Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୧୨୬: ଗୋପୀ ଭାବଟିର ସ୍ୱରୂପ କଣ ?

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣିତ ଗୋପୀ ଭାବ, ସାଧାରଣ ଭକ୍ତି ଭାବ ଠାରୁ ସମ୍ପୂର୍ଣ ଭିନ୍ନ। ଆମେ ଷୋଳ ହଜାର ଗୋପୀଙ୍କ ଉତ୍ପତି ଵିଷୟରେ ଜାଣିଲେ, ଏଠାରେ ଗୋଟିଏ ତତ୍ୱ ପରିଷ୍କାର ଭାବରେ ପରିଲିକ୍ଷିତ ହେଲା, ଯାହାକୁ ଆମେ ବ୍ରହ୍ମ ତତ୍ୱ କହିବା, କାରଣ ଉଭୟ ପୁରୁଷ, ସ୍ତ୍ରୀ, ଓ ପ୍ରତିମା (ନିର୍ଜୀଵ) ସମସ୍ତେ ଗୋପୀ ଭାବେ ସ୍ୱୀକୃତି ପାଇଲେ ଓ ଦ୍ୱାପର ଯୁଗରେ ବ୍ରଜପୁରରେ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ରାସ ରଚିବାର ଅଧିକାର ଲାଭ କଲେ। ଏହି ରାସ କୌଣସି ଦୈହିକ ମିଳନ ପ୍ରକ୍ରିୟା ନୁହେଁ, ଏହା ଐକାନ୍ତିକ ଭକ୍ତିର ନିଦର୍ଶନ ସ୍ୱରୂପ ଶ୍ରୀକୃଷ୍ଣଙ୍କ ଅଙ୍ଗ ସଙ୍ଗ ଲାଭ କରିବାର ଶାଶ୍ୱତ ପ୍ରକ୍ରିୟା।(ରାସ ଆଲୋଚନା ସମୟରେ ଏହା ପ୍ରାଞ୍ଜଳ ଭାବରେ କରାଯାଇଛି ), ଯଦି ଭକ୍ତିକୁ ବିବେଚନା କାରାଯାଏ ତେବେ ଏହା ଦୁଇ ପ୍ରକାରରେ ପରିଲିକ୍ଷିତ ହୋଇଥାଏ।
1.ବୈଧୀ ଭକ୍ତି ଓ
2.ରାଗାନୁଗା ଭକ୍ତି।

ଅତି ସାଧାରଣ ଭାବରେ ବିସ୍ଲେସଣ କଲେ ଜଣାଯାଏ, ଯେତେବେଳେ କେବଳ ଶାସ୍ତ୍ର ଆଧାରରେ ବା ଶାସ୍ତ୍ର ଭୟରେ ଭଗବାନଙ୍କୁ ଭକ୍ତି କାରାଯାଏ ତାହା ବୈଧୀ ଭକ୍ତି ହୋଇଥାଏ, ଏଥିରେ ଭଗବାନଙ୍କୁ ଭକ୍ତି କରିବା ପାଇଁ ବ୍ୟକ୍ତିଟିର ମନରେ ସ୍ୱତଃ ଜାଗ୍ରତ ଅନୁରାଗ ନଥାଏ, ବ୍ୟକ୍ତିଟି ବାଧ୍ୟ ବଧକତାରେ ଈଶ୍ୱର ଭକ୍ତି କରିଥାଏ। କିନ୍ତୁ ବ୍ରଜବାସୀ ମୁଖ୍ୟତଃ ଗୋପୀ ମାନଙ୍କ ମନରେ ପ୍ରକାଶ୍ୟ ଭାବରେ ଉଦ୍ରେକ ହେଉଥିବା ଭକ୍ତି ହିଁ ରାଗାତ୍ମିକା ଭାବରୁ ଉତ୍ପନ୍ନ ଭକ୍ତି ଅର୍ଥାତ ରାଗାନୁଗା ଭକ୍ତି, ଭକ୍ତି ରସାମୃତ ଗ୍ରନ୍ଥ କହେ
“ବିରଜାନ୍ତିମଭିବ୍ୟକ୍ତଂ ବ୍ରଜବାସୀଜନା ବିଷ୍ଣୁ।
ରାଗାତ୍ମିକା ମନୁସୃତ୍ୟ ଯା ସା ରାଗାନୁମୋଚ୍ୟତେ।।

ଅର୍ଥାତ ବ୍ରଜବାସୀଙ୍କଠାରେ ବିରାଜମାନ କରୁଥିବା ରାଗାତ୍ମିକା ଭାବରୁ ଉତ୍ପନ୍ନ ଭକ୍ତି ହିଁ ରାଗାନୁଗା ଭକ୍ତି। ଏହା ଏକ ସ୍ୱତନ୍ତ୍ର ଭାବକୁ ଆଧାର କରିଥିବାରୁ ସେହି ଭାବକୁ ଗୋପୀ ଭାବ ବୋଲି ଅଭିହିତ କାରାଯାଏ। କଣ ଏ ଭକ୍ତିର ପ୍ରକୃତ ସ୍ୱରୂପ ଅବା ଆଲୋଚିତ ଗୋପୀ ଭାବଟିର ସ୍ୱରୂପ କଣ ? ଏହାର ଉତ୍ତରରେ ଏତିକି କହିବି ଭକ୍ତ ଯେତେବେଳେ ନିଜର ଦେହ ଜ୍ଞାନ ନରଖି ଭଗବାନଙ୍କ ଲୀଳା ଓ କର୍ମାଦିରେ ବିହ୍ଵଳିତ ହୋଇଯାଏ ବା ସମ୍ପୂର୍ଣ ରୂପେ ନିଜକୁ ହଜେଇ ଦିଏ ତାହାହିଁ ରାଗାତ୍ମିକା ଭକ୍ତି । ଏହାର ସରଳ ପରିପ୍ରକାଶ ଭାଗବତରେ
“ଅହେତୁକି ପ୍ରତିହତା ଏକ ଭକ୍ତିରିତ୍ୟୁଚ୍ୟତେ ” ଅର୍ଥାତ ଏହା ଅହେତୁକି, ଅପ୍ରତିହତା ଓ ଏକନିଷ୍ଟ ଭାବରେ ପ୍ରକାଶିତ ଭକ୍ତି।

ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-125-the-golden-image-of-tretaya-was-born-as-a-gopi-in-dwapara-or-braj/

ଏହି ଭକ୍ତି ଉଦୟ ହେଲେ ଭକ୍ତର କଣ ଅବସ୍ଥା ହୁଏ ତଥା ଏହି ଭକ୍ତିଭାବର ପ୍ରକୃତ ସ୍ୱରୂପ କଣ ଜାଣିବା ଆଗାମୀ ଅଧ୍ୟାୟରେ ବର୍ତ୍ତମାନ ଶ୍ରୀଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତର ଅମୂଲ୍ୟ ପଦ
ସେ ନାରାୟଣ ଦେହଗତେ।
ବସନ୍ତି ଭାବ ଅନୁମତେ।।
ଏଭାବେ ଦୃଢ ଯାର ମନ।
ସେ ପ୍ରାଣୀ ଭକତ ଉତ୍ତମ।।
ଈଶ୍ୱର ଠାରେ ପ୍ରେମ କରେ।
ମିତ୍ର ଭାବନା ସାଧୁ ଠାରେ।।
ସେ ଭକ୍ତ ମଧ୍ୟମ ଅଟଇ।
ଯେଣୁ ସେ ଭେଦକୁ ଦେଖଇ।।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )

Comments are closed.