ନୂଆଦିଲ୍ଲୀ: ଏପ୍ରିଲ ମାସ ପରେ ବନ୍ଦ ହୋଇଥିବା ସିନ୍ଧୁ ଜଳ ଚୁକ୍ତି ଏବେ ପାକିସ୍ତାନର ତଣ୍ଟି ଶୁଖାଇବାକୁ ଲାଗିଲାଣି । ପାକିସ୍ତାନରୁ ଆମେରିକା ସବୁଠି ଏହାକୁ ନେଇ ଏବେ କାନ୍ଦୁଛି ପାକିସ୍ତାନ । ଔଷଧ ବଦଳରେ ତାଟିଆ କାମୁଡୁଛି । ଭାରତକୁ ଫମ୍ପା ଧମକ ପରେ ଧମକ ଦେଇଚାଲିଛି । ହେଲେ ଏବେ ଭାରତ ହାତରେ ନୁହେଁ ଭାତରେ ପାକିସ୍ତାନକୁ ଜବାବ ଦେବ ବୋଲି ସ୍ଥିର କରିସାରିଛି । ଭାରତରୁ ପାକିସ୍ତାନକୁ ଯାଉଥିବା ପାଣି ଦ୍ୱାରା ସମଗ୍ର ଜିନ୍ନାଭୂମି ପ୍ରଭାବିତ ହୋଇଛି । ପାକିସ୍ତାନର ସର୍ବାଧିକ ଚାଷ ଏହାର ପଞ୍ଜାବ ପ୍ରଦେଶରେ ହୁଏ ଏବଂ ସମଗ୍ର ପ୍ରଦେଶ ଭାରତରୁ ବାହାରକୁ ପ୍ରବାହିତ ହେଉଥିବା ନଦୀଗୁଡ଼ିକର ପାଣି ଉପରେ ନିର୍ଭର କରେ। କିନ୍ତୁ ଭାରତ ଏବେ ଏହାକୁ ରୋକିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଥିବା ବେଳେ ପାକିସ୍ତାନ କିଛି ବାଟ ନପାଇ ଭାରତକୁ ଧମକାଇବା ଆରମ୍ଭ କରିଛି ।
ପାକିସ୍ତାନର ଫମ୍ପା ଧମକ
ସେନା ମୁଖ୍ୟ ମୁଲ୍ଲା ଅସୀମ ମୁନୀର, ପାକିସ୍ତାନ ଏକ ସମ୍ପୂର୍ଣ୍ଣ ମରୁଭୂମି ହୋଇଯିବ ବୋଲି ଭୟ କରି ପ୍ରଥମେ ଆମେରିକାରୁ ଭାରତକୁ ଧମକ ଦେଇଥିଲେ। ମୁନିର କହିଥିଲେ ଯେ ଯଦି ଭାରତ ପାକିସ୍ତାନକୁ ଆସୁଥିବା ନଦୀଗୁଡ଼ିକୁ ବନ୍ଧ କରିଦିଏ ତେବେ ସେ ୧୦ ଟି କ୍ଷେପଣାସ୍ତ୍ର ଫୁଟାଇ ସେଗୁଡ଼ିକୁ ଉଡ଼ାଇ ଦେବେ। ସୋମବାର ଦିନ, ପାକିସ୍ତାନର ପପୁ ଭାବରେ ଜଣାଶୁଣା ରାଜନେତା ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ ମଧ୍ୟ ଏନେଇ ଧମକ ଦେଇଥିଲେ। ଏକ ଭାଷଣରେ ବିଲାୱାଲ କହିଥିଲେ ଯେ ହିମାଳୟରୁ ପ୍ରବାହିତ ନଦୀଗୁଡ଼ିକ ଭାରତର ସମ୍ପତ୍ତି ନୁହେଁ। ସେ ଧମକ ଦେଇଥିଲେ ଯେ ଯଦି ଭାରତ ପାକିସ୍ତାନର ଜଳ ଯୋଗାଣ ବନ୍ଦ କରିଦିଏ, ତେବେ ପାକିସ୍ତାନ ତା ଉପରେ ଯୁଦ୍ଧ କରିବ।
ଧମକକୁ ନାହିଁ ଭାରତର ଖାତିର୍…
ପାକିସ୍ତାନ ଦ୍ୱାରା ୨ ଦିନ ମଧ୍ୟରେ ଏହି ୨ଟି ଧମକ ଭାରତ ପାଇଁ ଚହଲା ପାଣି ଭଳି । ପାକିସ୍ତାନର ଫମ୍ପା ଧମକ ଚାପରେ ସିନ୍ଧୁ ଜଳ ଚୁକ୍ତିକୁ ପୁଣି ଥରେ ପୁନରୁଦ୍ଧାର କରିବେନି ବୋଲି ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ । ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁଯାୟୀ, ଯଦିଓ ପାକିସ୍ତାନୀ ସେନାମୁଖ୍ୟ ଏବଂ ବିଲାୱଲ ଭୁଟ୍ଟୋଙ୍କ ପରି ଗମ୍ଭୀର ନେତାମାନେ ଯୁଦ୍ଧ ଧମକ ଦେଉଛନ୍ତି, ସେମାନେ ଭଲ ଭାବରେ ଜାଣନ୍ତି ଯେ ଯଦି ଭାରତ ଭଡକିଯିବ ପାକିସ୍ତାନକୁ ହିଁ ମୂଲ୍ୟ ଦେବାକୁ ପଡିବ । ଆଉ ଭାରତ ଜିନ୍ନାଲ୍ୟାଣ୍ଡକୁ ପ୍ରସ୍ତର ଯୁଗକୁ ଫେରାଇ ଦେଇପାରେ। ତେଣୁ ପାକିସ୍ତାନ ,ଭଳି କଥାକୁ ପିଲାଳିଆମି ଛଡା ଆଉ କିଛି ବି ଭାବିବା ଉଚିତ ନୁହେଁ। ଖାଲି ସେତିକି ନୁହେଁ ଏବେ ଭାରତ ଏବଂ ପାକିସ୍ତାନ ଆଡକୁ ପ୍ରବାହିତ କିନ୍ ନଦୀ ଉପରେ ବନ୍ଧ ଏବଂ କେନାଲ ନିର୍ମାଣ କରାଯାଉଛି । ଯାହାର ସମାପ୍ତି ପରେ ପାକିସ୍ତାନ ଟୋପାଏ ଟୋପାଏ ପାଣି ପାଇଁ ଚିତ୍କାର କରିବ ।
ବନ୍ଧ ଉପରେ ଭାରତର ରଣନୀତି?
ବିଶେଷଜ୍ଞଙ୍କ ଅନୁଯାୟୀ, ଭାରତ ବର୍ତ୍ତମାନ ସିନ୍ଧୁ ନଦୀ ଏବଂ ଏହାର ଶାଖା ନଦୀଗୁଡ଼ିକରେ ଅନେକ ବନ୍ଧ ପ୍ରକଳ୍ପ ଉପରେ କାମ କରୁଛି, ଯେଉଁଥିରେ ନୀମୁ ବାଜଗୋ, ରାତଲେ, ପାକଲ ଦୁଲ, କ୍ୱାର, କିରୁ ଏବଂ ମେଜର ହଙ୍ଗାର କିଶାଙ୍ଗା ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, ସାୱାଲକୋଟ, ବୁର୍ସର ଏବଂ କିର୍ଥାଇ-୨ ଭଳି ବନ୍ଧ ପ୍ରସ୍ତାବିତ। ବନ୍ଧ ମାଧ୍ୟମରେ ଏହି ନଦୀଗୁଡ଼ିକର ପାଣିକୁ ବନ୍ଦ କରିବା ଏବଂ ପାହାଡ଼ରେ ନିର୍ମିତ ସୁଡ଼ଙ୍ଗ ମାଧ୍ୟମରେ ଅନ୍ୟ ନଦୀ ଏବଂ ଅଞ୍ଚଳକୁ ସ୍ଥାନାନ୍ତର କରିବା ପାଇଁ କାମ ଚାଲିଛି। ଭାରତର ରଣନୀତି ହେଉଛି ଜଳ ସମ୍ପଦ ପରିଚାଳନା, ବିଦ୍ୟୁତ୍ ଉତ୍ପାଦନ ଏବଂ ଆଞ୍ଚଳିକ ବିକାଶକୁ ବୃଦ୍ଧି କରିବା।
ପାକିସ୍ତାନ ପାଇଁ ମୁଣ୍ଡବ୍ୟଥା ସିନ୍ଧୁ, ଚେନ୍ନାବ ବନ୍ଧ…
ଏପ୍ରିଲରେ ଭାରତ ୧୯୬୦ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଏହି ଚୁକ୍ତି କେବେବି ପୁନଃସ୍ଥାପିତ ହେବ ନାହିଁ। ଏହାପରେ ସିନ୍ଧୁ ନଦୀ ଉପରେ ଲେହରେ ନିମୁ ବାଜଗୋ ବନ୍ଧ ନିର୍ମାଣ କରାଯାଉଛି। ଏହାର କ୍ଷମତା ୪୫ ମେଗାୱାଟ। ଏହି ପ୍ରକଳ୍ପ ଉପରେ କାର୍ଯ୍ୟ ପୂର୍ବରୁ ଚାଲିଛି। ଏହି ପ୍ରକଳ୍ପ ଜଳ ଅମଳ ଅପେକ୍ଷା ଅଧିକ ବିଦ୍ୟୁତ୍ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛି। ଏଥିସହିତ ସିନ୍ଧୁ ନଦୀର ଶାଖା ନଦୀ ଚିନାବରେ ଜମ୍ମୁ ଏବଂ କାଶ୍ମୀରର କିସ୍ତୱାଡରେ ରାତଲେ ବନ୍ଧ ନିର୍ମାଣ କରାଯାଉଛି। ଏହା ୮୫୦ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ କରିବ। ଏହି ପ୍ରକଳ୍ପ ମେ ମାସ ସୁଦ୍ଧା ସମାପ୍ତ ହେବାର ଆଶା କରାଯାଉଛି। ଏହି ବନ୍ଧଗୁଡ଼ିକର ସମାପ୍ତି ପାକିସ୍ତାନରେ ଜଳ ପ୍ରବାହକୁ ପ୍ରଭାବିତ କରିପାରେ। ବିଶେଶ ଭାବରେ ଗ୍ରୀଷ୍ମ ଋତୁରେ ସେଠାରେ ବିପର୍ଯ୍ୟୟ ସୃଷ୍ଟି କରିପାରେ ଏବଂ ଫସଲ ନଷ୍ଟ ହେବା ସହିତ ପାନୀୟ ଜଳର ଗମ୍ଭୀର ସମସ୍ୟା ସୃଷ୍ଟି ହୋଇପାରେ।
Comments are closed.