Latest Odisha News

BREAKING NEWS

ପୂର୍ବତନ ଉପରାଷ୍ଟ୍ରପତି ଧନଖଡ଼ କୁଆଡେ ଗଲେ କହି ସରକାରକୁ ଜବାବ ମାଗିଲେ କଂଗ୍ରେସ ସାଂସଦ ଜୟରାମ ରମେଶ

ନୂଆଦିଲ୍ଲୀ: କଂଗ୍ରେସ ନେତା ଜୟରାମ ରମେଶ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ପୂର୍ବତନ ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ପୂର୍ବତନ ଅଧ୍ୟକ୍ଷ ଜଗଦୀପ ଧନଖଡ଼ ୨୧ ଜୁଲାଇ ସନ୍ଧ୍ୟାଠାରୁ ନିଖୋଜ ଅଛନ୍ତି। ଧନଖଡ଼ ୨୧ ଜୁଲାଇରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସେ କୌଣସି ସାର୍ବଜନୀକ କାର୍ଯ୍ୟକ୍ରମରେ ଦେଖାଦେଇ ନାହାନ୍ତି।

ଜୟରାମ ରମେଶ ଏକ୍ସରେ ଏକ ପୋଷ୍ଟ କରି ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ତେଲୁଗୁ ଗଣମାଧ୍ୟମରେ ଖବର ଆସିଛି ଯେ ପୂର୍ବତନ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ୪୫ ମିନିଟ ଧରି ବୈଠକ କରିଛନ୍ତି। ଏହାର ଅର୍ଥ କ’ଣ? ଧନଖଡ଼ ଇସ୍ତଫା ଦେବା ପରେ କେଉଁଠି ଅଛନ୍ତି, କେହି ଜାଣି ନାହାନ୍ତି।

ଏହାପୂର୍ବରୁ ଶିବସେନା (ୟୁବିଟି) ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ମଧ୍ୟ ଧନଖଡ଼ଙ୍କ ନିଖୋଜ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି କହିଛନ୍ତି, ୨୧ ଜୁଲାଇରେ ଧନଖଡ଼ ରାଜ୍ୟସଭାର କାର୍ଯ୍ୟ ସାଧାରଣ ଭାବେ ପରିଚାଳନା କରିଥିଲେ। ସେ ସମ୍ପୂର୍ଣ୍ଣ ସୁସ୍ଥ ଦେଖାଯାଉଥିଲେ। କିନ୍ତୁ ସେହି ସନ୍ଧ୍ୟାରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିଲେ। ଏହାପରେ ତାଙ୍କ ସ୍ୱାସ୍ଥ୍ୟ କିମ୍ବା ଅବସ୍ଥାନ ବିଷୟରେ କୌଣସି ସରକାରୀ ସୂଚନା ମିଳି ନାହିଁ।

ରାଉତ କହିଛନ୍ତି, ଅନେକ ସାଂସଦ ଧନଖଡ଼ଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ସଫଳ ହୋଇ ନାହାନ୍ତି। ତାଙ୍କ ଷ୍ଟାଫଙ୍କଠାରୁ ମଧ୍ୟ କୌଣସି ଉତ୍ତର ମିଳି ନାହିଁ। ଦିଲ୍ଲୀରେ ଗୁଜବ ଚାଲିଛି ଯେ ଧନଖଡ଼ଙ୍କୁ ତାଙ୍କ ଘରେ ନଜରବନ୍ଦୀ କରାଯାଇଛି।

ଜୟରାମ ରମେଶ ସୋମବାର ଅଭିଯୋଗ କରିଛନ୍ତି ଯେ ସଂସଦ ବାହାରେ ଗଣତନ୍ତ୍ର ଉପରେ ଆକ୍ରମଣ ହେଉଛି। ବିରୋଧୀ ସାଂସଦମାନଙ୍କୁ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ କରିବାକୁ ଅନୁମତି ଦିଆଯାଇ ନାହିଁ। ସେ କହିଛନ୍ତି, ନିର୍ବାଚନ ଆୟୋଗ ନିର୍ବାଚନ ଆୟୋଗ ହିଁ ରହିବା ଉଚିତ, ଏହା ଅନ୍ୟ କୌଣସି କାମରେ ନିୟୋଜିତ ହେବା ଉଚିତ ନୁହେଁ।

ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ପୁନରୀକ୍ଷଣ ଓ ଭୋଟ ଚୋରି ଅଭିଯୋଗ ବିରୋଧରେ ବିପକ୍ଷ ସାଂସଦମାନେ ସଂସଦ ପରିସରରୁ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ବାହାର କରିଥିଲେ। କିନ୍ତୁ ଦିଲ୍ଲୀ ପୁଲିସ ସେମାନଙ୍କୁ ସଂସଦ ମାର୍ଗରେ ଅଟକାଇ ଦେଇଥିଲେ।

ଜୟରାମ ରମେଶ କହିଛନ୍ତି, ଆମେ ସଂସଦରୁ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ବିରୋଧ କରିବାକୁ ଚାହୁଁଥିଲୁ। କିନ୍ତୁ ପୁଲିସ ଆମକୁ ଆଗକୁ ବଢିବାକୁ ଦେଲା ନାହିଁ। ଆମେ ପୂର୍ବରୁ ନିର୍ବାଚନ ଆୟୋଗକୁ ଚିଠି ଲେଖି ଜଣାଇଥିଲୁ ଯେ ସମସ୍ତ ସାଂସଦ ମିଳିତ ଭାବେ ଏକ ମମୋରଣ୍ଡମ ଦେବାକୁ ଚାହୁଁଛନ୍ତି। ସେ ଅଭିଯୋଗ କରିଛନ୍ତି, ସଂସଦ ବାହାରେ ଗଣତନ୍ତ୍ରର ହତ୍ୟା ହେଉଛି।

Comments are closed.