ସମ୍ବଲପୁର: ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନଧାର୍ଯ୍ୟ ହୋଇଛି । ଆସନ୍ତା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତୁଳା ଲଗ୍ନରେ ଅଗଷ୍ଟ ୨୮ ତାରିଖ ଗୁରୁବାର ସକାଳ ୧୦ଟା ୩୩ରୁ ୧୦ଟା ୫୫ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଅର୍ପଣ ନିମନ୍ନେ ଲଗ୍ନଧାର୍ଯ୍ୟ କରାଯାଇଛି ।
ପ୍ରଚଳିତ ପରମ୍ପରା ଅନୁସାରେ ନନ୍ଦୋତ୍ସବ ତିଥି ଅର୍ଥାତ୍ ଆଜି ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ଏହା ଧାର୍ଯ୍ୟ ହୋଇଛି । ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆଜି ପଣ୍ଡିତମାନଙ୍କୁ ଲଗ୍ନ ନିର୍ଦ୍ଧାରଣ ନିମନ୍ତେ ନିମନ୍ତ୍ରଣ କରାଯାଇଥିଲା । ଏହି ଅବସରରେ ଚଳିତ ବର୍ଷର ନୂଆଁଖାଇ ଲଗ୍ନ ପୂଜକଙ୍କ ଦ୍ବାରା ମାଁ ସମଲେଶ୍ୱରୀଙ୍କ ନିକଟରେ ସମର୍ପଣ କରାଯାଇଥିଲା । ପରେ ସହରବାସୀଙ୍କୁ ପଣ୍ଡିତ ତଥା ପୂଜକମାନେ ଜଣାଇଥିଲେ
ଏହି ଦିନ ପ୍ରତି ଗ୍ରାମର ପରିବାରମାନେ ନିଜ ନିଜ ଘରେ ଅକାଣ୍ଡିଆ ଚାଉଳର କ୍ଷୀରି ରାନ୍ଧିବା ସହ ଯୁଗ୍ମ ପରିବାରରେ ତଥା ସମଗ୍ର ଗ୍ରାମରେ ସାମୁହିକ ଭାବେ ମଧ୍ୟ ରାନ୍ଧିଥାନ୍ତି । ଏହି କ୍ଷୀରି “ନବାନ୍ନ” ବା “ନବାର୍ଣ୍ଣ” ନାମରେ ଜଣା । ଗ୍ରାମର ଦେହୁରୀ ସେହି ନବାନ୍ନକୁ ପୂର୍ବଜମାନଙ୍କୁ ଅର୍ପଣ କରିଥାନ୍ତି ଆଉ ଭୋଗ ରୂପେ ସମସ୍ତଙ୍କୁ ବାଣ୍ଟିଥାନ୍ତି । ମା’ ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ଘରେ ଘରେ ଲୋକେ ନୂଆ ଖାଇଥାନ୍ତି ।
Comments are closed.