Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୧୪୦: ଯୋଗୀଟିଏ କେବଳ ତାର ଆବଶ୍ୟକତା ଅନୁସାରେ ସଂଗ୍ରହ କରିବା ଉଚିତ, ଅନାବଶ୍ୟକ ସଂଚୟ ଅନ୍ୟ ଦ୍ଵାରା ଲୁଣ୍ଠିତ ହୋଇଥାଏ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ସ୍ଥାନିତ ଚବିଶି ଗୁରୁଙ୍କ ଚୟନ ମହାତ୍ମା ଅବଧୂତ ନିଜ ପ୍ରଚଣ୍ଡ ଧି ଶକ୍ତି ପ୍ରୟୋଗ କରି କରୁଛନ୍ତି। କେତେବେଳେ ମଧୁକର ବା ଭ୍ରମରଙ୍କ ପ୍ରତ୍ୟେକ ଫୁଲରୁ କିଛି କିଛି ମଧୁ ସଂଗ୍ରହକୁ ଯୋଗୀଙ୍କ ଲକ୍ଷଣ ସହ ତୁଳନା କରିଛନ୍ତି। ପୁଣି କେବେ ମଧୁହାରୀ ଅବା ମହୁମାଛିଙ୍କ ମଧୁ ସଂଗ୍ରହ ଓ ତାର ସଂରକ୍ଷଣ କରିବାର ଅଭ୍ୟାସକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ଓ ମଧୁହାରୀଙ୍କୁ ଗୁରୁ ରୂପେ ବରଣ କରିଛନ୍ତି। ଆଗାମୀ ଗୁରୁ
14.ମଧୁହାରୀ:- ଆମେ ସମସ୍ତେ ଏହି ଛୋଟ ଉପକାରୀ ପତଙ୍ଗଟିର କଥା ସମସ୍ତେ ଜାଣିଛେ। ସଂସାର ପାଇଁ ମହୁମାଛି ଦ୍ଵାରା ସଂଗୃହିତ ଅମୃତ ତୁଲ୍ୟ ମଧୁ କେତେ ଆବଶ୍ୟକ ତାହା ମଧ୍ୟ ଉପଲ୍ଲବ୍ଧ କରିଛେ। କିନ୍ତୁ ଅବଧୂତ ମହାରାଜ ଯାହା ଉପଲବ୍ଧ କଲେ ତାହା ଏକ ସାର୍ଵଜନିନ ଦୃଷ୍ଟି ନୁହେଁ, ଏହା ଜଣେ ମହାତ୍ମାଙ୍କ ଦୃଷ୍ଟି ସେ କହିଲେ ଅତ୍ୟଧିକ ସଂଚୟ କରିବା ସଂସାରୀ ଲକ୍ଷଣ କିନ୍ତୁ ଯୋଗୀଟିଏ କେବଳ ତାର ଆବଶ୍ୟକତା ଅନୁସାରେ ସଂଗ୍ରହ କରିବା ଉଚିତ। ଅନାବଶ୍ୟକ ସଂଚୟ ଅନ୍ୟ ଦ୍ଵାରା ଲୁଣ୍ଠିତ ହୋଇଥାଏ, ଠିକ ମହୁ ଫେଣାରୁ ମହୁ ଲୁଣ୍ଠନ ହେବା ପରି। ଭାଗବତଙ୍କ ଭାଷାରେ
ଏ ରୂପେ ଗୃହୀ ଦୁଃଖ ପାଇ।
ଅନ୍ନ ବ୍ୟଞ୍ଜନ ରଖେ ନେଇ।।
ଅତିଥି ଆସି ଭୁଞ୍ଜେ ତାହା।
ଏମନ୍ତେ ଗୁରୁ ମୋ ମଧୁହା।।
ସଂସାରର ପ୍ରତ୍ୟେକ କୀଟ ପତଙ୍ଗ ଜୀବ ଆଦିଙ୍କ ଠାରୁ କିଛି ଶିକ୍ଷା ମିଳେ
15.ମୃଗ :- ଅରଣ୍ୟର ଏହି ତୃଣ ଭୋଜି ଜୀବଟି ଅତ୍ୟନ୍ତ ସୁନ୍ଦର ଓ ମନୋହର, ଏହାର ଶୋଭାରେ ସମସ୍ତେ ମୁଗ୍ଧ ହୁଅନ୍ତି। କିନ୍ତୁ ମୃଗ ମୁଗ୍ଧ ହୁଏ ଗ୍ରାମ୍ୟଗୀତ ଶ୍ରବଣ କରି, ଅର୍ଥାତ ମଣିଷର ସମ୍ମୋହନ ଗୀତ ଲହରୀ ମୃଗଙ୍କୁ ଜନଵସତି ଆଡ଼କୁ ଆକୃଷ୍ଟ କରେ ଓ ଏହି ଆକର୍ଷଣ ତାର ମୃତ୍ୟୁର କାରଣ ହୋଇଥାଏ। ଏହାକୁ ଅବଧୂତ ମହାରାଜ ଯୋଗୀ ମାନଙ୍କ ମନ ବିଷୟା ଭୋଗ ପ୍ରତି ଆକୃଷ୍ଟ ହେବା ସହିତ ତୁଳନା କରିଛନ୍ତି ଓ ରୁଷ୍ୟଶୃଙ୍ଗଙ୍କ ପରି ମହାଯୋଗୀଙ୍କ ଜରତା ବେଶ୍ୟା ଯୌବନ ଜାଲରେ ପଡିବା ସହ ତୁଳନା କରିଛନ୍ତି। ଅବଧୂତ ମହାରାଜଙ୍କ ଦୃଷ୍ଟିରେ ମୃଗର ଏହି ବିଶେଷ ଗୁଣ ତାଙ୍କୁ ମହା ଶିକ୍ଷା ଦେଲା ଯେ ଯୋଗୀ ପୁରୁଷଟିଏ କେବେ ମଧ୍ୟ ସଂସାର ବିଷୟ ଲାଳସାରେ ଆକୃଷ୍ଟ ହେବା ଉଚିତ ନୁହେଁ। ନିଜ ଯୋଗ ସାଧନାକୁ ବଜାୟ ରଖିବା ପାଇଁ ବିଷୟା ବାସନା ତ୍ୟାଗ ଏକାନ୍ତ ଆବଶ୍ୟକ। ଭାଗବତ କହେ
ବନ୍ଦୀ ହୋଇଲେ କାମପାଶେ।
ଶ୍ରବଣ ଇନ୍ଦ୍ରିୟ ଲାଳସେ।।
ଏଣୁ ମୁଁ ମୃଗ ଗୁରୁ କରି।
ଭ୍ରମଇ ଆଶା ଦୂର କରି।।

ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-139-the-knowledge-that-shrimad-bhagwat-gita-imparts-to-us-is-very-rare/
ଆଗାମୀ ଅଧ୍ୟାୟରେ ଜାଣିବା ଅବଧୂତ ମହାରାଜ ମୀନ (ମାଛ) ଓ ପିଙ୍ଗଳା ବେଶ୍ୟା ଠାରୁ କଣ ଶିକ୍ଷା ପାଇଲେ। କାରଣ ଜଣେ ମହାଯୋଗୀ ପୁରୁଷଙ୍କ ଦୃଷ୍ଟି ଭଙ୍ଗୀ ସାଧାରଣ ମଣିଷଙ୍କ ଦୃଷ୍ଟି ଭଙ୍ଗୀବାଠାରୁ କେତେ ଭିନ୍ନ ତାହା ନିଶ୍ଚିତ ଭାବେ ଆମେ ଉପଲବ୍ଧି କରିସାରିଛେ। ବର୍ତ୍ତମାନ କେବଳ ପରମାତ୍ମାଙ୍କୁ ଚିନ୍ତା କରିବା ଆଉ ବୁଝିବା ତାଙ୍କ ବିଚିତ୍ର ସୃଷ୍ଟିକୁ।

ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)

 

Comments are closed.