କଟକ: ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀଙ୍କ ଆତ୍ମାହୁତୀ ଉଦ୍ୟମ ଘଟଣା । ଏହି ଘଟଣାକୁ “ଅତ୍ୟନ୍ତ ଦୁଃଖଦ ଓ ଲଜ୍ଜାଜନକ” ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହି ଘଟଣାରେ କେନ୍ଦ୍ର ସରକାର ଓ ସମସ୍ତ ପକ୍ଷଙ୍କୁ ଜବାବ ମାଗିଛନ୍ତି ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ।
ଗ୍ରାମାଞ୍ଚଳରେ ସ୍କୁଲ ଛାତ୍ରୀ, ମହିଳା ଓ ଶିଶୁଙ୍କୁ ସୁରକ୍ଷା କରିବା ପାଇଁ କଣ ପଦକ୍ଷେପ ନିଆଯାଇପାରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଦେଶରେ ଏପରି ଘଟୁଛି, ଯାହା ଦୁର୍ଭାଗ୍ୟଜନକ ଓ ଆମକୁ ଲଜ୍ଜିତ କରୁଛି ବୋଲି ଖଣ୍ଡପୀଠ କହିଛନ୍ତି । ତେବେ ସୁପ୍ରିମ କୋର୍ଟ ମହିଳା ଓକିଲ ସଂଘ ପକ୍ଷରୁ ଏହି ଘଟଣାକୁ ସୁପ୍ରିମକୋର୍ଟଙ୍କ ନଜରକୁ ଅଣାଯାଇଥିଲା ।
ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହା କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ ମକଦ୍ଦମା ନୁହେ, ବରଂ ସମାଜର ସବୁଠାରୁ ଅସୁରକ୍ଷିତ ଲୋକଙ୍କୁ ସଶକ୍ତ କରିବା ପାଇଁ କାର୍ଯ୍ୟକାରୀ ପଦକ୍ଷେପ ଆବଶ୍ୟକ ।
ସୂଚନାଯୋଗ୍ୟ, ଏଫଏମ୍ କଲେଜର ଦ୍ୱିତୀୟ ବର୍ଷର ଇଣ୍ଟିଗ୍ରେଟେଡ ବିଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଜୁଲାଇ ୧୨ରେ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ବାହାରେ ନିଜକୁ ନିଆଁ ଲଗାଇ ଦେଇଥିଲେ । ସେ ଅଧ୍ୟାପକଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିବା ବେଳେ କଲେଜ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ଏହି ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି । ୯୫ ପ୍ରତିଶତ ଜଳିବା ଯୋଗୁଁ ସେ ଜୁଲାଇ ୧୪ ରାତିରେ ଏମ୍ସ ଭୁବନେଶ୍ୱରରେ ମୃତ୍ୟୁ ବରଣ କରିଥିଲେ । ଏହାକୁ ନେଇ ଓଡିଶା କ୍ରାଇମବ୍ରାଞ୍ଚ, ୟୁଜିସି ଭଳି ବିଭିନ୍ନ ସ୍ତରରେ ତଦନ୍ତ ଜାରି ରହିଛି ।
Comments are closed.