ଶ୍ରୀ ଭାଗବତ ସାର ୧୧୦: ସୃଷ୍ଟି ସର୍ଜନା ପାଇଁ ବ୍ରହ୍ମା, ସୃଷ୍ଟି ପାଳନ ପାଇଁ ବିଷ୍ଣୁ ଓ ସୃଷ୍ଟି ସଂହାର ପାଇଁ ଶିବ ସ୍ୱରୂପ ଧାରଣ କରିଥାନ୍ତି
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ଅନେକ ଅଲୌକିକ କାହାଣୀର ଅବତାରଣା ମିଳେ। ସୃଷ୍ଟି ଆରମ୍ଭର କଥା ବ୍ରହ୍ମାଙ୍କ ଇଚ୍ଛା ଅନୁସାରେ ତାଙ୍କ ଚାରି ମାନସ ପୁତ୍ର ସନକ, ସନନ୍ଦନ, ସନାତନ ଓ ସନତ କୁମାର ସତ୍ୱ ଗୁଣର ଅଧିକାରୀ ହୋଇ ସୃଷ୍ଟି ପ୍ରକ୍ରିୟାରେ ସାମିଲ ହେଲେ ନାହିଁ। କିନ୍ତୁ ସୃଷ୍ଟି ରଚନାର ଇଚ୍ଛା ବ୍ରହ୍ମାଙ୍କ ଠାରେ ପ୍ରବଳରୁ ପ୍ରବଳତର ହେବାରେ ଲାଗିଲା ମନରେ ଜାଗ୍ରତ ହେଲା ଏକ ମୋହିନୀ ଶକ୍ତି ଉତ୍ପନ୍ନ କରିବାର ଇଚ୍ଛା। କାରଣ ଅନନ୍ତ ଶୟନରେ ଥିବା ପରମେଶ୍ୱର ନାରାୟଣ ମଧ୍ୟ ସୃଷ୍ଟି ରଚନା ପାଇଁ ନିଜ ଇଚ୍ଛା ପ୍ରକଟ କରି ସାରିଥିଲେ।
ଏଵେ ବ୍ରହ୍ମାଙ୍କ ଶରୀରରେ ଅପୂର୍ବ କମ୍ପନ ନିଜ ମନରେ ଦ୍ୱେତ ଭାବନା ପୋଷଣ କରିବାରୁ ତାଙ୍କ ଶରୀର ଦୁଇ ଭାଗ ହୋଇଗଲା। କିନ୍ତୁ ସୃଷ୍ଟି ସର୍ଜନା କରିବାର ସଂକଳ୍ପରୁ ଗୋଟିଏ ଭାଗ ପୁରୁଷ ରୂପ ଧାରଣ କଲା ଓ ମୋହିନୀ ଶକ୍ତି ଜାଗ୍ରତ କରିବାର ଇଚ୍ଛା ଥିବାରୁ ଅନ୍ୟ ଭାଗଟି ସ୍ତ୍ରୀ ଶରୀର ପ୍ରାପ୍ତ ହେଲା। ଏହି ଭାଗର ବା ସ୍ତ୍ରୀ ଶରୀରର ରୂପ ସତରେ ମନମୋହକ ଥିଲା। ତେଣୁ ବ୍ରହ୍ମା ତାର ନାମ ରଖିଲେ ଶତରୁପା ଓ ପୁଲିଙ୍ଗ ଶରୀର ଧାରୀଙ୍କୁ ନିଜ ମନକାମନା ପୂର୍ତ୍ତିର ଆଧାର ସ୍ୱରୂପ ନାମ ଦେଲେ ମନୁ। ସଙ୍ଗେ ସଙ୍ଗେ ମନୁ ବ୍ରହ୍ମାଙ୍କୁ ସ୍ତୁତି କରି ପଚାରିଲେ ମୋର କର୍ମ କଣ ପିତା ଦୟାକରି କୁହନ୍ତୁ। ବ୍ରହ୍ମା ସଙ୍ଗେ ସଙ୍ଗେ ଉତ୍ତର ଦେଲେ ଏହି ମନମୋହିନୀ ଶକ୍ତିଙ୍କ ସଙ୍ଗେ ମିଶି ସୃଷ୍ଟି ରଚନାର ପ୍ରକ୍ରିୟାକୁ ରୂପ ଦିଅ।
ସେତେବେଳେ ସେ କନ୍ୟା ରୂପ ପାଇଥିବା ଶରୀରଟି ମଧ୍ୟ ଈଶ୍ୱର ଇଚ୍ଛାର ବଶବର୍ତ୍ତୀ ହୋଇ ମନୁଙ୍କ ପ୍ରତି ଆକର୍ଷିତ ହୋଇ ସାରିଥିଲେ। ବ୍ରହ୍ମାଠାରୁ ସୃଷ୍ଟି ରଚନାର ଆଦେଶ ପାଇ ଦୁହେଁ ମିଳନ ପାଇଁ ଏକ ନିରୋଳା ସ୍ଥାନ ମାଗିଲେ। ପୁନଃ ବ୍ରହ୍ମାଙ୍କ ମନ ଆନ୍ଦୋଳିତ ହେଲା ଓ ଚଉଦ ଭୁବନ ସୃଷ୍ଟି ହେଲା ଯଥା ଭୁଃ ଭୁବଃ, ସ୍ୱଃ, ମହଃ, ତପଃ, ଜନଃ ଓ ସତ୍ୟଲୋକ ଏହା ତାଙ୍କ ସୄଷ୍ଟ ମେଦିନୀ ବା ପୃଥିବୀର ଉପରେ ରହିଲା ଓ ତଳେ ମଧ୍ୟ ପାତାଳ ସାତ ଭାଗରେ ବିଭକ୍ତ ହୋଇ ରହିଲା। ମନୁ ଓ ଶତରୁପା ପୃଥିବୀରେ ବାସ କଲେ ଉଭୟ କାଳ ବିଳମ୍ବ ନକରି ବ୍ରହ୍ମା ଇଚ୍ଛାକୁ ସମ୍ମାନ ଜଣାଇ ସନ୍ତାନ ଉତ୍ପାଦନରେ ବ୍ରତି ହେଲେ ଆରମ୍ଭ ହେଲା ସୃଷ୍ଟି ପ୍ରକ୍ରିୟା।
ଏହାମଧ୍ୟ ପଢନ୍ତୁ: https://odishasambad.in/shrimad-bhagwat-katha-109-a-lotus-flower-emerged-from-the-navel-of-the-giant-and-from-it-emerged-the-creator-brahma/
ଓଡ଼ିଆ ଭାଗବତରେ ଶ୍ରୀଜଗନ୍ନାଥ ଦାସ ଖୁବ ତାତ୍ୱିକ ଭାବରେ ଏହି ସବୁ ସୃଷ୍ଟି ପ୍ରକ୍ରିୟାକୁ ଭଗବାନଙ୍କ ଲୀଳା ବୋଲି ବର୍ଣନା କରି ଲେଖିଲେ
କାଳ ସ୍ୱରୂପ ନାରାୟଣ।
ସୃଷ୍ଟି ପାଳନ ସଂହାରଣ।।
ଖେଳଇ ନିଜ ମାୟା ବଳେ।
କେ ତା ଦେଖିବ ଚର୍ମ ଡୋଳେ।।
ତା ଶରୀରୁ ଆତ୍ମା ଜାତ।
ଲୀଳାରେ ସୃଜଇ ଜଗତ।।
ସତରେ ଏ ସୃଷ୍ଟି ସୃଜନା ଓ ତାର ବିଲୟ ସବୁ ସେହି ପରମେଶ୍ୱରଙ୍କ ଇଚ୍ଛାଧିନ, ସେହିପରି ସୃଷ୍ଟିର ପ୍ରକ୍ରିୟାକୁ ସୁପରିଚାଳନା କରିବାକୁ ଭଗବାନ ନିଜ ଶକ୍ତିକୁ ତିନି ଭାଗରେ ବିଭକ୍ତ କରି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ରୂପ ଧାରଣ କରିଛନ୍ତି। ଅର୍ଥାତ ସୃଷ୍ଟି ସର୍ଜନା ପାଇଁ ବ୍ରହ୍ମା, ସୃଷ୍ଟି ପାଳନ ପାଇଁ ବିଷ୍ଣୁ, ଓ ସୃଷ୍ଟି ସଂହାର ପାଇଁ ଶିବ ସ୍ୱରୂପ ଧାରଣ କରିଥାନ୍ତି। ଏବଂ ସମୟ ସମୟରେ ବିଶେଷ କାର୍ଯ୍ୟ ସମ୍ପାଦନ କରିବା ଉଦେଶ୍ୟରେ ସେ ଅବତାର ଗ୍ରହଣ କରନ୍ତି ଏକ ବିଶେଷ ସ୍ୱରୂପରେ। ଆଗାମୀ ଅଧ୍ୟାୟ ମାନଙ୍କରେ ଏହି ତତ୍ତ୍ୱର ବିଶେଷ ଆଲୋଚନା କରିବା ବର୍ତ୍ତମାନ କେବଳ ଗୋଟିଏ କଥା କହିବା
ଈଶ୍ୱର କ୍ରୀଡା ଏ ଜଗତ।
ପ୍ରାଣୀଏ ଈଶ୍ୱର ଆୟତ୍ତ।।
ଜୟ ଜଗନ୍ନାଥ (ଦ. ତ୍ରି. ଉଵାଚ )
Comments are closed.