ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଯୋଗୀ କୌଶାମ୍ବୀର ଚୈଲର ସମାଜବାଦୀ ପାର୍ଟିର ବିଧାୟିକା ପୂଜା ପାଲଙ୍କ ସ୍ୱାମୀଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ଦେଇ ତାଙ୍କୁ ନ୍ୟାୟ ଦେଇଥିବା ସେ ବିଧାନସଭାରେ କହିଥିଲେ। ଯାହାକୁ ନେଇ ଅଖିଳେଶ ଯାଦବ ଅସନ୍ତୁଷ୍ଟ ହୋଇ ପୂଜା ପାଲଙ୍କୁ ଗୁରୁବାର ଦିନ ଦଳରୁ ବହିଷ୍କାର କରିଛନ୍ତି।
୨୦୦୫ରେ ପୂଜା ପାଲଙ୍କ ସ୍ୱାମୀ ରାଜୁ ପାଲଙ୍କୁ ପ୍ରୟାଗରାଜରେ ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଆଶ୍ରଫ ହତ୍ୟା କରିଥିଲେ। ରାଜ୍ୟସଭା ନିର୍ବାଚନ ପରଠାରୁ ପୂଜା ପାଲଙ୍କୁ ଏସପିରୁ ଅଲଗା କରାଯାଇଥିଲା। ଏହାକୁ ନେଇ ପୂଜା ପାଲ ସମେତ ଆଠ ଜଣ ବିଧାୟକ ଏସପି ବିରୋଧରେ ବିଦ୍ରୋହ କରିଥିଲେ ଏବଂ ବିଜେପି ସପକ୍ଷରେ କ୍ରସ-ଭୋଟିଂ ମଧ୍ୟ କରିଥିଲେ। ତେବେ ସେହି ଆଠ ଜଣ ବିଧାୟକଙ୍କ ମଧ୍ୟରୁ ଚାରି ଜଣଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ଏହାକୁ ନେଇ ଅଖିଳେଶଙ୍କୁ ପ୍ରଶ୍ନ କରାଯିବା ପରେ ସେ କହିଥିଲେ ଯେ ବାକି ବିଧାୟକ ମାନଙ୍କୁ ସୁଧାରିବାର ସୁଯୋଗ ଦିଆଯାଇଛି।
ତେବେ ଗୁରୁବାର ଦିନ ଅଖିଳେଶ ଯାଦବଙ୍କ ଦ୍ଵାରା ଦସ୍ତଖତ ହୋଇଥିବା ବହିଷ୍କାର ପତ୍ରରେ ପୂଜା ପାଲଙ୍କ ଉପରେ ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ କରାଯାଇଛି। ଏଥିସହିତ ତାଙ୍କ ଯୋଗୁଁ ଦଳ ବହୁତ କ୍ଷତି ସହିଥିବା ମଧ୍ୟ ପତ୍ରରେ ଉଲ୍ଲେଖ କରାଯାଇଛି। ସେ ଯେଉଁ ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି ତାହା ସହନୀୟ ନୁହେଁ ବୋଲି ମଧ୍ୟ କୁହାଯାଇଛି। ତେଣୁ ତୁରନ୍ତ ପ୍ରଭାବରୁ ସମାଜବାଦୀ ପାର୍ଟିରୁ ତାଙ୍କୁ ବହିଷ୍କାର କରାଯାଇଥିବା ପତ୍ରରେ ଦର୍ଶାଯାଇଛି।ଏଥିସହିତ ସେ ଦଳର କୌଣସି କାର୍ଯ୍ୟକ୍ରମରେ କିମ୍ବା ବୈଠକରେ ଅଂଶଗ୍ରହଣ କରିବେ ନାହିଁ ବୋଲି ମଧ୍ୟ କୁହାଯାଇଛି।
Comments are closed.