ଭୁବନେଶ୍ୱର: ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ମାମଲା । ଶେଷ ହେଲା ଉଚ୍ଚଶିକ୍ଷା ବିଭାଗର ତଦନ୍ତ । ଏହି ଘଟଣାରେ ଆଜି ୩୦ରୁ ୩୨ ଜଣଙ୍କ ବୟାନ ରେକର୍ଡ କଲେ ଉଚ୍ଚଶିକ୍ଷା ବିଭାଗର ଟିମ୍ । ଏଥିରେ ଅଛନ୍ତି UGC ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, କ୍ରାମବ୍ରାଞ୍ଚ ଓ ଉଚ୍ଚଶିକ୍ଷା ବିଭାଗର ଟିମ୍ ।
ଆଜି ଆଇସିସି ମେମ୍ବର, ପ୍ରିନ୍ସିପାଲ ଓ ବହୁ ଛାତ୍ରଛାତ୍ରୀ ତଦନ୍ତର ସାମ୍ନା କରିଥିଲେ । ଅନ୍ୟପଟେ UGC ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଅଧିକାଂଶ BED ପିଲାଙ୍କ ମତାମତ ନେଇଥିଲେ ।
ତଦନ୍ତ ପରେ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମତାମତକୁ ଉଚିତ ସ୍ଥାନରେ ସ୍ଥାନିତ କରାଯିବ । ବୟାନକୁ ନେଇ ରିପୋର୍ଟ ଲେଖିବା ପରେ ସେ ସବୁର ତର୍ଜମା କରାଯିବ। ସରକାରଙ୍କ ପାଖରେ ରିପୋର୍ଟ ଦାଖଲ କରାଯିବ । ଆଇସିସିର ରିପୋର୍ଟକୁ ସବୁ ତର୍ଜମା କରାଯାଇଛି ।
ସେପଟେ, ଫକୀର ମୋହନ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଶୁକ୍ରବାର ଏଫ୍ଏମ୍ ଛାତ୍ରୀ ମୃତ୍ୟୁର ତନାଘନା କରୁଥିବା କ୍ରାଇମବ୍ରାଞ୍ଚ ଟିମ୍କୁ ଏକ ବଡ଼ ସୁରାକ୍ ମିଳିଛି । ଘଟଣା ଦିନ ପେଟ୍ରୋଲ କେଉଁଠୁ ଆସିଲା ଏବଂ କିଏ ଆଣିଲା ସେନେଇ ସୁରାକ୍ ମିଳିଛି । ପେଟ୍ରୋଲ ପମ୍ପରୁ ଜଣେ ଛାତ୍ରୀ ବୋତଲରେ ଗୋଟିଏ ଲିଟର ତେଲ ନେଇଥିଲେ । ସିସିଟିଭି ଫୁଟେଜକୁ ଆଧାର କରି କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ଜାରି ରଖିଛି ।
ସୂଚନାଯୋଗ୍ୟ, ଛାତ୍ରୀ ଜଣକ ଗତ ୧୨ ତାରିଖରେ କଲେଜ ପରିସରରେ ଆତ୍ମାହୁତି ଉଦ୍ୟମ କରିଥିଲେ । ସୋମବାର ରାତିରେ ତାଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଅଧ୍ୟକ୍ଷ ଦିଲୀପ ଘୋଷ ଓ ଏଚଓଡି ସମୀର ସାହୁଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଥିଲା । ଏହାପରେ ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Comments are closed.