Latest Odisha News

BREAKING NEWS

ଇପିଆଇସି ନମ୍ବର ଜାଲିଆତି: ବଢିଲା ତେଜସ୍ୱୀ ଯାଦବଙ୍କ ଅଡୁଆ, ତଦନ୍ତ ଆରମ୍ଭ କଲା ଇସି….

ପାଟନା: ଭୋଟର ଲିଷ୍ଟରେ ନିଜ ନାଁ ନଥିବା କହି ନିର୍ବାଚନ କମିଶନଙ୍କୁ ଘେରିଥିଲେ, ହେଲେ ସିଧା ନିଜେ ଫସିଲେ ତେଜସ୍ବୀ । ବିହାର ବିଧାନସଭା ନିର୍ବାଚନ ପୂର୍ବରୁ, ରାଷ୍ଟ୍ରୀୟ ଜନତା ଦଳ (RJD) ନେତା ଏବଂ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଶନିବାର ଦାବି କରିଥିଲେ କି ଯେ ତାଙ୍କ ନାମ ଭୋଟର ତାଲିକାରୁ ବାଦ ଦିଆଯାଇଛି । ହେଲେ ଏହି ଦାବି ଏବେ ତାଙ୍କୁ ନୂଆ ବିବାଦରେ ଫସାଇଦେଇଛି । ତାଙ୍କ ଦାବି ପରେ ନିର୍ବାଚନ କମିଶନ ଯାଞ୍ଚ ପରେ ତେଜସ୍ବୀଙ୍କ ନାମ ଭୋଟ ତାଲିକାରେ ଥିବା ପ୍ରମାଣ ସହ ଦେଖାଇଛନ୍ତି । ଏମିତିକି ତାଙ୍କ ନାଁରେ ଗୋଟିଏ ନୁହେଁ ବରଂ ଦୁଇଟି ଭୋଟର ପରିଚୟ ପତ୍ର ଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଏବେ ତଦନ୍ତ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । ନିର୍ବାଚନ କମିଶନ ଦେଇଥିବା ତଥ୍ୟ ଅନୁଯାୟୀ, କେନ୍ଦ୍ର ନମ୍ବର ୨୦୪, ସିରିଏଲ୍ ନମ୍ବର ୪୧୬ରେ ଭୋଟର ତାଲିକାରେ ତେଜସ୍ବୀଙ୍କ ନାମ ପଞ୍ଜିକୃତ ହୋଇଛି ।

ଏହି ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ତେଜସ୍ୱୀ ଦାବି କରିଥିଲେ ଯେ ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ (SIR) ଅଧୀନରେ ପ୍ରକାଶିତ ଡ୍ରାଫ୍ଟ ଭୋଟର ତାଲିକାରେ ତାଙ୍କ ନାମ ନାହିଁ। ଶନିବାର ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀରେ ତେଜସ୍ୱୀ କହିଥିଲେ ଯେ ସେ ନିର୍ବାଚନ କମିଶନଙ୍କ ୱେବସାଇଟରେ ତାଙ୍କର ଇପିଆଇସି ନମ୍ବର (RAB2916120) ଖୋଜିଥିଲେ, କିନ୍ତୁ ‘ନୋ ରେକର୍ଡ ଫାଉଣ୍ଡ’ ମେସେଜ୍ ଆସିଥିଲା । ଯାହାକୁ ନେଇ ସରକାରଙ୍କୁ ଏବଂ ନିର୍ବାଚନ କମିଶନଙ୍କୁ ଘେରିଥିଲେ ତେଜସ୍ବୀ । ସେ ଏହାକୁ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କହିଥିଲେ ଏବଂ କମିଶନଙ୍କୁ ପ୍ରଶ୍ନ କରିଥିଲେ।

ହେଲେ ତେଜସ୍ବୀଙ୍କ ଅଭିଯୋଗର ତୁରନ୍ତ ପରେ ନିର୍ବାଚନ କମିଶନ ତାଙ୍କ ଦାବିକୁ ଖାରଜ କରିଦେଇଥିଲେ ଏବଂ ସ୍ପଷ୍ଟ କରିଥିଲେ ଯେ ତେଜସ୍ୱୀଙ୍କ ନାମ ଭୋଟ କେନ୍ଦ୍ର ନମ୍ବର ୨୦୪, ସିରିଏଲ୍ ନମ୍ବର ୪୧୬ରେ ଭୋଟର ତାଲିକାରେ ପଞ୍ଜିକୃତ । ତାଙ୍କର ବୈଧ ଇପିଆଇସି ନମ୍ବର RAB0456228 ।

ନିର୍ବାଚନ କମିଶନଙ୍କଜ ତଥ୍ୟ ଅନୁଯାୟୀ,  ତେଜସ୍ୱୀ ଯେଉଁ ଇପିଆଇସି ନମ୍ବର RAB2916120 ଦେଖାଇଛନ୍ତି ତାହା ଗତ ୧୦ ବର୍ଷର ରେକର୍ଡରେ କୌଣସି ସ୍ଥାନରେ ମିଳିନାହିଁ । କମିଶନ ସନ୍ଦେହ କରୁଛନ୍ତି ଯେ ଏହି ନମ୍ବରଟି ନକଲି କିମ୍ବା ବେଆଇନ ଭାବରେ ସୃଷ୍ଟି ହୋଇଥାଇପାରେ। ଅନ୍ୟପକ୍ଷରେ, ଇପିଆଇସି ନମ୍ବର RAB0456228, ଯାହା ଆଧାରରେ ତେଜସ୍ୱୀ ୨୦୧୫ ଏବଂ ୨୦୨୦ ବିଧାନସଭା ନିର୍ବାଚନ ଲଢ଼ିଥିଲେ, ତାହା ସରକାରୀ ରେକର୍ଡରେ ରହିଛି।

ନିର୍ବାଚନ କମିଶନ କହିଛନ୍ତି ଯେ ଯଦି ଦ୍ୱିତୀୟ ଇପିଆଇସି ନମ୍ବରଟି ନକଲି ବୋଲି ଜଣାପଡ଼େ, ତେବେ ଏହା ଜନପ୍ରତିନିଧିତ୍ୱ ଆଇନ, ୧୯୫୧ ଅନୁଯାୟୀ ଏକ ଗମ୍ଭୀର ଅପରାଧ ହେବ। ଆରଜେଡି କାର୍ଯ୍ୟାଳୟରୁ ଅନ୍ୟ ନକଲି ଭୋଟର ପରିଚୟପତ୍ର ତିଆରି ହୋଇଛି କି ନାହିଁ ତାହା ଜାଣିବା ପାଇଁ ଏବେ ନିର୍ବାଚନ କମିଶନ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଦେଇଛନ୍ତି ।

ଅନ୍ୟପଟେ, ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ଜେଡିୟୁ ମୁଖପାତ୍ର ନୀରଜ କୁମାର ତେଜସ୍ୱୀଙ୍କ ଉପରେ ଦୁଇଟି ଭୋଟର ପରିଚୟପତ୍ର ଥିବାର ଅଭିଯୋଗ ଆଣି ଏହାକୁ ନିର୍ବାଚନ ଦୁର୍ନୀତି ବୋଲି କହିଛନ୍ତି। ଚୌଧୁରୀ କହିଛନ୍ତି, ସାମ୍ବାଦିକ ସମ୍ମିଳନୀରେ ତେଜସ୍ୱୀ ଯେଉଁ ସତ୍ୟ ଦେଖାଇଛନ୍ତି ତାହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ସେ ଏକ ବଡ଼ ଠକେଇ କରିଛନ୍ତି। ଏହାର କଡ଼ା ତଦନ୍ତ କରାଯିବା ଉଚିତ । ଜେଡିୟୁ ନେତା ନୀରଜ କୁମାର ଧାରା ୧୭୧ଏଫ୍ ଆଇପିସି ଅନୁଯାୟୀ ମାମଲା ପଞ୍ଜିକରଣ ଏବଂ ତେଜସ୍ୱୀଙ୍କ ଭୋଟ ଅଧିକାରକୁ ଅସ୍ଥାୟୀ ଭାବରେ ନିଲମ୍ବନ କରିବାକୁ ଦାବି କରିଛନ୍ତି। ଯାହା ଏବେ ତେଜସ୍ବୀଙ୍କ ଅଡୁଆ ବଢାଇଛି ।

 

Comments are closed.