ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଏବେ ମନ୍ତ୍ରିମଣ୍ଡଳ ଅଦଳବଦଳ ଓ ପୁନର୍ଗଠନ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଭବନରେ ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟିଙ୍କୁ ଭେଟ ଓ ତା’ପରେ ରାଜ୍ୟପାଳଙ୍କ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବାସଭବନ ଗସ୍ତ ଏହି ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି। ଏହାପରେ ରାଜ୍ୟ ବିଜେପି ସଭାପତି ମନମୋହନ ସମାଲ ମଙ୍ଗଳବାର ସକାଳେ ଦିଲ୍ଲୀ ଗସ୍ତ କରିଛନ୍ତି, ଯାହା ରାଜନୈତିକ ମହଲରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଭେଟକୁ ସୌଜନ୍ୟମୂଳକ ବୋଲି କହିଥିଲେ ମଧ୍ୟ, ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ଆଲୋଚନା ଓଡ଼ିଶାର ବିକାଶ ରୋଡମ୍ୟାପ ଓ ସୁଶାସନ ବୃଦ୍ଧି ଉପରେ କେନ୍ଦ୍ରିତ ଥିଲା ବୋଲି ରାଜ୍ୟପାଳଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି। ତେବେ ରାଜନୈତିକ ସୂତ୍ରରୁ ଜଣାପଡ଼ିଛି ଯେ, ମୁଖ୍ୟମନ୍ତ୍ରୀ ଆଗାମୀ ଦୁଇ ଦିନ ମଧ୍ୟରେ ଦିଲ୍ଲୀ ଗସ୍ତ କରିପାରନ୍ତି।
ରାଜ୍ୟ ବିଜେପି ସଭାପତି ମନମୋହନ ସମାଲ, ଯିଏ ଚତୁର୍ଥ ଥର ପାଇଁ ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି, ଦିଲ୍ଲୀରେ କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଭେଟି ରାଜ୍ୟର ରାଜନୈତିକ ଓ ସାଙ୍ଗଠନିକ ପରିସ୍ଥିତି ଉପରେ ଆଲୋଚନା କରୁଛନ୍ତି। ସୂତ୍ର ଅନୁସାରେ, ଏହି ଆଲୋଚନାରେ ମନ୍ତ୍ରିମଣ୍ଡଳରେ ୬ଟି ଖାଲି ପଦ ପୂରଣ ଓ ବିଭିନ୍ନ ବୋର୍ଡ ତଥା ନିଗମର ଅଧ୍ୟକ୍ଷ ନିଯୁକ୍ତି ମଧ୍ୟ ସାମିଲ ରହିଛି।
ବର୍ତ୍ତମାନ ଓଡ଼ିଶା ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୬ ଜଣ ସଦସ୍ୟ ଅଛନ୍ତି, ଯେଉଁଥିରେ ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀ, ୮ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ ଦାୟିତ୍ୱ ସହ ରହିଛନ୍ତି। ରାଜ୍ୟରେ ସର୍ବାଧିକ ୨୨ ଜଣ ମନ୍ତ୍ରୀ ରହିପାରିବେ। ଏହିନିୟମ ଅନୁସାରେ ୬ଟି ପଦ ଖାଲି ରହିଛି।
ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ବାବୁ ସିଂ, ଇରାଶିଷ ଆଚାର୍ଯ୍ୟ, ଅମର ନାୟକ, ଆଶ୍ରିତ ପଟ୍ଟନାୟକ, ସନାତନ ବିଜୁଳି, ପ୍ରତାପ ନାୟକ, ଛବି ମଲ୍ଲିକ ଓ ଦୁର୍ଗା ପ୍ରସନ୍ନ ନାୟକ ମନ୍ତ୍ରୀ ପଦ ପାଇଁ ପ୍ରମୁଖ ଦାବିଦାର ବୋଲି ଚର୍ଚ୍ଚା ହେଉଛି। ଏହା ସହିତ କନ୍ଧମାଳ, କୋରାପୁଟ ଭଳି ଜିଲ୍ଲା ବର୍ତ୍ତମାନ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ ହାସଲ କରିନାହାନ୍ତି, ତେଣୁ ଏମାନଙ୍କୁ ପ୍ରାଧାନ୍ୟ ଦିଆଯାଇପାରେ। ଏହା ସହିତ ଏବେର ମନ୍ତ୍ରୀଙ୍କ ବିଭାଗ ପୁନର୍ଗଠନ ନେଇ ମଧ୍ୟ ଆଲୋଚନା ଜୋର ଧରିଛି।
ବିଜେପି ଜାତୀୟ ସାଧାରଣ ସମ୍ପାଦକ ତରୁଣ ଛୁଗଙ୍କ ନେତୃତ୍ୱରେ ଦୁଇ ପର୍ଯ୍ୟାୟ ବୈଠକ ପରେ ରାଜ୍ୟ ସରକାରଙ୍କ ବିଭିନ୍ନ ବୋର୍ଡ ଓ ନିଗମରେ ପ୍ରାୟ ୧୫୦ ନେତାଙ୍କୁ ନିଯୁକ୍ତି ପାଇଁ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଏହି ନିଯୁକ୍ତି ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି।
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, “ଦଳ ଏ ନେଇ ଆଲୋଚନା ଆରମ୍ଭ କରିଛି। ରାଜ୍ୟ ସଭାପତି ମଧ୍ୟ ଏ ବିଷୟରେ ସ୍ପଷ୍ଟତା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଯେତେବେଳେ ନିଷ୍ପତ୍ତି ନେବେ, ତାହା ପ୍ରକାଶ ପାଇବ।” ବିଜେପି ନେତା ପ୍ରଦ୍ୟୁମ୍ନ ନାୟକ କହିଛନ୍ତି, “ଆମ ଦଳ ଏକ ବଡ଼ ଶକ୍ତିକୁ ପରାସ୍ତ କରି କ୍ଷମତାକୁ ଆସିଛି। ତେଣୁ ବିଧାୟକମାନେ ଜନତାଙ୍କ ଆକାଂକ୍ଷା ପୂରଣ କରିବାରେ ସକ୍ଷମ। ମନ୍ତ୍ରୀ ହେବାର ଆକାଂକ୍ଷା ସ୍ୱାଭାବିକ, କିନ୍ତୁ ଆମେ ଏଥିପାଇଁ କୌଣସି ଚାପ ଦେଉନାହୁଁ। ମନ୍ତ୍ରୀ ଚୟନ ମୁଖ୍ୟମନ୍ତ୍ରୀଙ୍କ ଅଧିକାର।”
ରାଜନୈତିକ ସମୀକ୍ଷକଙ୍କ ମତରେ “ମୁଖ୍ୟମନ୍ତ୍ରୀ ଗତ ୧୩ ମାସରେ ବିଭିନ୍ନ ବିଭାଗରେ ମନ୍ତ୍ରୀମାନଙ୍କ ଦକ୍ଷତା ଜାଣିଛନ୍ତି। କେତେକ ଅଞ୍ଚଳର ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ ନାହିଁ। ଏହି ସମସ୍ତ ବିଷୟକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ଉପଯୁକ୍ତ ନେତା ଚୟନ କରିବାରେ କୌଣସି ଅସୁବିଧା ହେବ ନାହିଁ।”
ଏହା ସହିତ, ବିଜେପି ସରକାର ଗତ ବର୍ଷକ ମଧ୍ୟରେ ବାଲେଶ୍ୱର ଏଫଏମ କଲେଜ ଘଟଣା ଓ ପୁରୀ ରଥଯାତ୍ରା ଅବ୍ୟବସ୍ଥା ଭଳି ଘଟଣା ନେଇ ସମାଲୋଚନାର ସମ୍ମୁଖୀନ ହୋଇଛି। ମନ୍ତ୍ରିମଣ୍ଡଳ ବିସ୍ତାର ଓ ନୂଆ ଜିଲ୍ଲାପାଳଙ୍କ ନିଯୁକ୍ତି ଏହି ସମସ୍ୟାଗୁଡ଼ିକର ସମାଧାନ ଓ ଜନସାଧାରଣଙ୍କ ଆସ୍ଥା ଫେରାଇ ଆଣିବାରେ ସହାୟକ ହୋଇପାରେ। ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟରେ ତା’ର ସାଙ୍ଗଠନିକ ସ୍ଥିତିକୁ ମଜବୁତ କରିବା ପାଇଁ ଏହି ପଦକ୍ଷେପକୁ ଗୁରୁତ୍ୱ ଦେଉଛି।

Comments are closed.