ଶ୍ରୀ ଭାଗବତ ସାର ୧୧୧: ଶ୍ରୀମଦ ଭାଗବତ ଆମକୁ ଭଗବାନଙ୍କ ଲୀଳା ବର୍ଣ୍ଣନା ଓ ପରଂବ୍ରହ୍ମଙ୍କ ବିଭିନ୍ନ ଅବତାରର ତଥ୍ୟ ଦେଇଥାଏ
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଆମକୁ ଭଗବାନଙ୍କ ଲୀଳା ବର୍ଣନା ଦେବା ସହିତ ପରଂବ୍ରହ୍ମଙ୍କ ବିଭିନ୍ନ ଅବତାର ବିଷୟରେ ତଥ୍ୟ ଦେଇଥାଏ। ଆମେ ପରମେଶ୍ୱରଙ୍କ ବିରାଟପୁରୁଷ ତତ୍ୱ ଜାଣିଲେ, ତାସହିତ ଜାଣିଲେ ପ୍ରଥମ ଅବତାରଙ୍କ ସମ୍ପର୍କରେ। ଏଵେ ଜାଣିବା ସେହି ଶ୍ରୀମଦ ଭାଗବତ ଆଧାରରେ ଅନ୍ୟାନ୍ୟ ଅବତାର ସମ୍ପର୍କରେ। ଏହି ବିଭିନ୍ନ ଅବତାର ସମ୍ପର୍କରେ ଜାଣିବା ପାଇଁ ହେଲେ ଆମକୁ ଗୋଟିଏ ବଡ଼ ତତ୍ୱ ଜାଣିବାକୁ ହେବ ପରମାତ୍ମାଙ୍କ ବିଷୟରେ। କାରଣ ସେହି ଲୀଳାମୟ ଶ୍ରୀହରି ନିଜ ଇଚ୍ଛାରୁ ଏହି ବିଶ୍ୱବ୍ରହ୍ମାଣ୍ଡର ରଚନା କରି ତାର ପାଳନ କରିବା ସହିତ ତାର ଲୟ ବା ପ୍ରଳୟର କାରଣ ମଧ୍ୟ ନିଜେ ହୋଇଥାନ୍ତି।
ଅବଶ୍ୟ ଏହି ତିନୋଟି କାର୍ଯ୍ୟ ସମ୍ପାଦନ କରିବା ପାଇଁ ସେ ନିଜ ସତ୍ତାକୁ ତିନି ଭାଗରେ ବିଭକ୍ତ କରି ଦିଅନ୍ତି
1. ସୃଷ୍ଟି କର୍ତ୍ତା ବ୍ରହ୍ମା
2. ପାଳନ କର୍ତ୍ତା ବିଷ୍ଣୁ
3. ସଂହାର କର୍ତ୍ତା ମହେଶ୍ୱର
ପ୍ରକୃତ ପକ୍ଷେ ଦେଖିବାକୁ ଗଲେ ଏହି ତ୍ରିଶକ୍ତି ଏକ ଓ ଅଭିନ୍ନ। ପରମେଶ୍ୱରଙ୍କ ଯେଉଁ ଶକ୍ତି ସୃଷ୍ଟି ସର୍ଜନାରେ ନିୟୋଜିତ ସେ ବ୍ରହ୍ମା ନାମରେ ପରିଚିତ, ସେହି ପରମାତ୍ମା ଙ୍କ ଆଉ ଏକ ରୂପ ବିଷ୍ଣୁ ଯେକି ସୃଷ୍ଟି ପାଳନରେ ବ୍ୟସ୍ତ ଓ ସେହି ସୃଷ୍ଟିକୁ ଯେ ବିନାଶ କରିଥାନ୍ତି ସେ ମଧ୍ୟ ପରମାତ୍ମାଙ୍କ ଅନ୍ୟ ଏକ ସ୍ୱରୂପ ଶିବ। ଏହା ଛଡା ସମୟ ସମୟରେ ସୃଷ୍ଟିର ମଙ୍ଗଳ ଉଦ୍ୟେଶ୍ୟରେ ପରମାତ୍ମା ଏକ ବିଶେଷ ରୂପରେ ପ୍ରକଟିତ ହୋଇଥାନ୍ତି ତାହା ତାଙ୍କର ଅବତାର।
ସଂସ୍କୃତ ଭାଗବତର ଏକ ଶ୍ଳୋକ “ସ ବା ଇଦଂ ବିଶ୍ୱମମୋଘଲୀଳଃ
ସୃଜତ୍ୟବତ୍ୟତ୍ତି ନ ସଞ୍ଜତେ ଅସ୍ମିନ ଭୂତେଷୁ ଚାନ୍ତହିର୍ତ ଆତ୍ମତନ୍ତ୍ରଃ
ଷାଡ଼ବର୍ଗିଜଂ ଜିଘ୍ରତି ଷଢ଼ଗୁଣେଶଃ “
ଅର୍ଥାତ ପରମେଶ୍ୱର ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟି, ପାଳନ ଓ ସଂହାର ଲୀଳା ସ୍ୱୟଂ କରୁଥିଲେ ମଧ୍ୟ ସେଥିରେ ଆସକ୍ତି ହୁଅନ୍ତି ନାହିଁ। ଆତ୍ମ ଜ୍ଞାନରେ ମଗ୍ନ ପ୍ରାଣୀ ମାନଙ୍କ ହୃଦୟରେସେହି ପରଂବ୍ରହ୍ମ ବାସ କରି ଜ୍ଞାନେନ୍ଦ୍ରୀୟ ଓ ମନର ଷଡ଼ବିଧ ପ୍ରବୃତିକୁ ଅନାସକ୍ତ ଭାବରେ ଉପଭୋଗ କରନ୍ତି, କାରଣ ସେହିଁ ସମସ୍ତ ପ୍ରବୃତିର ପ୍ରତ୍ୟକ୍ଷ ସ୍ରଷ୍ଟା ଓ ନିୟନ୍ତା।
ଶୌନକଆଦି ଋଷିଙ୍କ ପ୍ରଶ୍ନ ଥିଲା ହେ ସୂତ ମହାଭାଗ ଆପଣ ଆମକୁ ବିରାଟ ପୁରୁଷ ଓ ପ୍ରଥମ ଅବତାରଙ୍କ କଥା କହିଲେ ଏବେ ଅନ୍ୟାନ୍ୟ ଅବତାରଙ୍କ କଥା କୁହନ୍ତୁ, ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶ୍ରୀସୂତ ମହାମୁନି ଉପରୋକ୍ତ ଶ୍ଳୋକର ଅବତାରଣା କରି ବୁଝାଇ ଦେଲେ ସଂସାରରେ ଏକ ମାତ୍ର ଲୀଳା ହେଲା ପରମାତ୍ମାଙ୍କ ଲୀଳା। ତଥାପି ମୁଁ ଆପଣ ମାନଙ୍କ ଜିଜ୍ଞାସାକୁ ନିହାତି ସଂମ୍ମାନ ଦେଇ ସେହି ପରମେଶ୍ୱରଙ୍କ ଅବତାର ତତ୍ୱ ପ୍ରକାଶ କରିବି।
ବର୍ତ୍ତମାନ ଏତିକି କହିବି ପ୍ରଥମେ ସନକ ଆଦି ଚାରିକୁମାରଙ୍କ ବିଷୟରେ ଆଲୋଚନା କରାଗଲା ସେମାନେ ନିବୃତ୍ତି ପଥରେ ଚାଲିଗଲେ ସାଂସାରିକ ବନ୍ଧନକୁ ଦୂରେଇ ମୋକ୍ଷର ପଥ ବାଛି ନେଲେ ଓ କଠୋର ବ୍ରହ୍ମଚର୍ଯ୍ୟ ବ୍ରତରେ ରହିଲେ। ତାହାରି ଫଳରେ ସୃଷ୍ଟିରେ ଧର୍ମ ସଂସ୍ଥିପନା ହେଲା, କିନ୍ତୁ ମଝିରେ ମଝିରେ ସେହି ଧର୍ମର ପତନ ଦେଖା ଗଲା ଓ ପୁନଃ ଧର୍ମ ସଂସ୍ଥାପନା ପାଇଁ ପରମେଶ୍ୱର ବିଭିନ୍ନ ଅବତାର ଗ୍ରହଣ କଲେ। ଶ୍ରୀମଦ ଭାଗବତ ଆଧାରରେ ଆମେ ବିଭିନ୍ନ ଅବତାର ମାନଙ୍କ ବିଷୟରେ ଆଲୋଚନା ଜାରି ରଖିବା କିନ୍ତୁ ବର୍ତ୍ତମାନ ଓଡ଼ିଆ ଭାଗବତରେ ଶ୍ରୀଜଗନ୍ନାଥ ଦାସଙ୍କ ଅମୀୟ ବାଣୀ
ଯା ନାମ ଶ୍ରବଣ କୀର୍ତ୍ତନ।
ଯା ରୂପ ଦେଖିଣ ନୟନ।।
ଜନ୍ତୁଙ୍କ କଳୁଷ ନାଶଇ।
ଯେ ସର୍ବ ମଙ୍ଗଳ ବୋଲାଇ।।
ଯେ ହରି ଶରଣ ସୋଦର।
ତାହାଙ୍କୁ ମୋ ନମସ୍କାର।।
ଜୟ ଜଗନ୍ନାଥ (ଦ. ତ୍ରି. ଉଵାଚ)
Comments are closed.