ନୂଆଦିଲ୍ଲୀ: ନେପାଳ ସରକାର ୨୬ରୁ ଅଧିକ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଯୁବପିଢି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୋମବାର ସନ୍ଧ୍ୟାରେ ନେପାଳ-ଭାରତ ସୀମା ଅନ୍ତର୍ଗତ ଝାପା ଜିଲ୍ଲାର ବିର୍ତା ମୋଡରେ ଏକ ବଡ଼ ଧରଣର ହିଂସାତ୍ମକ କାଣ୍ଡ ଘଟିଥିବା ସୂଚନା ମିଳିଛି।
ଝାପା ଜିଲ୍ଲାର ଦମକ ନଗରରେ ଯୁବକମାନେ ପ୍ରତିବାଦ କରିବା ସହ ଅନେକ ବାଇକ୍ ଭଙ୍ଗାରୁଜା କରି ପୋଡ଼ି ଦେଇଥିଲେ। କିଛି ସମୟ ମଧ୍ୟରେ ଏହା ଦମକ ଚୌକରୁ ପୌରପାଳିକା ଅଞ୍ଚଳକୁ ବ୍ୟାପି ଯାଇଥିଲା। ପରେ ଆନ୍ଦୋଳନକାରୀ ମାନେ ମୁକ୍ତି ଚୌକରେ ଏକାଠି ହୋଇ ପୋଲିସ ଏବଂ ପ୍ରଶାସନ ବିରୁଦ୍ଧରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। କେବଳ ସେତିକି ନୁହେଁ ସେଠାରେ ଥିବା ଟ୍ରାଫିକ୍ ପୋଲିସ କାର୍ଯ୍ୟାଳୟକୁ ମଧ୍ୟ ସେମାନେ ପୋଡ଼ି ଦେଇଥିଲେ।
ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲାଠିଚାର୍ଜ କରିବା ସହ ଗୁଳି ମଧ୍ୟ ଚଳାଇଥିଲା। ଯାହା ଫଳରେ ସେଠାରେ ଦଳାଚକଟା ଆରମ୍ଭ ହୋଇ ଯାଇଥିଲା। ଯେଉଁ ଘଟଣାରେ ଅନେକଙ୍କ ମୃତ୍ୟୁ ଘଟିଛି। ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗଣ୍ଡଗୋଳ ବନ୍ଦ ନହେବାରୁ ସେଠାରେ ଜିଲ୍ଲା ପ୍ରଶାସନ କର୍ଫ୍ୟୁ ଜାରି କରିଥିବା ନେଇ ରିପୋର୍ଟରୁ ଜଣାପଡ଼ିଛି। ତେବେ ଝାପା ଜିଲ୍ଲା ଭାରତ-ନେପାଳ ସୀମାରୁ ମାତ୍ର ୨୦ କିଲୋମିଟର ଦୂରରେ ଅବସ୍ଥିତ।
ଫଳରେ ହିଂସାତ୍ମକ ଘଟଣାଗୁଡ଼ିକୁ ଦୃଷ୍ଟିରେ ରଖି ସଶସ୍ତ୍ର ସୀମା ବଳ (SSB) ଏବଂ ସ୍ଥାନୀୟ ପ୍ରଶାସନ ଠାକୁରଗଞ୍ଜ ନିକଟ ଭାରତ-ନେପାଳ ସୀମାରେ ସତର୍କତା ବୃଦ୍ଧି କରିବା ସହ ଗାଲଗାଲିଆ ଏବଂ ଅନ୍ୟାନ୍ୟ ଚେକ୍ ପୋଷ୍ଟ ପର୍ଯ୍ୟନ୍ତ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସତର୍କ କରାଯାଇଛି। ଯେପରି କୌଣସି ଅସାମାଜିକ ବ୍ୟକ୍ତି ସୀମା ପାର ହୋଇ ଭାରତରେ ପ୍ରବେଶ କରିପାରିବେ ନାହିଁ।
Comments are closed.