ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଅନେକ ତତ୍ୱ ସହ ତଥ୍ୟ ପ୍ରଦାନ କରିଥାଏ। ତଥ୍ୟ ହିସାବରେ ଆମେ ଜାଣିଲେ ଶାପ ଗ୍ରସ୍ତ ରାଜା ପରୀକ୍ଷିତଙ୍କୁ ପବିତ୍ର ଗଙ୍ଗା ନଦୀ କୂଳରେ ବ୍ୟାସ ନନ୍ଦନ ଶ୍ରୀ ଶୁକଦେବ ଶ୍ରୀକୃଷ୍ଣ ଲୀଳା ଚରିତ ଭାଗବତ ସାତ ଦିନ ପର୍ଯ୍ୟନ୍ତ ଶୁଣାଇ ଥିଲେ, ଏହିଠାରେ ପୂର୍ବ ପ୍ରସଙ୍ଗର ଅବତାରଣା କରି ସୂଚାଇ ଦେବାକୁ ଚାହୁଁଛି ଶ୍ରୀଶୁକଦେବ ଶ୍ରୀକୃଷ୍ଣଙ୍କ ଆଶ୍ୱାସନା ପାଇ ମାତୃ ଗର୍ଭରୁ ଷୋଳ ବର୍ଷ ପରେ ନିସକ୍ରାନ୍ତ ହେଲେ ଓ ସଙ୍ଗେ ସଙ୍ଗେ ତପସ୍ୟା ପାଇଁ ବନକୁ ଗମନ କଲେ, ପଛରେ ପିତା ବ୍ୟାସ ପୁତ୍ର ପୁତ୍ର ଡାକି ଗୋଡ଼ାଇଥାନ୍ତି ଓ ସେହି ଗଙ୍ଗା ନଦୀରେ ସ୍ନାନ କରୁଥିବା ଅପସରା ମାନଙ୍କ ଠାରୁ ଶୁଣିଲେ କିପରି ଶ୍ରୀଶୁକଦେବ କେବଳ ଆତ୍ମ ଭାବରେ ପ୍ରତିଷ୍ଠିତ ଅଟନ୍ତି ତାଙ୍କ ଠାରେ ଦେହ ଭାବ ନାହିଁ।
ସେ (ବ୍ୟାସ ଦେବ )ମଧ୍ୟ ଆଉ ଏକ ଚମତ୍କାରୀ ଶକ୍ତି ନିଜ ପୁଅ ଶ୍ରୀ ଶୁକଙ୍କ ପାଖରେ ଲକ୍ଷ୍ୟ କଲେ। ଏଠାରେ ଗୋଟିଏ କଥା କୁହାଯାଇଛି ସ୍ୱୟଂ ବ୍ୟାସଦେବ ନାରାୟଣ ସ୍ୱରୂପ କିନ୍ତୁ ସାଂସାରିକ ମୋହରେ ବାନ୍ଧି ହୋଇ ପୁତ୍ର ସ୍ନେହରେ ସେ ପୁତ୍ର ପୁତ୍ର ଡାକି ଶ୍ରୀଶୁକ ଦେବଙ୍କ ପଛରେ ଗୋଡ଼ାଇଛନ୍ତି। ଶ୍ରୀଶୁକଦେବ ଏଠାରେ ନିଜ ପିତାଙ୍କ ମୋହ ଭଗ୍ନ କରିବା ପାଇଁ “ସର୍ବଭୁତାତ୍ମା “ନ୍ୟାୟରେ ବନର ସମସ୍ତ ବୃକ୍ଷ ମାନଙ୍କୁ ନିବେଦନ କଲେ ତାଙ୍କ ପିତାଙ୍କ ପୁତ୍ର ପୁତ୍ର ଡ଼ାକର ଉତ୍ତର ଦେବାକୁ। ତେଣୁ ଆଚମ୍ବିତ କଥା ଘଟିଲା ଶ୍ରୀବ୍ୟାସଦେବ ଅନୁଭବ କଲେ ତାଙ୍କର ବ୍ୟାକୁଳ ପୁତ୍ର ପୁତ୍ର ଡାକର ଜବାବରେ ବନର ସମସ୍ତ ବୃକ୍ଷ ହଁ ହଁ ଉତ୍ତର ଦେଉଛନ୍ତି। ସଙ୍ଗେ ସଙ୍ଗେ ଶ୍ରୀ ବ୍ୟାସଦେବ ସଚେତନ ହେଲେ ଓ ତାଙ୍କର ସାଂସାରିକ ମୋହ ଦୂର ହୋଇଗଲା।
ସେ ଅନ୍ତରଆତ୍ମାରେ ଅନୁଭବ କଲେ ତାଙ୍କ ପୁତ୍ର ଶ୍ରୀଶୁକଦେବ ସାଧାରଣ ମାନବ ଶରୀର ପ୍ରାପ୍ତ ହୋଇଥିଲେ ମଧ୍ୟ ତା ମଧ୍ୟରେ ଏକ ମହାନ ଯୋଗୀ ପୁରୁଷଙ୍କ ଆତ୍ମା ବିଦ୍ୟମାନ, ଯାହାଙ୍କ ଜନ୍ମ ନିଶ୍ଚୟ ଜଗତ କଲ୍ୟାଣ ପାଇଁ ଉଦିଷ୍ଟ ତାଙ୍କର ମନରେ ଶ୍ରୀକୃଷ୍ଣଙ୍କ ଆଶୀଷ କଥା ସ୍ମରଣ ହେଲା, ତେଣୁ ସେ ପରଂବ୍ରହ୍ମଙ୍କୁ ପ୍ରଣତି ଜଣାଇ ଫେରି ଆସିଲେ। ଏହିଠାରେ ଆଉ ଏଜ ତତ୍ୱ ମନକୁ ଆସେ ତାହା ହେଉଛି ଏ ଜଗତରେ ଯାହା କିଛି ଘଟେ ତାହା ପରମେଶ୍ୱରଙ୍କ ଇଙ୍ଗିତରେ ହିଁ ଘଟିଥାଏ, ଏଣୁ ସେହି ଗଙ୍ଗା ତଟରେ ଘଟିଥିବା ପରବର୍ତ୍ତୀ ତଥ୍ୟ ଗୁଡିକ ହେଲା ପରୀକ୍ଷିତ ଶାପ ଗ୍ରସ୍ତ ହୋଇ ମୁକ୍ତି ଉଦେଶ୍ୟରେ ଗଙ୍ଗା ତଟରେ ଉପଵେଶନ କରିବା।
ସେଠାରେ ଶ୍ରୀଶୁକଦେବଙ୍କ ଆବିର୍ଭାବ ଓ ଲଗାତାର ସାତଦିନ ଶ୍ରୀମଦ ଭାଗବତ କଥା ଆଲୋଚନା ଏହି ସବୁ ତଥ୍ୟ ପଛରେ ଗୋଟିଏ ତତ୍ୱ ଈଶ୍ୱର ଇଚ୍ଛାର ପୂର୍ତ୍ତି। ନଚେତ ପାଣ୍ଡବ ପୌତ୍ର ଅଭୁମନ୍ୟୁ ପୁତ୍ର ପରୀକ୍ଷିତ ମହାରାଜ ଜଣେ କୁଳୀନ ଧର୍ମାତ୍ମା, ସତ୍ୟାନୁଗ୍ରହୀ ଓ ସର୍ବଗୁଣ ସମ୍ପନ୍ନ ବ୍ୟକ୍ତି ଗୋଟିଏ ସାଧାରଣ ଭୁଲ କରି ଶାପ ଗ୍ରସ୍ତ ହୁଏନ୍ତେ କିପରି ପରମ ଯୋଗୀ, ଜ୍ଞାନୀ ବ୍ୟାସ ପୁତ୍ର ଶ୍ରୀଶୁକଦେବ ରାଜା ପରୀକ୍ଷିତଙ୍କ ପାଖରେ ଅଟକି ରହି ସାତଦିନ ଧରି ପରମ ଶାସ୍ତ୍ର ଭାଗବତର ଚର୍ଚ୍ଚା କରିଲେ କିପରି, କୁହାଯାଏ ନାରଦ ଓ ଶୁକଦେବ କୌଣସି ଗୋଟିଏ ଯାଗାରେ ବେଶୀ ସମୟ ରହି ପାରନ୍ତି ନାହିଁ। କିନ୍ତୁ ଏଠାରେ ଈଶ୍ୱର ଇଚ୍ଛା ପୂର୍ତ୍ତି ପାଇଁ ନିରବଛିନ୍ନ ଭାବରେ ଭାଗବତ କଥା ଆଲୋଚନା ହେଲା ଓ ଭୋକ ଶୋଷ ଭୁଲି ପରୀକ୍ଷିତ ମହାରାଜ ତାହା ଶ୍ରବଣ କଲେ ଓ ଶେଷରେ ମୁକ୍ତି ଲାଭ କଲେ।
ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-117-brahma-is-seen-in-every-living-being-there-is-no-distinction-between-male-and-female/
ଶରୀର ତ୍ୟାଗ କରିବା ଏକ ଚିରନ୍ତନ ସତ୍ୟ କ୍ରିୟା କିନ୍ତୁ ଶାପ ଗ୍ରସ୍ତ ହେବା ଓ ଶ୍ରୀକୃଷ୍ଣ ଲୀଳା ଶ୍ରବଣ କରି ଶରୀର ତ୍ୟାଗ କରିବା ସବୁ ପରମେଶ୍ୱରଙ୍କ ଇଚ୍ଛାରେ ପରିଚାଳିତ ହୋଇଥାଏ ତେଣୁ ସଂସ୍କୃତ ଭାଗବତର ଶ୍ଳୋକ।
କସ୍ମିନ ଯୁଗେ ପ୍ରବୃତ୍ତେୟଂ ସ୍ଥାନେ ବା କେନ ହେତୁନା।
କୁତଃ ସଂଚୋଦିତଃ କୃଷ୍ଣ8 କୃତବାନ ସଂହିତାଂ ମୁନିଃ।।
ଅର୍ଥାତ ଶ୍ରୀମଦ ଭାଗବତ କଥା କେଉଁ ଯୁଗରେ, କେଉଁ ପବିତ୍ର କ୍ଷେତ୍ରରେ ପ୍ରକଟ ହେଲା ଓ ଏହାର କାରଣ କଣ ଏହାର ତଥ୍ୟ ଅନେକ କିନ୍ତୁ ତତ୍ୱ ଏକ ଅର୍ଥାତ କେବଳ ପରମେଶ୍ୱରଙ୍କ ଇଚ୍ଛା ପୂର୍ତ୍ତି ପାଇଁ ସବୁକିଛି ଘଟଣା ଘଟିଲା, ଘଟୁଛି ଓ ଘଟିବ ମଧ୍ୟ ଆସନ୍ତୁ ସେହି ପରମେଶ୍ୱରଙ୍କୁ ନମସ୍କାର କରି ଶ୍ରୀଜଗନ୍ନାଥ ଦାସ କୃତ ଭାଗବତର ପଦ ଉଚ୍ଚାରଣ କରିବା
କୃଷ୍ଣ ଚରିତ ଭାଗବତ।
ପଦ ପଦକେ ଯେ ଅମୃତ।।
ଏ ଭାଗବତ ରସ ଚିତ୍ତେ।
ସୁଜନେ ଦିଅ କର୍ଣ ପଥେ।।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.