Latest Odisha News

BREAKING NEWS

୧୨ଟି ନୂଆ ଏନଏସି ପାଇଁ ଡ୍ରାଫ୍ଟ ନୋଟିସ୍‌ ଜାରି

ଭୁବନେଶ୍ୱର: ରାଜ୍ୟ ସରକାର ରାଜ୍ୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ବୃଦ୍ଧି କରିବା ପାଇଁ ପଦକ୍ଷେପ ନେଇଛନ୍ତି । ସରକାର ସମ୍ବଲପୁର, ଅନୁଗୁଳ, ବାଲେଶ୍ବର, ମୟୂରଭଞ୍ଜ, ରାୟଗଡ଼ା, ସୁବର୍ଣ୍ଣପୁର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏନଏସି ଗଠନ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

ସେନେଇ ରାଜ୍ୟରେ ୭ ଜିଲ୍ଲାରେ ୧୨ଟି ନୂଆ ଏନଏସି ପାଇଁ ଆଜି ଡ୍ରାଫ୍ଟ ନୋଟିସ୍‌ ପ୍ରକାଶ ପାଇଛି । ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏଥିରେ ଅନୁଗୋଳର ପାଲଲହଡ଼ା, ସୁବର୍ଣ୍ଣପୁରର ବୀରମହାରାଜପୁର, ବାଲେଶ୍ୱରର ସିମୁଳିଆ ଏବଂ ବସ୍ତା, ମୟୂରଭଞ୍ଜର ବାଙ୍ଗିରିପୋଷି ଏବଂ ଚିତ୍ରଡ଼ା, ରାୟଗଡ଼ାର ବିଷମକଟକ, ସମ୍ବଲପୁରର ବାମରା ଏବଂ ରେଙ୍ଗାଲି, ଭଦ୍ରକ ଜିଲ୍ଲାର ତିହିଡ଼ି ଏବଂ ଧୂଷୁରୀକୁ ଏନ୍‌ଏସି କରିବା ଦର୍ଶାଯାଇଛି ।

ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗତ ଜୁନ ମାସ ୧୧ ତାରିଖ ଦିନ କହିଥିଲେ ଯେ, ରାଜ୍ୟ ସରକାର ଖୁବ୍‌ଶୀଘ୍ର ରାଜ୍ୟବାସୀଙ୍କୁ ୧୦ରୁ ଅଧିକ ଏନ୍‌ଏସି ଏବଂ ୨ରୁ ଅଧିକ ପୌରପାଳିକା ଭେଟିଦେବେ। ଗୃହନିର୍ମାଣ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି ବୋଲି ମନ୍ତ୍ରୀ କହିଛନ୍ତି ।

Comments are closed.