Latest Odisha News

BREAKING NEWS

ଭୂକମ୍ପ ଯୋଗୁ ରୁଷରେ ଜ୍ୱାଳାମୁଖୀ ଉଦ୍ଗିରଣ

ନୂଆଦିଲ୍ଲୀ: ରୁଷିଆର ସେଭେରୋ-କୁରିଲସ୍କର ୧୨୧ କିଲୋମିଟର ପୂର୍ବରେ ୭.୦ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ୪୦.୮ କିଲୋମିଟର ଗଭୀରତାରେ ଥିଲା, ଯାହା ୫୦.୫୩ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୧୫୭.୮୩ ଡିଗ୍ରୀ ପୂର୍ବ ଦ୍ରାଘିମାରେ ରେକର୍ଡ କରାଯାଇଛି। ପୂର୍ବ ଅଞ୍ଚଳ କାମଚାଟକାରେ ଅବସ୍ଥିତ କ୍ରାଶେନିନିକୋଭ ଜ୍ୱାଳାମୁଖୀ ପ୍ରାୟ ୬୦୦ ବର୍ଷ ପରେ ଉଦ୍ଗିରଣ ହୋଇଛି।

ରବିବାର (୩ ଅଗଷ୍ଟ) ଦିନ ରୁଷିଆର ଜରୁରୀକାଳୀନ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସ୍ମିଥସୋନିଆନ ଇନଷ୍ଟିଚ୍ୟୁସନର ଗ୍ଲୋବାଲ ଭୋଲକାନିଜମ୍ ପ୍ରୋଗ୍ରାମ ଅନୁଯାୟୀ, ଏହି ଜ୍ୱାଳାମୁଖୀ ଶେଷ ଥର ପାଇଁ ୧୪୬୩ ମସିହାରେ ଉଦଗୀରଣ ହୋଇଥିଲା। ରୁଷିଆର ବିପର୍ଯ୍ୟୟ ପରିଚାଳନା ବିଭାଗ ଅନୁଯାୟୀ ବିସ୍ଫୋରଣ ପରେ ଜ୍ୱାଳାମୁଖୀରୁ ଲାର୍ଭା ପ୍ରାୟ ୬,୦୦୦ ମିଟର (୧୯,୭୦୦ ଫୁଟ) ଉଚ୍ଚତାକୁ ବ୍ୟାପିଥିଲା। ଏହା ପୂର୍ବ ଦିଗରେ ପ୍ରଶାନ୍ତ ମହାସାଗର ଆଡକୁ ବ୍ୟାପିବାରେ ଲାଗିଛି। ଯଦିଓ ଏହାର ରାସ୍ତାରେ କୌଣସି ଜନବସତି ନାହିଁ।

ବିପର୍ଯ୍ୟୟ ମନ୍ତ୍ରଣାଳୟ କହିଛି ଯେ ଜ୍ୱାଳାମୁଖୀ ଯୋଗୁଁ ବିମାନ ଚଳାଚଳ ନେଇ ଅରେଞ୍ଜ ସତର୍କତା ଜାରି କରାଯାଇଛି। ଯାହାର ଅର୍ଥ ହେଉଛି ଏହି ଅଞ୍ଚଳରେ ବିମାନ ଚଳାଚଳ ପ୍ରଭାବିତ ହୋଇପାରେ। ସେହିପରି ୩୦ ଜୁଲାଇରେ ରୁଷିଆର କାମଚାଟକା ଅଞ୍ଚଳରେ କ୍ଲୁଚେଭସ୍କୟ ଜ୍ୱାଳାମୁଖୀ ଉଦ୍ଗିରଣ ହୋଇଥିଲା। ଏହାକୁ ୟୁରୋପ ଏବଂ ଏସିଆର ସବୁଠାରୁ ସକ୍ରିୟ ଜ୍ୱାଳାମୁଖୀ ବୋଲି ବିବେଚନା କରାଯାଏ। ଏଏଫପି ରିପୋର୍ଟ ଅନୁଯାୟୀ, ଏହି ଜ୍ୱାଳାମୁଖୀ ୨୦୦୦ ମସିହାରୁ ୧୮ ଥର ଉଦଗିରଣ ହୋଇଛି। ଏହି ଅଞ୍ଚଳରେ ନିରନ୍ତର ଜ୍ୱାଳାମୁଖୀ କାର୍ଯ୍ୟକଳାପ ଭୂତାତ୍ତ୍ୱିକ ବିପଦର ଏକ ଚେତାବନୀ।

 

Comments are closed.