାରିଫ ଲଗାଇବାକୁ ଧମକ ଦେଇଛନ୍ତି ଟ୍ରମ୍ପ । ଆଉ ସେଥିପାଇଁ ଡେଡଲାଇନ୍ ବି ଦେଇଛନ୍ତି । କେବଳ ଋଷ ନୁହେଁ, ତାଠାରୁ ତେଲ କିଣୁଥିବା ଦେଶର ବି ଟାରିଫ ଲଗାଯିବ ।
୫୦ଦିନରେ ଯୁଦ୍ଧ ବନ୍ଦ କର
ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସୋମବାର ଋଷକୁ ଚେତାବନୀ ଦେଇଛନ୍ତି । କହିଛନ୍ତି, ୫୦ଦିନ ମଧ୍ୟରେ ଯଦି ୟୁକ୍ରେନରେ ଯୁଦ୍ଧ ଶେଷ କରିବାକୁ ବୁଝାମଣା ନହୁଏ, ତେବେ ଋଷକୁ ବଡ଼ଧରଣର ଟାରିଫର ସାମନା କରିବାକୁ ପଡିପାରେ । ୫୦ଦିନ ଭିତରେ ହିଁ ବୁଝାମଣା କରିବାକୁ ଡେଡଲାଇନ୍ ଦେଇଛନ୍ତି ଟ୍ରମ୍ପ । ଏହାପରେ ଋଷ ସମେତ ଏହାର ବାଣିଜ୍ୟିକ ସହଯୋଗୀଙ୍କ ଉପରେ ଅଧିକ ଟାରିଫ ଲଗାଇବାକୁ ସେ କହିଛନ୍ତି । ୫୦ଦିନ ମଧ୍ୟରେ ଋଷ ଓ ୟୁକ୍ରେନ୍ ମଧ୍ୟରେ କୌଣସି ବୁଝାମଣା ନହେଲେ କ୍ରେମଲିନ ଉପରେ ଆମେରିକା ଶହେ ପ୍ରତିଶତ ଟାରିଫ ଲଗାଇପାରେ ବୋଲି ହ୍ବାଇଟ୍ ହାଉସର ଅଧିକାରୀ କହିଛନ୍ତି । ଋଷଠାରୁ ତେଲ କିଣୁଥିବା ଅନ୍ୟ ଦେଶ ଉପରେ ମଧ୍ୟ ସେକେଣ୍ଡାରୀ ଟାରିଫ ଲଗାଯିବ । ଋଷ ସହ ବାଣିଜ୍ୟ କରୁଥିବା ଦେଶଙ୍କୁ ବି ଟାର୍ଗେଟ୍ କରାଯିବ । ମସ୍କୋକୁ ଆର୍ଥିକ ଭାବେ ଏକଘରିକିଆ କରିବାକୁ ଯୋଜନା କରାଯାଇଛି ।
କାମ ଦେବ କି ଟ୍ରମ୍ପଙ୍କ ଚେତାବନୀ?
ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ରୋକିବାକୁ ପୂର୍ବରୁ ମଧ୍ୟ ଅନେକ ଥର ଉଦ୍ୟମ କରିଛନ୍ତି ଟ୍ରମ୍ପ । ହେଲେ ସଫଳ ହୋଇ ପାରିନାହାନ୍ତି। ଏବେ ଟ୍ରମ୍ପଙ୍କ ଚେତାବନୀ ପୁଟିନଙ୍କୁ ନେଇ ତାଙ୍କ କଡା ଆଭିମୁଖ୍ୟକୁ ଦର୍ଶାଉଛି । ଏଥର ଅର୍ଥନୀତିକୁ ଅସ୍ତ୍ର କରି ଅଧିକ ଆକ୍ରାମକ ଭାବେ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି ଟ୍ରମ୍ପ । ତାଙ୍କର ଏଭଳି ଆଭିମୁଖ୍ୟ ପୁଟିନଙ୍କୁ ଶାନ୍ତି ଆଲୋଚନା ନେଇ ପୁନର୍ବିଚାର କରିବାକୁ ବାଧ୍ୟ କରିପାରେ ବୋଲି ନାଟୋ ମହାସଚିବ ମାର୍କ ରୁଟ୍ । ତାଙ୍କ ସହ ଓଭାଲ ଅଫିସରେ ବୈଠକ କରିଥିଲେ ଟ୍ରମ୍ପ । ଏଥିରେ ଶାନ୍ତି ବୁଝାମଣା ନହେଲେ ଋଷ ଉପରେ କଡା ଟାରିଫ ଲଗାଇବା କଥା କହିଥିଲେ । ଏହାସହ ଋଷ ଆକ୍ରମଣର ମୁକାବିଲା ପାଇଁ ୟୁକ୍ରେନକୁ ଆମେରିକା ପାଟ୍ରିୟଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ପଠାଇବ ବୋଲି ଟ୍ରମ୍ପ କହିଛନ୍ତି ।
ଏସବୁ ଦେଶ ଉପରେ ଲାଗିଛି ଟାରିଫ
ପ୍ରାୟ ୨୫ଟି ଦେଶ ଉପରେ ନୂଆ ଟାରିଫ ଲାଗୁ କରିବା ନେଇ ଘୋଷଣା କରିସାରିଛି ଆମେରିକା । ସେମାନଙ୍କୁ ପଠା ଯାଇଥିବା ଟାରିଫ ଚିଠିରେ ଲାଗିଥିବା ଟାରିଫ ସହ ଏହା ପଛର କାରଣ ସଂପର୍କରେ ସୂଚନା ଦିଆଯାଇଛି । ଟାରିଫ ଲାଗୁ ହେବା ନେଇ ଅଗଷ୍ଟ ୧ତାରିଖ ସ୍ଥିର କରାଯାଇଛି । ଏପର୍ଯ୍ୟନ୍ତ ଅନେକ ଦେଶ ଉପରେ ଟାରିଫ ଲାଗିଥିଲେ ମଧ୍ୟ ଋଷକୁ ତାଲିକାରୁ ବାହାରେ ରଖାଯାଇଥିଲା । ହେଲେ ଏବେ ଖୋଲାଖୋଲି ଋଷ ଆଗରେ କଡା ସର୍ତ୍ତ ରଖିଛନ୍ତି ଟ୍ରମ୍ପ । ଯଦି ଋଷ ଉପରେ ଆମେରିକା ଟାରିଫ ଲାଗୁ କରେ ତେବେ ପଶ୍ଚାତ୍ୟ ଶୁଳ୍କ କଟକଣା ନୀତିରେ ବଡ଼ ପରିବର୍ତ୍ତନ ହେବ । ତିନି ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧ ଯୋଗୁଁ ପାଶ୍ଚାତ୍ୟ ଦେଶ ଗୁଡିକ ମସ୍କୋ ସହ ସେମାନଙ୍କର ଆର୍ଥିକ ସଂପର୍କ ଏକପ୍ରକାର କାଟି ଦେଇଛନ୍ତି । ତେବେ ଚୀନ୍ ଓ ଭାରତ ପରି ଦେଶକୁ ତେଲ ବିକ୍ରି କରି ମୁନାଫା କମାଉଛି ଋଷ । ତେଣୁ ଏବେ ଋଷ ସହ ବାଣିଜ୍ୟ କରୁଥିବା ଦେଶ ଉପରେ ମଧ୍ୟ ଟାରିଫ ଲଗାଇବାକୁ ଚିନ୍ତା କରୁଛି ଆମେରିକା ।
Comments are closed.