ଭୁବନେଶ୍ୱର: ଇନ୍ଦିରାଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ର ବିଭିନ୍ନ ପାଠ୍ୟକ୍ରମକୁ ଓଡ଼ିଆରେ ପ୍ରଚଳନ କରିବା ପାଇଁ ବିଗତ ଜୁନ୍ ୯ ତାରିଖରେ ଉଚ୍ଚଶିକ୍ଷା ବିଭାଗ ଓ ଇଗ୍ନୋ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଥିଲା । ଏହି ବୁଝାମଣା ପତ୍ର ଅନୁଯାୟୀ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟର ସ୍ନାତକ, ସ୍ନାତକୋତ୍ତର ପାଠ୍ୟକ୍ରମ ସହିତ ସ୍ନାତକୋତ୍ତର ଡିପ୍ଲୋମା, ଡିପ୍ଲୋମା ଓ ସାର୍ଟିଫିକେଟ ପାଠ୍ୟକ୍ରମ, ସ୍ନାତକ (ଭୋକେସ୍ନାଲ୍ ଷ୍ଟଡ଼ିଜ), ଟ୍ରାଭେଲ ଓ ଟୁରିଜିମ୍ ମ୍ୟାନେଜମେଣ୍ଟ, ବିବିଏ, ଏମବିଏ ଆଦି ବିଭିନ୍ନ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା ।
ଏହି କ୍ରମରେ ଇନ୍ଦିରାଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଉଥିବା ପ୍ରାରମ୍ଭିକ ଶିଶୁଯତ୍ନ ଏବଂ ଶିକ୍ଷାରେ ଡିପ୍ଲୋମା (ଡିଇସିଇ) ପାଠ୍ୟକ୍ରମର ପାଠ୍ୟ ପୁସ୍ତକକୁ ଓଡ଼ିଆ ଭାଷାରେ ଅନୁବାଦ କରାଯାଇଛି, ଯାହାକୁ ଆଜି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉନ୍ମୋଚନ କରିଛନ୍ତି ।
ଆଗରୁ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ଦ୍ୱାରା ପ୍ରାରମ୍ଭିକ ଶିଶୁଯତ୍ନ ଏବଂ ଶିକ୍ଷାରେ ଡିପ୍ଲୋମା ପାଠ୍ୟକ୍ରମକୁ ଇଂରାଜୀ, ହିନ୍ଦୀ ଓ ତାମିଲ ଭାଷାରେ ପ୍ରଦାନ କରାଯାଉଥିଲା, ବର୍ତ୍ତମାନ ଏହାକୁ ଓଡ଼ିଆ ଭାଷାରେ ମଧ୍ୟ ପ୍ରଦାନ କରାଯିବ ।
ଇଗ୍ନୋ ଦ୍ୱାରା ପ୍ରଦାନ କରାଯାଉଥିବା ପ୍ରାରମ୍ଭିକ ଶିଶୁଯତ୍ନ ଏବଂ ଶିକ୍ଷାରେ ଡିପ୍ଲୋମା ପାଠ୍ୟକ୍ରମ ହେଉଛି ୧ ବର୍ଷିଆ କୋର୍ସ । ଶିକ୍ଷାର୍ଥୀମାନେ ଯୁକ୍ତ୨ ପରେ ଏହି ପାଠ୍ୟକ୍ରମରେ ନାମ ଲେଖାଇପାରିବେ । ଏହି ପାଠ୍ୟକ୍ରମରେ ମୁଖ୍ୟତଃ ଶିଶୁଙ୍କ ପ୍ରାରମ୍ଭିକ ଶିକ୍ଷା, ଶିଶୁ ସ୍ଵାସ୍ଥ୍ୟ ଓ ପୋଷଣ ଆଦି ଉପରେ ଶିକ୍ଷା ପ୍ରଦାନ କରାଯିବ । ପାଠ୍ୟପୁସ୍ତକ ସହ ଶିକ୍ଷାର୍ଥୀମାନଙ୍କୁ ଅଡ଼ିଓ କ୍ୟାସେଟ ଏବଂ ଭିଡିଓ ଟ୍ୟୁଟୋରିଆଲ ମଧ୍ୟ ପ୍ରଦାନ କରାଯିବ । ଉଭୟ ଥିଓରୀ ଓ ପ୍ରାକ୍ଟିକାଲ ବିଷୟବସ୍ତୁକୁ ଉକ୍ତ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି, ଯାହାଦ୍ୱାରା ଶିକ୍ଷାର୍ଥୀମାନେ ପାଠ୍ୟପୁସ୍ତକ ପଢିବା ସହ ଉକ୍ତ ପାଠ୍ୟକ୍ରମର ପ୍ରୟୋଗାତ୍ମକ ଦିଗ ଉପରେ ମଧ୍ୟ ଜ୍ଞାନ ଆହରଣ କରିପାରିବେ ।
ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ ଯେ, ଇଗ୍ନୋ ପକ୍ଷରୁ ପ୍ରାରମ୍ଭିକ ଶିଶୁଯତ୍ନ ଏବଂ ଶିକ୍ଷାରେ ଡିପ୍ଲୋମା ପାଠ୍ୟକ୍ରମକୁ ଓଡ଼ିଆରେ ପ୍ରଚଳନ କରାଯିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ବିଶେଷ ଭାବରେ ଆମ ବାଲ୍ ବାଟିକା ଏବଂ ଅଙ୍ଗନୱାଡ଼ିରେ କାର୍ଯ୍ୟ କରୁଥିବା କର୍ମୀ ଓ ପ୍ରଶିକ୍ଷକମାନେ ନିଜକୁ ଉକ୍ତ ପାଠ୍ୟକ୍ରମରେ ପଞ୍ଜିକୃତ କରି ଉପକୃତ ହୋଇପାରିବେ । ଓଡ଼ିଆ ଭାଷାରେ ପାଠ୍ୟକ୍ରମ ପ୍ରଚଳନ ହେବା ଦ୍ୱାରା ସମସ୍ତେ ପାଠ୍ୟକ୍ରମକୁ ଅତି ସହଜ ଓ ସରଳ ପଦ୍ଧତିରେ ପଢ଼ିପାରିବେ । ତତ୍ସହିତ ଉକ୍ତ ପାଠ୍ୟକ୍ରମଟି ଶିଶୁ ଶିକ୍ଷା ଓ ପୋଷଣ ଦିଗରେ ରୁଚି ରଖୁଥିବା ସମସ୍ତ ବ୍ୟକ୍ତିବିଶେଷ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ବେସରକାରୀ ପ୍ଲେ ସ୍କୁଲର କର୍ମକର୍ତ୍ତାଙ୍କ ପାଇଁ ମଧ୍ୟ ସହାୟକ ହେବ ।
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ପ୍ରାରମ୍ଭିକ ଶିକ୍ଷା ହେଉଛି ଆମ ସମ୍ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥାର ମୂଳଦୁଆ । ପ୍ରାରମ୍ଭିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିପାରିଲେ ଆମ ସମ୍ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହୋଇପାରିବ । ଇଗ୍ନୋ ଦ୍ୱାରା ପ୍ରଦାନ କରାଯାଉଥିବା ଏହି ପାଠ୍ୟକ୍ରମ ନିଶ୍ଚିତ ରୂପେ ଆମ ପ୍ରାରମ୍ଭିକ ଶିକ୍ଷା ବ୍ୟବସ୍ଥାରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ, କର୍ମୀ ଓ ପ୍ରଶିକ୍ଷକମାନଙ୍କର ଦକ୍ଷତା ବିକାଶ କରିପାରିବ, ଯଦ୍ୱାରା ସେମାନେ ସରଳ, ସୁଗମ ଓ ପ୍ରୟୋଗାତ୍ମକ ଶିକ୍ଷା ପଦ୍ଧତି ମାଧ୍ୟମରେ ଶିଶୁମାନଙ୍କୁ ଶିକ୍ଷା ପ୍ରଦାନ କରିପାରିବେ ।
Comments are closed.