ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛି ଜଗଦୀପ ଧନଖଡ଼ । ସ୍ବାସ୍ଥ୍ୟଗତ ସମସ୍ୟାକୁ କାରଣ ଦର୍ଶାଇ ଧନଖଡ଼ ପଦ ଛାଡିଥିବା ବେଳେ ବିରୋଧୀ ଇସ୍ତଫା ପଛରେ କାରଣକୁ ନେଇ ଭିନ୍ନ ଚର୍ଚ୍ଚା କରୁଛନ୍ତି । ରାଜନୈତିକ ବିଶେଷଜ୍ଞ ମଧ୍ୟ ତମାମ ଆକଳନ କରୁଛନ୍ତି । ଅନେକ ଏହାକୁ ଆଗାମୀ ବିହାର ନିର୍ବାଚନ ସହ ଯୋଡି ଦେଖୁଛନ୍ତି । ଏହାମଧ୍ୟରେ କିଏ ହେବେ ପରବର୍ତ୍ତୀ ଉପରାଷ୍ଟ୍ରପତି, ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କଠାରୁ ଆରମ୍ଭ କରି କଂଗ୍ରେସ ସାଂସଦ ଶଶି ଥରୁରଙ୍କ ପର୍ଯ୍ୟନ୍ତ, ସୋସିଆଲ ମିଡିଆରେ ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କୁ ନେଇ ଅନେକ ନାଁ ଚର୍ଚ୍ଚା ଚାଲିଛି ।
ରେସରେ ଆଗରେ ନୀତିଶ କୁମାର !
କିଛି ମାସ ପରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ନୀତିଶ କୁମାର ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ନୀତିଶ ଉପରାଷ୍ଟ୍ରପତି ହେଲେ ରାଜ୍ୟରେ ବିଜେପି ଜିତିଲେ ନିଜ ଦଳରୁ ମୁଖ୍ୟମନ୍ତ୍ରୀ କରିପାରିବ । ମେଣ୍ଟ ସହଯୋଗୀ ଜେଡିୟୁକୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ । ଏପରିକି ନୀତିଶଙ୍କ ପୁଅ ନିଶାନ୍ତଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରେ ବସାଯାଇପାରେ ବୋଲି ବରିଷ୍ଠ ସାମ୍ବାଦିକ ସମୀର ଚୌଗାଓଁକର ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି । ସେହିପରି ନୀତିଶ ଉପରାଷ୍ଟ୍ରପତି ହେଲେ ଧନଖଡ଼ଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯାଇପାରେ ବୋଲି ମଧ୍ୟ ଅନେକ ଆକଳନ କରିଛନ୍ତି । ନୀତିଶ ଉପରାଷ୍ଟ୍ରପତି ହୁଅନ୍ତୁ, ଏହା ସମସ୍ତଙ୍କ ଇଚ୍ଛା ବୋଲି ବିହାରର ବିଜେପି ବିଧାୟକ ହରିଭୂଷଣ ଠାକୁର ବଚୌଲ କହିଛନ୍ତି ।
ପୁଣି ଚର୍ଚ୍ଚାରେ ରାଜନାଥଙ୍କ ନାଁ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନାଁ ମଧ୍ୟ ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି । ଧନଖଡ଼ଙ୍କ ପରେ ରାଜନାଥ ଉପରାଷ୍ଟ୍ରପତି ହୋଇପାରନ୍ତି ବୋଲି ଅନେକ ଆକଳନ କରୁଛନ୍ତି । ୨୦୨୨ରେ ଉପରାଷ୍ଟ୍ରପତି ପଦ ପାଇଁ ରାଜନାଥ ସିଂଙ୍କ ନାଁ ମଧ୍ୟ ଚର୍ଚ୍ଚା ହୋଇଥିଲା । ଏଥର ବି ପୁଣି ତାଙ୍କୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ସେହିପରି ରାଜ୍ୟସଭାରେ ଉପସଭାପତି ତଥା ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହଙ୍କ ନାଁ ମଧ୍ୟ ରେସରେ ଆଗରେ ରହିଛି । ନିୟମ ଅନୁସାରେ ଧନଖଡ଼ଙ୍କ ଅନୁପସ୍ଥିତିରେ ତଥା ନୂଆ ଉପରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ଗୃହ ଦାୟିତ୍ବ ନେବେ ହରିବଂଶ । ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ହରିବଂଶଙ୍କର ଭଲ ସଂପର୍କ ରହିଛି । ତେଣୁ ତାଙ୍କୁ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ କରିପାରେ ବୋଲି ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଉଛି ।
ଶଶି ଥରୁର ସରପ୍ରାଇଜ୍ !
ପରବର୍ତ୍ତୀ ଉପରାଷ୍ଟ୍ରପତି ପାଇଁ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ଅପରେସନ୍ ସିନ୍ଦୂର ପରେ ବିଦେଶରେ ଭାରତର ଆଭିମୁଖ୍ୟ ରଖିବା ପାଇଁ ହୋଇଥିବା ପ୍ରତିନିଧି ମଣ୍ଡଳୀରେ ଥିଲେ ଥରୁର । ଏହାପରଠୁ ମୋଦି ସରକାରଙ୍କ ସହ ତାଙ୍କ ଘନିଷ୍ଠତା ତଥା କଂଗ୍ରେସ ସହ ବିଭେଦ ତାଙ୍କ ବୟାନରୁ ଖୋଲାଖୋଲି ଦେଖିବାକୁ ମିଳିଛି । ତେଣୁ ଶଶି ଥରୁରଙ୍କ ନାଁ ପରବର୍ତ୍ତୀ ଉପରାଷ୍ଟ୍ରପତି ପାଇଁ ଆଗକୁ ଆସିପାରେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି । ବିଜେପିର ଭେଟେରାନ୍ ଜେପି ନଡ୍ଡା ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘନିଷ୍ଠ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତେଣୁ ତାଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।
ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ପଦ ପାଇଁ ଏସବୁ ନାଁ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ଏନଡିଏ କିମ୍ବା ବିରୋଧୀ ଦଳ ପକ୍ଷରୁ କୌଣସି ନାଁର ପ୍ରସ୍ତାବ ରଖାଯାଇନି । ତେବେ ଆସନ୍ତା ୬୦ଦିନ ମଧ୍ୟରେ ପରବର୍ତ୍ତୀ ଉପରାଷ୍ଟ୍ରପତି ନିର୍ବାଚନ ହେବ ।
Comments are closed.