ପୁରୀ: ଶ୍ରୀମନ୍ଦିରର ଆନନ୍ଦ ବଜାରରେ ଅନୁଶାସନ ଓ ଭକ୍ତଙ୍କ ସୁବିଧା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ନୂଆ ପଦକ୍ଷେପ ନେଇଛି। ମଙ୍ଗଳବାର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି। ଅବଢ଼ା ବିକ୍ରି ଓ ଖାଇବାରେ ହେଉଥିବା ବିଶୃଙ୍ଖଳା ରୋକିବା ଦିଗରେ ଆଲୋଚନା ହୋଇଛି। ଅବଢ଼ା ଓ ‘ଶୁଖିଲା ଭୋଗ’ର ଦର ତାଲିକା ନିର୍ଦ୍ଧାରଣ କରାଯିବ। ଯାହା ପରବର୍ତ୍ତୀ ସମୟରେ ସ୍ୱଚ୍ଛତା ଆଣିବ।
‘ଶୁଖିଲା ଭୋଗ’ ଓ ମହାପ୍ରସାଦ ବିକ୍ରି ଓ ଖାଇବା ପାଇଁ ଅଲଗା କାଉଣ୍ଟର ଖୋଲାଯିବ। ଭୋଗ ପ୍ରସ୍ତୁତିରେ କେବଳ ଓମଫେଡ ଘିଅ ବ୍ୟବହାର ନିର୍ଦ୍ଦେଶ ଦିଆଯାଇଛି। ନିୟମ ଉଲ୍ଲଙ୍ଘନ କଲେ ସୁଆର ଓ ମହାସୁଆର ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।
ମନ୍ଦିର ରୋଷେଇ ଘରେ ରୋଜ ୩୫ କ୍ୱିଣ୍ଟାଲ କାଠ ଆବଶ୍ୟକ। ଏହାର ନିରବଚ୍ଛିନ୍ନ ଯୋଗାଣ ପାଇଁ ଚର୍ଚ୍ଚା ହୋଇଛି। ଭୋଗ ପାଇଁ ଜୈବିକ ଚାଉଳ ବ୍ୟବହାର ଯୋଜନା ମଧ୍ୟ ରହିଛି। ଆନନ୍ଦ ବଜାରରେ ସୁପକାର ସେବକଙ୍କ ସହକାରୀଙ୍କ ପାଇଁ ଡ୍ରେସକୋଡ ନିୟମ ଓ ପରିଚୟ ପତ୍ର ବାଧ୍ୟତାମୂଳକ ହେବ।
ସୁଆର-ମହାସୁଆର ନିଯୋଗର ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି, “ବୈଠକରେ ଆନନ୍ଦ ବଜାରର ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଚର୍ଚ୍ଚା ହୋଇଛି। ଖଜା ବିକ୍ରି ପାଇଁ ନୂଆ ଦୋକାନଗୁଡ଼ିକର କାର୍ଯ୍ୟ ଓ ଶ୍ରୀମନ୍ଦିର ପାଇଁ ପର୍ଯ୍ୟାପ୍ତ କାଠ ଯୋଗାଣ ନେଇ ମଧ୍ୟ ଆଲୋଚନା ହୋଇଛି।”
Comments are closed.