Latest Odisha News

BREAKING NEWS

ଜ୍ୱର ପାଇଁ ଆସିଥିବା ଶିଶୁକୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେବା ଘଟଣା, ସଂପୃକ୍ତ ଡାକ୍ତରଙ୍କୁ ଅପସାରଣ

ବଣାଇଁ: ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଉପ-ଖଣ୍ଡ ହସ୍ପିଟାଲରେ ଗୁରୁତର ଚିକିତ୍ସା ଅବହେଳା ଘଟଣା। ଜ୍ୱର ପାଇଁ ଆସିଥିବା ଜଣେ ଶିଶୁକୁ ଭୁଲରେ ଦିଆଗଲା କୁକୁର କାମୁଡ଼ା ଇଞ୍ଜିକେସନ। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ସଂପୃକ୍ତ ଡାକ୍ତରଙ୍କୁ ବଣାଇରୁ ଅପସାରଣ କରାଯାଇଛି ।

ସୂଚନା ଅନୁସାରେ, ୨୯ ତାରିଖରେ ବଣାଇ ଜଗନ୍ନାଥପୁର ଅଂଚଳରୁ ଜଣେ ମହିଳା ତାଙ୍କ ଶିଶୁକୁ ଜ୍ବର ହୋଇଥିବାରୁ ଚିକିତ୍ସା ପାଇଁ ମେଡିକାଲ ଆଣିଥିଲେ। ତେବେ ସେଠାରେ ଶିଶୁବିଭାଗର ଡାକ୍ତର ଲିକି ଚାନ୍ଦ ମହାପାତ୍ର ଶିଶୁକୁ ଦେଖିବା ପରେ ପ୍ରେସକ୍ରିପସନରେ ଔଷଧ ଲେଖିଥିଲେ। ସେହିଦିନ ଗୋଟିଏ ଇଞ୍ଜେକ୍‌ସନ୍‌ ଦିଆଗଲା ଓ ଆଉ ଦୁଇଟି ଇଞ୍ଜେକ୍‌ସନ୍‌ ଆଗଷ୍ଟ ୧ ଓ ୫ ତାରିଖରେ ଦେବା ପାଇଁ ଲେଖିଥିଲେ। ଶିଶୁର ମା’ ଚିନ୍ମୟୀ ମୋବାଇଲରେ ପ୍ରେସ୍‌କ୍ରିପ୍‌ସନ୍ ଓ ଇଞ୍ଜେକ୍‌ସନ୍‌ ଫଟୋ ଉଠାଇ ରଖିଥିଲେ ।

ହସ୍ପିଟାଲର ଫାର୍ମାସିରେ ପ୍ରେସକ୍ରିପସନ ଦେଖାଇବା ପରେ ଷ୍ଟାଫ ପଚାରିଥିଲେ, “ଶିଶୁକୁ କୁକୁର କାମୁଡ଼ିଛି କି?” ଏହି ପ୍ରଶ୍ନ ମା’ଙ୍କୁ ସନ୍ଦେହ କରିଥିଲା। ମହିଳା ଡାକ୍ତରଙ୍କୁ ପ୍ରଶ୍ନ କରିବାରୁ ଡା. ମହାପାତ୍ର ପ୍ରେସକ୍ରିପସନ ବଦଳାଇ ନୂଆ ପ୍ରେସକ୍ରିପସନ ଦେଇଥିଲେ। ପରିବାରର ଅଭିଯୋଗ, ଏହା ସନ୍ଦେହକୁ ଆହୁରି ବଢ଼ାଇଛି। ସେମାନେ ଦାବି କରିଛନ୍ତି, ଶିଶୁକୁ ଭୁଲ ଇଞ୍ଜେକସନ ଦିଆଯାଇଛି।

ଗୁରୁବାର ସକାଳେ ଏଭଳି ଚିକିତ୍ସା ସମ୍ପର୍କରେ ଖବର ପ୍ରସାରିତ ହେବା ପରେ ଅପରାହ୍ଣରେ ସୁନ୍ଦରଗଡ଼ର ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶୁଭାଶିଷ ମହାରଣା ତଦନ୍ତ ଆରମ୍ଭ କରିଥିଲେ। ପ୍ରଥମେ ଏହା ଆଣ୍ଟି ଭାକ୍‌ସିନ୍, ତେଣୁ ଭୟ ନଥିବା କୁହାଯାଇଥିଲା। ଡାକ୍ତରଙ୍କ ଭୁଲ୍ ନାହିଁ ବୋଲି କହିବା ପରେ ଶିଶୁକନ୍ୟାର ମା’ ପ୍ରେସ୍‌କ୍ରିପ୍‌ସନ୍ ସମ୍ପର୍କରେ ପ୍ରମାଣ ଦେଇଥିଲେ। ଏହା ପରେ ଡାକ୍ତରଙ୍କୁ ବଣାଇ ଉପଖଣ୍ଡ ଚିକିତ୍ସାଳୟରୁ ଅପସାରଣ କରାଯାଇଥିବା ସୂଚନା ମିଳିଛି।

Comments are closed.