Latest Odisha News

BREAKING NEWS

Ajit Doval: ଚୁଟିରୁ ପରମାଣୁ ପ୍ଲାନର ଖୁଲାସା..

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ କୁହାଯାଏ ଦେଶୀ ଜେମସ ବଣ୍ଡ ଓ ସୁପରକପ୍। ଇଣ୍ଟେଲିଜେନ୍ସ ବ୍ୟୁରୋ ହେଉ କି ସିକ୍କିମ ମିଶନ, ନିଜକୁ ଅନେକ ଥର ପ୍ରମାଣିତ କରିସାରିଛନ୍ତି ଡୋଭଲ। ନିଜ କ୍ୟାରିୟରରେ ଅନେକ ବିପଜ୍ଜନକ ମିଶନରେ କାମ କରିଛନ୍ତି। ଡି ଦେବଦତ୍ତଙ୍କ ବହି ଅଜିତ ଡୋଭାଲ୍ ଅନ ଏ ମିଶନରେ ଡୋଭାଲଙ୍କ ସବୁଠାରୁ ବିପଜ୍ଜନକ ମିଶନ ନେଇ ଉଲ୍ଲେଖ କରାଯାଇଛି। ଏହା ଅନୁସାରେ 1980ଦଶକରେ ଡୋଭାଲଙ୍କ ଜୀବନର ସବୁଠାରୁ ବିପଜ୍ଜନକ ମିଶନ ଥିଲା। ସେତେବେଳେ ପାକିସ୍ତାନ ଯାଇ ସେଠାକାର ପରମାଣୁ କାର୍ଯ୍ୟକ୍ରମ ନେଇ ଗୁପ୍ତଚରୀ କରିଥିଲେ ଡୋଭାଲ୍। ଆଉ ଏହି ମିଶନ ପାଇଁ ମାସ ମାସ ଧରି ଭିକାରୀ ବେଶରେ ରହିଥିଲେ।

ଚୀନ କରୁଥିଲା ସହାୟତା

ଇସଲାମାବାଦରେ ସବୁଠୁ ବିପଜ୍ଜନକ ସ୍ଥାନରେ ଅଜିତ ଡୋଭାଲଙ୍କୁ ନିଯୁକ୍ତ କରାଯାଇଥିଲା। ସେ ସମୟରେ ପାକିସ୍ତାନ ଯେକୌଣସି ସ୍ଥିତିରେ ପରମାଣୁ ହତିଆର ହାସଲ କରିବାକୁ ଉଦ୍ୟମ କରୁଥିଲା। 1974ରେ ଭାରତ ସଫଳ ପରମାଣୁ ପରୀକ୍ଷଣ କରି ସାରା ଦୁନିଆକୁ ଚମକାଇ ଦେଇଥିଲା। ଏହାର ଜବାବରେ ପାକିସ୍ତାନ ପରମାଣୁ କ୍ଷମତା ହାସଲ କରିବାକୁ ଆକ୍ରମଣାତ୍ମକ ଭାବେ ଉଦ୍ୟମ କରୁଥିଲା। ଆଉ ଏଥିରେ ପାକିସ୍ତାନକୁ ସହଯୋଗ କରୁଥିଲା ଚୀନ।

କହୁଟାରେ ବନିଥିଲେ ଭିକାରୀ

ଡି ଦେବଦତ୍ତଙ୍କ ବହିର ତଥ୍ୟ ଅନୁସାରେ ଡୋଭାଲଙ୍କ ନଜର ଇସଲାମାବାଦ ନିକଟରେ ଥିବା କହୁଟା ଗାଁରେ ଥିବା ଖାନ୍ ରିସର୍ଚ୍ଚ ସେଣ୍ଟର ଉପରେ ଥିଲା। ବାହାରୁ କହୁଟା ଏକ ସାଧାରଣ ବସ୍ତି ଭଳି ଲାଗୁଥିଲେ ମଧ୍ୟ ଭିତରେ କଡା ସୁରକ୍ଷା ବଳୟରେ ନ୍ୟୁକ୍ଲିୟାର ଫ୍ୟାସିଲିଟି ଥିଲା। ଡୋଭାଲ ନିଜ ମିଶନର ଗୁରୁତ୍ବକୁ ବେଶ୍ ବୁଝିଥିଲେ। ତାଙ୍କ ସାମନାରେ ଥିଲା ପରମାଣୁ କେନ୍ଦ୍ରର କଡା ସୁରକ୍ଷା ବଳୟ ଭେଦ କରିବାର ଅସାଧାରଣ ଚ୍ୟାଲେଞ୍ଜ। ଆଉ ସେଥିପାଇଁ ଏକ ସ୍ମାର୍ଟ ପ୍ଲାନ୍ ପ୍ରସ୍ତୁତ କରିଥିଲେ ଡୋଭାଲ୍। ଯୋଜନା ମୁତାବକ ମିଶନ ସମୟରେ ସେ ଏକ ଭିକାରୀ ବେଶରେ ରହିଥିଲେ। କହୁଟାର ଗଳିକନ୍ଦିରେ ଚିରା ଶାଲ ପିନ୍ଧିଥିବା ଡୋଭାଲଙ୍କ ଉପରକୁ କାହାର ନଜର ଯାଇନଥିଲା।

ବୈଜ୍ଞାନିକଙ୍କ ଚୁଟିରୁ ବଡ଼ ସୁରାକ

ଭିକାରୀ ବେଶରେ ରହି ପାକିସ୍ତାନର ସବୁଠାରୁ ସୁରକ୍ଷିତ ଗବେଷଣା କ୍ଷେତ୍ରରୁ ପରମାଣୁ ଆକାଂକ୍ଷା ନେଇ ପରଦା ଉଠାଇବା ଥିଲା ଡୋଭାଲଙ୍କ ମୁଖ୍ୟ ଲକ୍ଷ୍ୟ। ଆଉ ସେଥିପାଇଁ ନିଜ ଗୋପନ ମିଶନରେ ପ୍ରତିଟି ସାଧାରଣ ଘଟଣା, ଗତିବିଧି ଉପରେ ନଜର ରଖିଥିଲେ ଡୋଭାଲ୍। ଏହି ସମୟରେ ଏକ ଛୋଟ ସେଲୁନ ଉପରେ ତାଙ୍କର ନଜର ପଡିଥିଲା। ସେଠାକୁ ଖାନ୍ ରିସର୍ଚ୍ଚ ସେଣ୍ଟରର ବୈଜ୍ଞାନିକ ନିୟମିତ ଭାବେ ଯାଉଥିଲେ। ଡୋଭାଲ୍ ଚୁପଚାପ୍ ଦୋକାନରେ ପଡିଥିବା ଚୁଟି ଏକାଠି କରି ଭାରତ ପଠାଇଥିଲେ। ଚୁଟି ନମୁନାର ପରୀକ୍ଷଣରେ ରେଡିଏସନ୍ ଓ ୟୁରାନିୟମର ଅଂଶ ସାମନାକୁ ଆସିଥିଲା। ଫଳରେ ପାକିସ୍ତାନର ଗୋପନ ପରମାଣୁ କାର୍ଯ୍ୟକ୍ରମ ସଂପର୍କରେ ସ୍ପଷ୍ଟ ହୋଇଥିଲା। ଏହି ପ୍ରମାଣ ଦ୍ବାରା ଭାରତ ପାକିସ୍ତାନର ପରମାଣୁ ଆକାଂକ୍ଷା ସଂପର୍କରେ ଜାଣିବାକୁ ପାଇଥିଲା। ଏହି ସୂଚନା ମିଳିବା ପରେ ପାକିସ୍ତାନର ପରମାଣୁ ପରୀକ୍ଷଣ କରିବା କ୍ଷମତା ପ୍ରାୟ 15ବର୍ଷ ପର୍ଯ୍ୟନ୍ତ ଘୁଞ୍ଚି ଯାଇଥିଲା।

ପାକିସ୍ତାନରେ କିଛି ଦିନ କି ମାସ ନୂହେଁ 6ବର୍ଷ ଧରି ମିଶନରେ ରହିଥିଲେ ଅଜିତ ଡୋଭାଲ। ସେଠାରେ ପ୍ରତି ମୁହୁର୍ତ୍ତରେ ଧରା ପଡିବା ଓ ଜୀବନ ଯିବାର ଭୟ ରହିଥିଲା। ହେଲେ ନିଜ ସାହାସିକତା ଓ ବୁଦ୍ଧିମତା ଯୋଗୁଁ ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମକୁ ଅନେକ ବର୍ଷ ଧରି ଟାଳିବାରେ ସଫଳ ହୋଇଥିଲେ ଡୋଭାଲ୍। ପାକିସ୍ତାନରେ ତାଙ୍କର ଏହି ମିଶନକୁ ସବୁଠୁ ସାହାସୀ ଓ ସ୍ମାର୍ଟ ସିକ୍ରେଟ୍ ମିଶନ ଭାବେ ବିବେଚନା କରାଯାଏ।

Comments are closed.