ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗୁରୁତର ଅପରାଧିକ ମାମଲାରେ ଗିରଫ ହେଉଥିବା ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ପଦରୁ ହଟାଇବା ପାଇଁ ତିନୋଟି ନୂଆ ବିଲ୍ ଆଣୁଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା ଆଉ କିଛି ସମୟରେ ଲୋକସଭାରେ ଏହି ବିଲ୍ଗୁଡ଼ିକୁ ଉପସ୍ଥାପନ କରିବେ। ଏହାକୁ ସଂସଦର ଏକ ଯୁଗ୍ମ କମିଟିକୁ ପଠାଇବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ବିଲ୍ ଅନୁଯାୟୀ, ଯଦି ଜଣେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ୩୦ ଦିନ ଧରି ଜେଲରେ ରହିବେ, ତେବେ ସେମାନଙ୍କୁ ପଦରୁ ହଟାଯିବ। ବଡ଼ କଥା ହେଲା, ଜେଲ୍ରୁ ବାହାରିବା ପରେ ମନ୍ତ୍ରୀଙ୍କୁ ପୁନର୍ବାର ପଦବୀରେ ନିଯୁକ୍ତି ମିଳିପାରେ।
ତିନୋଟି ବିଲ୍ର ନାମ କ’ଣ?
୧. କେନ୍ଦ୍ର ଶାସିତ ଅଞ୍ଚଳ ସରକାର (ସଂଶୋଧନ) ବିଲ୍, ୨୦୨୫
୨. ସମ୍ୱିଧାନ (୧୩୦ତମ ସଂଶୋଧନ) ବିଲ୍, ୨୦୨୫
୩. ଜମ୍ମୁ ଓ କଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍, ୨୦୨୫
ବିଲ୍ରେ କ’ଣ ରହିଛି?
-
କେନ୍ଦ୍ର ଶାସିତ ଅଞ୍ଚଳ ସରକାର (ସଂଶୋଧନ) ବିଲ୍, ୨୦୨୫: କେନ୍ଦ୍ର ଶାସିତ ଅଞ୍ଚଳ ସରକାର ଆଇନ, ୧୯୬୩ରେ ଗୁରୁତର ଅପରାଧ ମାମଲାରେ ଗିରଫ ହେଉଥିବା ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀଙ୍କୁ ହଟାଇବାର କୌଣସି ନିୟମ ନାହିଁ। ଏହା ପାଇଁ ଆଇନର ଧାରା ୪୫କୁ ସଂଶୋଧନ କରାଯିବ।
-
ସମ୍ବିଧାନ (୧୩୦ତମ ସଂଶୋଧନ) ବିଲ୍, ୨୦୨୫: ସମ୍ବିଧାନରେ ଗୁରୁତର ଅପରାଧରେ ଗିରଫ ହେଉଥିବା ପ୍ରଧାନମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟର ମନ୍ତ୍ରୀଙ୍କୁ ହଟାଇବାର ନିୟମ ନାହିଁ। ଏଥିପାଇଁ ଅନୁଚ୍ଛେଦ ୭୫, ୧୬୪ ଓ ୨୩୯ଏଏରେ ସଂଶୋଧନ କରାଯିବ।
-
ଜମ୍ମୁ ଓ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍, ୨୦୨୫: ଜମ୍ମୁ ଓ କଶ୍ମୀର ପୁନର୍ଗଠନ ଆଇନ, ୨୦୧୯ରେ ଗୁରୁତର ଅପରାଧରେ ଗିରଫ ହେଉଥିବା ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀଙ୍କୁ ହଟାଇବାର ନିୟମ ନାହିଁ। ଏଥିପାଇଁ ଧାରା ୫୪ରେ ସଂଶୋଧନ କରାଯିବ।
ସମ୍ୱିଧାନ ସଂଶୋଧନ ବିଲ୍ର ଆବଶ୍ୟକତା କାହିଁକି?
-
ଏବେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀଙ୍କୁ ପଦ ଛାଡ଼ିବାକୁ ବାଧ୍ୟ କରାଯାଇ ନାହିଁ।
-
ଗୁରୁତର ଅପରାଧରେ ଦୋଷୀ ସାବ୍ୟସ୍ତ ହେଲେ ମଧ୍ୟ ପଦରେ ରହିପାରନ୍ତି।
-
ଉଦାହରଣ: ଅରବିନ୍ଦ କେଜରିୱାଲ ୧୭୭ ଦିନ ଜେଲ୍ରେ ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ।
-
ଦିଲ୍ଲୀର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ତାମିଲନାଡୁର ପୂର୍ବତନ ମନ୍ତ୍ରୀ ସେନ୍ଥିଲ ବାଲାଜୀ ଜେଲ୍ରେ ଥାଇ ମନ୍ତ୍ରୀ ରହିଥିଲେ।
-
ନୂଆ ବିଲ୍ ଅନୁଯାୟୀ, ୩୦ ଦିନ ଜେଲ୍ରେ ରହିଲେ ପଦ ଚାଲିଯିବ।
-
ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଅଭିଯୁକ୍ତ ହେଲେ କିମ୍ବା ମନ୍ତ୍ରୀଙ୍କୁ ହଟାଇବା ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିଶ କରିପାରନ୍ତି।
-
ଯଦି ପ୍ରଧାନମନ୍ତ୍ରୀ ସୁପାରିଶ ନ କରନ୍ତି, ତଥାପି ୩୧ତମ ଦିନରେ ପଦ ଚାଲିଯିବ।
ବିଲ୍ର ମୁଖ୍ୟ ବିଷୟଗୁଡ଼ିକ
-
୫ ବର୍ଷରୁ ଅଧିକ ସଜା ଥିବା ଅପରାଧରେ ଗିରଫ ହେଲେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ହଟାଯିବ।
-
୩୦ ଦିନ ଜେଲରେ ରହିଲେ ପଦରୁ ବରଖାସ୍ତ ହେବେ।
-
ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ହଟାଇବା ପାଇଁ ସୁପାରିଶ କରିବେ।
-
୩୧ତମ ଦିନ ପର୍ଯ୍ୟନ୍ତ ଇସ୍ତଫା ନ ଦେଲେ ଆପେଆପେ ପଦରୁ ହଟାଯିବେ।
-
ଯଦି ପିଏମ ସୁପାରିଶ ନ କରନ୍ତି, ତଥାପି ୩୧ତମ ଦିନରେ ପଦ ଚାଲିଯିବ।
ବିରୋଧୀଙ୍କୁ କାହିଁକି ଡର ଲାଗୁଛି?
କଂଗ୍ରେସ ଅଭିଯୋଗ କରିଛି ଯେ କେନ୍ଦ୍ର ସରକାର ଏହି ବିଲ୍ ଜରିଆରେ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀମାନଙ୍କୁ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ମନଇଚ୍ଛା ଗିରଫ କରି ପଦରୁ ହଟାଇବାକୁ ଚାହୁଁଛନ୍ତି। କଂଗ୍ରେସ ନେତା ଅଭିଷେକ ସିଂଘଭୀ କହିଛନ୍ତି, ଏହା ବିରୋଧୀଙ୍କୁ ଅସ୍ଥିର କରିବାର ଏକ ଚକ୍ରାନ୍ତ। ସେ କହିଛନ୍ତି, ଗିରଫ ପାଇଁ କୌଣସି ନିୟମ ପାଳନ କରାଯାଉ ନାହିଁ। ବିରୋଧୀ ନେତାଙ୍କୁ ଅନ୍ୟାୟ ଭାବେ ଗିରଫ କରାଯାଉଛି। ଏହି ବିଲ୍ ଜରିଆରେ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କୁ ସହଜରେ ହଟାଇ ହେବ।
ଲୋକସଭାରେ କଂଗ୍ରେସର ଉପନେତା ଗୌରବ ଗୋଗୋଈ କହିଛନ୍ତି, ଏହି ବିଲ୍ ରାହୁଲ ଗାନ୍ଧୀଙ୍କ ‘ଭୋଟ ଅଧିକାର ଯାତ୍ରା’ରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଏକ ପ୍ରୟାସ। ଟିଏମସି ସାଂସଦ ସାଗାରିକା ଘୋଷ କହିଛନ୍ତି, ଏହି ବିଲ୍ ସଂବିଧାନକୁ ଆହୁରି କ୍ଷତି ପହଞ୍ଚାଇବ। ଏହା କେନ୍ଦ୍ରକୁ ବିନା ଅଭିଯୋଗପତ୍ର କିମ୍ବା ଦୋଷୀ ସାବ୍ୟସ୍ତ ହେବା ବିନା ମୁଖ୍ୟମନ୍ତ୍ରୀଙ୍କୁ ହଟାଇବାର ଅଧିକାର ଦେବ। ଏହା କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଦୁରୁପଯୋଗକୁ ଆହୁରି ବଢ଼ାଇବ। ଏହି ବିଲ୍ ସଂସଦରେ ତୀବ୍ର ବିତର୍କ ସୃଷ୍ଟି କରିବା ପୂର୍ବରୁ ମିଡିଆ ଏବଂ ସୋଶିଆଲ ମିଡିଆରେ ବିତର୍କ ସୃଷ୍ଟି କରିସାରିଛି। ବିରୋଧୀ ଦଳମାନେ ଏହାକୁ ସରକାରର ରାଜନୈତିକ ଚାଲ ବୋଲି ଅଭିଯୋଗ କରୁଛନ୍ତି।
Comments are closed.