Latest Odisha News

BREAKING NEWS

ଲାଲକିଲ୍ଲାରେ ନିଜର ଭାଷଣ ପାଇଁ ଜନତାଙ୍କ ଠାରୁ ପରାମର୍ଶ ମାଗିଲେ ମୋଦି, ଜାଣନ୍ତୁ କେଉଁଠି ଦେବେ ମତାମତ……

ନୂଆଦିଲ୍ଲୀ: ପ୍ରତିବର୍ଷ ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନତା ଦିବସ ପାଳନ କରେ । ଏହି ବର୍ଷ ଦେଶ ଏହାର ୭୯ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । ସ୍ୱାଧୀନତା ଦିବସ ପାଳନ ପାଇଁ ଦେଶର ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଆରମ୍ଭ ହୋଇଛି । ସ୍ୱାଧୀନତା ଦିବସରେ ସାରା ଦେଶ ଉତ୍ସାହର ସହିତ ଅପେକ୍ଷା କରିଥିବା ସୁବଠି ଚର୍ଚ୍ଚାରେ ରହିଥାଏ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାଲକିଲ୍ଲାରେ ଭାଷଣ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ୧୨ତମ ଥର ପାଇଁ ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ସମ୍ବୋଧିତ କରିବାକୁ ଯାଉଛନ୍ତି । ହେଲେ ଏଥର ଏହାକୁ କିଛି ନିଆରା ଢଙ୍ଗରେ କରିବାକୁ ଯାଉଛନ୍ତି ମୋଦି । ଏଥର ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ମୋଦି ଏହି ଭାଷଣ କିମ୍ବା ସମ୍ବୋଧନ ପାଇଁ ଏବେ ଜନସାଧାରଣଙ୍କଠାରୁ ଏକ ବିଶେଷ ସାହାଯ୍ୟ ମାଗିଛନ୍ତି ।

ନିଜ ଏକ୍ସରେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ, ସେ ସ୍ୱାଧୀନତା ଦିବସ ଭାଷଣ ପାଇଁ ଜନସାଧାରଣଙ୍କଠାରୁ ମତାମତ ମାଗିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପୋଷ୍ଟରେ କହିଛନ୍ତି, ଏହି ବର୍ଷର ସ୍ୱାଧୀନତା ଦିବସ ପାଖେଇ ଆସୁଥିବାରୁ, ମୁଁ ମୋର ସାଥୀ ଭାରତୀୟଙ୍କଠାରୁ ଶୁଣିବାକୁ ଉତ୍ସୁକ । ଏହି ବର୍ଷର ସ୍ୱାଧୀନତା ଦିବସ ଭାଷଣରେ ଆପଣ କେଉଁ ବିଷୟ କିମ୍ବା ଚିନ୍ତାଧାରା ପ୍ରତିଫଳିତ କରିବାକୁ ଚାହାଁନ୍ତି? ସେନେଇ ନିଜର ମତାମତ ଦେଇପାରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ଦିବସ ପାଳନରେ ଭାରତର ଲୋକମାନେ ଲାଲକିଲ୍ଲାରୁ ଭାଷଣ ପାଇଁ କେଉଁଠାରେ ନିଜର ମତାମତ ଦେଇପାରିବେ ତାହା ମଧ୍ୟ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଲୋକମାନେ MyGov ଏବଂ NaMo ଆପରେ ଖୋଲା ମଞ୍ଚରେ ସେମାନଙ୍କର ମତାମତ ସେୟାର କରିପାରିବେ । ଯେଉଁଥିରେ ଜନସାଧାରଣ ନିଜର ମତ ରଖିପାରିବେ ।

ସେପଟେ ସ୍ବାଧିନତା ଦିବସ ପାଇଁ  ଜୋରସୋରରେ ପ୍ରସ୍ତୁତି ଚଳାଇଛି ଦିଲ୍ଲୀ ପୋଲିସ୍ । ଏନେଇ ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ,  ସ୍ୱାଧୀନତା ଦିବସ ପୂର୍ବରୁ ସହରର ପ୍ରମୁଖ ସ୍ଥାନରେ ହୋଟେଲ, ରେଳ ଷ୍ଟେସନ ଏବଂ ବସ୍ ଟର୍ମିନାଲ ସମେତ ଏକ ବ୍ୟାପକ ତଦନ୍ତ ଅଭିଯାନ ଚଳାଇଛି ଏବଂ ୧୦୦ରୁ ଅଧିକ ସ୍ଥାନରେ ସୁରକ୍ଷା ତ୍ରୁଟି ଚିହ୍ନଟ କରିଛି। ଦିଲ୍ଲୀର ବିଭିନ୍ନ ସ୍ଥାନରେ ପାଞ୍ଚ ଦିନିଆ ସୁରକ୍ଷା ତଦନ୍ତ ଅଭିଯାନ କରାଯାଇଥିଲା। ଯାଞ୍ଚ ସମୟରେ, ହୋଟେଲ, ପାର୍କିଂ, ମେଟ୍ରୋ ଷ୍ଟେସନ ନିକଟବର୍ତ୍ତୀ ସ୍ଥାନ, ମେଟ୍ରୋ ଷ୍ଟେସନରେ ଅବସ୍ଥିତ ଭୋଜନାଳୟ, ରେଳ ଷ୍ଟେସନ ନିକଟବର୍ତ୍ତୀ ଅନେକ କମ୍ପ୍ଲେକ୍ସ, ବସ୍ ଷ୍ଟାଣ୍ଡ ଏବଂ ଅନ୍ୟାନ୍ୟ ଅନେକ ପ୍ରତିଷ୍ଠାନରେ ଅକାର୍ଯ୍ୟକ୍ଷମ ସିସି ଟିଭି କ୍ୟାମେରା ଚିହ୍ନଟ କରାଯାଇଥିଲା। ଯାହାକୁ ନେଇ ଏବେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ଧ୍ୟାନ ଦେଇଛି ଦିଲ୍ଲୀ ପୋଲିସ୍ ।

Comments are closed.