Latest Odisha News

BREAKING NEWS

ଦୂରତା କମୁଛି ପୁଟିନ-ଟ୍ରମ୍ପଙ୍କ ମଧ୍ୟରେ, ବୈଠକ ପୂର୍ବରୁ ଆମେରିକା ରାଷ୍ଟ୍ରପତିଙ୍କ ବୟାନ ଜେଲେନସ୍କିଙ୍କ ପାଇଁ ଚିନ୍ତାଜନକ

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଯଦି ଚାହାନ୍ତି, ତେବେ ରୁଷିଆ ସହ ଯୁଦ୍ଧ ତୁରନ୍ତ ଶେଷ କରିପାରିବେ। କିନ୍ତୁ ଏଥିପାଇଁ ୟୁକ୍ରେନକୁ କ୍ରିମିଆ ଓ ନାଟୋ ସଦସ୍ୟତାର ଆଶା ଛାଡ଼ିବାକୁ ପଡ଼ିବ। ଏହି ବୟାନ ଜେଲେନସ୍କି ଓ ୟୁରୋପୀୟ ନେତାଙ୍କ ସହ ଟ୍ରମ୍ପଙ୍କ ହ୍ୱାଇଟ ହାଉସ ବୈଠକ ପୂର୍ବରୁ ଆସିଛି।

ଟ୍ରମ୍ପ କହିଛନ୍ତି, ରୁଷିଆ ହାତରେ ଥିବା କ୍ରିମିଆକୁ ୟୁକ୍ରେନ ଫେରି ପାଇବ ନାହିଁ। ସେ ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଏଥିପାଇଁ ଦାୟୀ କରିଛନ୍ତି। ୨୦୧୪ରେ ଓବାମାଙ୍କ ସମୟରେ ରୁଷିଆ ବିନା ଗୁଳିରେ କ୍ରିମିଆ ଦଖଲ କରିଥିଲା। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଲେଖିଛନ୍ତି, “ଜେଲେନସ୍କି ଚାହିଁଲେ ଯୁଦ୍ଧ ତୁରନ୍ତ ଶେଷ କରିପାରିବେ। କିନ୍ତୁ କ୍ରିମିଆ ଫେରିବ ନାହିଁ ଓ ନାଟୋରେ ସଦସ୍ୟତା ମିଳିବ ନାହିଁ।”

ଟ୍ରମ୍ପଙ୍କ ବିଶେଷ ଦୂତ ଷ୍ଟିଭ ଉଇଟକଫ ଦାବି କରିଛନ୍ତି ଯେ ରୁଷିଆ ୟୁକ୍ରେନକୁ ନାଟୋ ପରି ସୁରକ୍ଷା ଗ୍ୟାରେଣ୍ଟି ଦେବାକୁ ରାଜି ହୋଇଛି। ଏହା ଏକ ବଡ଼ ସଫଳତା ବୋଲି ସେ କହିଛନ୍ତି। କିନ୍ତୁ ଟ୍ରମ୍ପ ଏହାକୁ ସମର୍ଥନ କରିନାହାନ୍ତି। ସେ ନାଟୋ ସଦସ୍ୟତାକୁ ପୂରାପୂରି ଅସ୍ୱୀକାର କରିଛନ୍ତି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ନାଟୋର ପୂର୍ବ ୟୁରୋପ ବିସ୍ତାରକୁ ବିରୋଧ କରୁଛନ୍ତି। ୟୁକ୍ରେନ ନାଟୋରେ ସାମିଲ ହେଲେ ରୁଷିଆ ଆହୁରି କଠୋର ପଦକ୍ଷେପ ନେଇପାରେ।

ଟ୍ରମ୍ପଙ୍କ ଏହି ବୟାନ ୟୁକ୍ରେନ ଓ ତାଙ୍କ ସହଯୋଗୀ ଦେଶମାନଙ୍କ ପାଇଁ ଝଟକା ଲାଗିଛି। ସେ କହିଛନ୍ତି, ଜେଲେନସ୍କି ଯୁଦ୍ଧ ଶେଷ କରିବା ବା ଚାଲୁ ରଖିବା ନିଷ୍ପତ୍ତି ନେଇପାରନ୍ତି। ଟ୍ରମ୍ପଙ୍କ ରାଷ୍ଟ୍ରପତି କାର୍ଯ୍ୟକାଳରେ ସେ ଶାନ୍ତି ପାଇଁ ଚେଷ୍ଟା କରୁଥିବା ଦାବି କରିଛନ୍ତି। ତାଙ୍କ ପ୍ରେସ ସେକ୍ରେଟାରୀ କାରୋଲିନ ଲିଭିଟ କହିଛନ୍ତି, ଟ୍ରମ୍ପ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ସଂଘର୍ଷ ଶେଷ କରିଛନ୍ତି। କିନ୍ତୁ ୟୁକ୍ରେନ ଓ ତାଙ୍କ ସହଯୋଗୀମାନେ ଏକ ସନ୍ଧି ପାଇଁ ଚେଷ୍ଟା କରୁଛନ୍ତି। ଟ୍ରମ୍ପଙ୍କ ଚାପ ସତ୍ତ୍ୱେ ଶାନ୍ତି ହେବ ନା ଯୁଦ୍ଧ ଆହୁରି ବଢ଼ିବ, ତାହା ସମୟ ହିଁ କହିବ।

ଉଲ୍ଲେଖଯୋଗ୍ୟ, ନିକଟରେ ଆଲାସ୍କାରେ ରାଷ୍ଟ୍ରପତି ଓ ଆମେରିକା ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଦୁଇ ନେତାଙ୍କ ମଧ୍ୟରେ ହୋଇଥିଲା ଆଲୋଚନା। ଟାରିଫ ଯୁଦ୍ଧ ପରେ ଏହି ବୈଠକ ଗୁରୁତ୍ୱ ରଖିଥିିଲା। କିନ୍ତୁ ଦୁଇ ନେତାଙ୍କ ବୟାନ ଏହି ବୈଠକ ସେତେଟା ସଫଳ ହୋଇନଥିବା ଚର୍ଚ୍ଚା ହେଉଛି। ହେଲେ ଏହାରି ଭିତରେ ଟ୍ରମ୍ପଙ୍କୁ ରୁଷିଆ ଆସିବାକୁ ଆମନ୍ତ୍ରଣ କରିଛନ୍ତି ପୁଟିନ୍। ବିଶ୍ୱର ଦୁଇ ନେତାଙ୍କ ମଧ୍ୟରେ ଦୋସ୍ତି ବଢିଥିବା ନେଇ ଚର୍ଚ୍ଚା ଭିତରେ ୟୁକ୍ରେନର ଆଶା ଉପରେ ଟ୍ରମ୍ପ ପାଣି ପକାଇବା ଏହା ବିଶ୍ୱ ରାଜନୀତିକୁ ଏକ ନୂଆ ଦିଗ ଦେଉଥିବା ଚର୍ଚ୍ଚା ହେଉଛି।

Comments are closed.